ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନକୁ ନେଇ କେବଳ ଗାଁ ରାଜନୀତି ସରଗରମ ନୁହେଁ, ବରଂ ନେତାଙ୍କ ଚିନ୍ତା ମଧ୍ୟ ଦ୍ୱିଗୁଣିତ ହୋଇଛି । ଦଳୀୟ ଚିହ୍ନରେ ଲଢାଯାଉଥିବା ଜିଲ୍ଲା ପରିଷଦ ଆସନ ହାତେଇବାକୁ ଦଳ ପକ୍ଷରୁ ନେତାଙ୍କୁ ଟାସ୍କ ଦିଆଯାଇଛି । ଆଉ ଏହି ଜିଲ୍ଲା ପରିଷଦ ଆସନ ହାତେଇବା ପାଇଁ ଏବେ ବଲାଙ୍ଗୀର ରାଜନୀତି ଚଳଚଞ୍ଚଳ । କାରଣ ଏଠାରେ ପ୍ରାର୍ଥୀଙ୍କ ବିଜୟ ଉପରେ ନେତାଙ୍କ ରାଜନୈତିକ ଭବିଷ୍ୟତ ନିର୍ଭର କରୁଛି । ତେଣୁ ଦଳୀୟ ଚିହ୍ନରେ ଲଢାଯାଉଥିବା ଜିଲ୍ଲା ପରିଷଦ ଆସନ ନେତାଙ୍କ ଫୋକସରେ ରହିଛି । ତେବେ ବଲାଙ୍ଗୀର ରାଜନୀତି ଏଥିପାଇଁ ରୋଚକ, କାରଣ ଏଠାରେ ଭୋଟରଙ୍କ ମୁଡ ପରଖିବା ନେତାଙ୍କ ପାଇଁ କଷ୍ଟକର ।

Advertisment

ଗତ ୨୦୧୭ ନିର୍ବାଚନରେ ବଲାଙ୍ଗୀରର ୩୪ ଜିଲ୍ଲା ପରିଷଦ ଆସନରୁ ବିଜେପି ଏକାକୀ ୨୩ଟି ଆସନ ହାତେଇବା ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇଥିଲା । କନକ ବର୍ଦ୍ଧନ ସିଂହଦେଓଙ୍କ ଗୋଟିଚାଳନାରେ ଏଠାରେ ଶାସକ ଦଳକୁ ଧରାଶାୟୀ କରିଥିଲା ବିଜେପି । କାରଣ ସେତେବେଳେ ବିଜେପିରୁ ବିଧାୟକ ଥିଲେ କନକ । ତେଣୁ ସଙ୍ଗଠନ ସହ ଲଗାତାର ଜଡିତ ରହିଥିଲେ । ଯାହା ଦଳର ବିଜୟକୁ ସହଜ କରିଥିଲା । କିନ୍ତୁ ୨୦୧୭ର ପଞ୍ଚାୟତ ସଫଳତା ୨୦୧୯ରେ ବିଧାନସଭା ନିର୍ବାଚନରେ ଦେଖିବାକୁ ମିଳିନଥିଲା । କନକଙ୍କୁ ପ୍ରତ୍ୟାଖିତ କରିଥିଲେ ଭୋଟର । ତେବେ ସାଂସଦ ଭାବେ କନକଙ୍କ ପତ୍ନୀ ସଙ୍ଗୀତା ସିଂହଦେଓଙ୍କୁ ବାଛିଥିଲେ ବଲାଙ୍ଗୀରବାସୀ । ତେବେ ଚଳିତ ୨୦୨୨ ପଞ୍ଚାୟତ ନିର୍ବାଚନରେ ବଡ ଧରଣର ଓଲଟପାଲଟ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ବଲାଙ୍ଗୀରର ପରିବର୍ତ୍ତିତ ରାଜନୀତୀ ବିଜେପି ପାଇଁ ଏତେଟା ଶୁଭଙ୍କର ନ ହୋଇପାରେ । କାରଣ ୨୦୧୭ରେ ବିଜେପି ଟିକେଟରୁ ଜିଲ୍ଲା ପରିଷଦ ହୋଇଥିବା ତଥା ଦଳର ସଙ୍ଗଠନରେ ବଡ ଭୂମିକାରେ ଥିବା ନେତା ପାଣ୍ଡବ ସାହୁ ଏବେ ବିଜେଡି କ୍ୟାମ୍ପରେ ସାମିଲ ହେବା ସହ ପ୍ରାର୍ଥୀ ହୋଇଛନ୍ତି । ଏହାଛଡା ବଲାଙ୍ଗୀର ବିଜେପି ରାଜନୀତିରେ ସିଂହଦେଓ ପରିବାରର ଏକଚାଟିଆ ଆଧିପତ୍ୟକୁ ନେଇ ତୃଣମୂଳସ୍ତରରେ ମଧ୍ୟ ଅସନ୍ତୋଷ ରହିଛି । ଯାହା ବିଜେପି ପାଇଁ ବିପଦ ସୃଷ୍ଟି କରିପାରେ ।

ସେହିଭଳି ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡି ମାତ୍ର ୯ଟି ଆସନ ହାତେଇଥିଲା । ତେବେ ୨୦୨୨ ରାଜନୈତିକ ସ୍ଥିତି କିଛି ଭିନ୍ନ ସଂକେତ ଦେଉଛି । ଦଳ ଚଳିତଥର ସଙ୍ଗଠିତ ହୋଇ ନିର୍ବାଚନ ଲଢିବା ଉପରେ ଜୋର ଦେଉଛି । ତେବେ ଏହି ପଞ୍ଚାୟତ ନିର୍ବାଚନ ସିଂହଦେଓ ଭାଇ କଳିକେଶ-ଅର୍କେଶଙ୍କ ପାଇଁ ବେଶ ଗୁରୁତ୍ୱ ବହନ କରୁଛି । ରାଜପରିବାରର ଏହି ଦୁଇ ଭାଇ ଏବେ ପାୱାର କରିଡରରୁ ଦୂରରେ ରହିଥିବାରୁ ପଞ୍ଚାୟତ ଫଳାଫଳ ଆଗାମୀ ନିର୍ବାଚନରେ ଉଭୟଙ୍କ ଟିକେଟ ପାଇଁ ବାଟ ଫିଟାଇବ । କିନ୍ତୁ ବଲାଙ୍ଗୀର ବିଜେଡି ରାଜନୀତିରେ ରାଜପରିବାରର ପତିଆରା ହ୍ରାସ କରିବାକୁ ଦଳର ଅନ୍ୟ ଛାମୁଆ ନେତା ମଧ୍ୟ ଭିତିରିଆ ବିଭୀଷଣ ସାଜିପାରନ୍ତି । ୨୦୧୭ର ଫଳାଫଳ ୨୦୧୯ ନିର୍ବାଚନରେ ଦେଖିବାକୁ ମିଳିନଥିଲା । ତେଣୁ ଏହି ଧାରା ଅବ୍ୟାହତ ରଖିବାକୁ ଦଳର ହେଭିୱେଟ କୁହାଯାଉଥିବା ମନ୍ତ୍ରୀ ଟୁକୁନି ସାହୁଙ୍କୁ ସଙ୍ଗଠନର ମଙ୍ଗ ଧରିଛନ୍ତି । ସେହିଭଳି ବିରୋଧୀଙ୍କୁ ଘେରିବାକୁ ପାଟଣାଗଡ ଗଡ ବିଧାୟକ ସରୋଜ ମେହେର ଜଗିଥିବା ବେଳେ ଲୋଇସିଂହା ଓ କଣ୍ଟାବାଞ୍ଝି ଗଡକୁ ସମ୍ଭାଳିଛନ୍ତି ଦଳର ଟାଣୁଆ ସଙ୍ଗଠକ ଆୟୁବ ଖାନ୍ ଓ ନିହାର ବେହେରା । ଦଳ ଏଠାରେ ସଙ୍ଗଠିତ ହୋଇ ନିର୍ବାଚନ ଲଢୁଥିଲେ ମଧ୍ୟ ମମିତା ଓ ମଣ୍ଡି ସମସ୍ୟା ପ୍ରସଙ୍ଗ ବିଜେଡି ପାଇଁ ବୁମେରାଂ ହୋଇପାରେ ।

ଏହାବାଦ୍ ଚଳିତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ପାଇଁ କମବ୍ୟାକ କରିବାକୁ ସୁଯୋଗ ରହିଛି । କାରଣ ଜିଲ୍ଲାରେ ଦଳର ଏବେ ନରସିଂହ ମିଶ୍ର ଓ ସନ୍ତୋଷ ସିଂ ସାଲୁଜାଙ୍କ ଭଳି ୨ ଜଣ ଟାଣୁଆ ବିଧାୟକ ଥିବା ବେଳେ ସଙ୍ଗଠନରେ ମଧ୍ୟ ସେଭଳି ଫାଟ ନାହିଁ । ଯାହା ଦଳ ପାଇଁ ବରଦାନ ସଦୃଶ । ଗତଥର ଦଳ ୨ଟି ଆସନ ହାତେଇଥିବା ବେଳେ ଏଥର ଏହି ସଂଖ୍ୟାରେ ଦୁଇ ଅଙ୍କରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି । ରାଜ୍ୟ ରାଜନୀତିରେ କଂଗ୍ରେସର ହାତ ଦୁର୍ବଳ ହେଉଥିବା ବେଳେ ବଲାଙ୍ଗୀରରେ ଏଥର ହାତ ତାର ପଞ୍ଝାକୁ ଆହୁରି ଟାଣ କରିବାର ଯଥେଷ୍ଟ ସୁଯୋଗ ରହିଛି । ଉଭୟ ବିଜେପି ଓ ବିଜେଡି ବିରୋଧରେ ଥିବା ମାଳ ମାଳ ଅଭିଯୋଗକୁ ପାଥେୟ କରି ଭୋଟରଙ୍କ ଭରସା ଜିତିବା ଲକ୍ଷ୍ୟରେ ରହିଛି ଦଳ । ତେବେ କଂଗ୍ରେସର ତୃଣମୂଳସ୍ତରରେ ସେଭଳି ଫାଟ ନଥିଲେ ମଧ୍ୟ ପଞ୍ଚାୟତ ଫଳାଫଳ ନିର୍ଣ୍ଣୟ କରିବ ଏଠାରେ ନରସିଂହ ନା ସନ୍ତୋଷ କାହାର ପତିଆରା ଅଧିକ । ମୋଟାମୋଟି ଭାବେ କହିବାକୁ ଗଲେ ଚଳିତ ପଞ୍ଚାୟତ ନିର୍ବାଚନରେ ବଲାଙ୍ଗୀରରେ କିଏ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାତେଇବ ତାହା ଏବେ ସସପେନ୍ସ ଘେରରେ । କାରଣ ୨୦୧୯ ନିର୍ବାଚନରେ ଯେଉଁ ସ୍ଥିତି ଦେଖିବାକୁ ମିଳିଥିଲା ତାହା ଦର୍ଶାଉଛି ଯେ, ବଲାଙ୍ଗୀର ଭୋଟରଙ୍କ ମୁଡକୁ ବୁଝିବା ନେତାଙ୍କ ପକ୍ଷେ ସମ୍ଭବ ନୁହେଁ ।