ଭଞ୍ଜନଗର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ଭଞ୍ଜନଗର ବ୍ଲକ୍‌ର ବିଭିନ୍ନ ଗାଁରେ ରାଜନୈତିକ ପାଣିପାଗ ଚଳଚଞ୍ଚଳ ହୋଇ ଉଠିଥିବା ସହ ପ୍ରାଶାସନିକସ୍ତରରେ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି। କିନ୍ତୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭକୁ ଅଳ୍ପ ସମୟ ଥିଲେ ମଧ୍ୟ, ଏଯାବତ୍ ବିଭିନ୍ନ ପଞ୍ଚାୟତ ପାଇଁ ପ୍ରାର୍ଥୀ ଚୟନ ଚୂଡ଼ାନ୍ତ ହୋଇପାରୁନି। ମାଳମାଳ ଆଶାୟୀଙ୍କ ମଧ୍ୟରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ହରଡ଼ଘଣାରେ ପଡ଼ିଛନ୍ତି। କାରଣ ପରୋକ୍ଷ ଭାବେ ଦଳୀୟ ସମର୍ଥନରେ ହିଁ ସରପଞ୍ଚ ଓ ସମିତିସଭ୍ୟ ନିର୍ବାଚନୀ ବୈତରଣୀ ପାର ହେବେ। ଆଉ ଜଣଙ୍କୁ ଟିକଟ୍ ଦେଲେ ଅନ୍ୟ ଗୋଷ୍ଠୀ ବିଦ୍ରୋହ ଆରମ୍ଭ କରିବେ। ଆଉ ଦଳ ଏଭଳି ପରିସ୍ଥିତିରେ ବିଭାଜିତ ହେବାର ଯଥେଷ୍ଟ ଆଶଙ୍କା ରହିଛି।
Advertisment
ଖାସ୍ କରି ଶାସକ ବିଜେଡିରେ ବହୁ ଆଶାୟୀ ଦଳୀୟ ସର୍ମଥନରେ ଲଢ଼ିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଆଉ ଏଭଳି ପରିସ୍ଥିତିରେ ଅସନ୍ତୁଷ୍ଟମାନଙ୍କୁ ମନାଇ ନିର୍ବାଚନ ବୈତରଣୀ ପାର ହେବାକୁ ନେତା ମାନେ ରଣକୌଶଳ ଆରମ୍ଭ କରିଦେଇଛନ୍ତି। ଭଞ୍ଜନଗର ବ୍ଲକ୍‌ର ଅଧିକାଂଶ ପଞ୍ଚାୟତରେ ବର୍ତ୍ତମାନ ଏଭଳି ରାଜନୈତିକ ଚିତ୍ର ସାମ୍ନାକୁ ଆସିଛି।
ଜିଲ୍ଲା ପରିଷଦ, ସମିତିସଭ୍ୟ ଓ ସରପଞ୍ଚ ଆସନରେ ଉପଯୁକ୍ତ ପ୍ରାର୍ଥୀ ଦେବା ପାଇଁ ତିନି ପ୍ରମୁଖ ଦଳ ଏବେ ହରଡ଼ଘଣାରେ ପଡ଼ିଛନ୍ତି। ଗୋଟିଏ କି ଦୁଇଟି ପଞ୍ଚାୟତ ନୁହେଁ, ସମସ୍ତ ପଞ୍ଚାୟତରେ ଦଳୀୟ ସମର୍ଥନ ପାଇଁ ମାଳମାଳ ଆଶାୟୀ ସେମାନଙ୍କ ସମର୍ଥକଙ୍କୁ ଧରି ଲବି କରୁଛନ୍ତି। ତେଣୁ ଏଭଳି ପରିସ୍ଥିତିରେ କାହାକୁ ଟିକଟ୍ ଦିଆଯିବ ଓ କାହାକୁ ନଦିଆଯିବ ଏହାକୁ ନେଇ ତୁଙ୍ଗ ନେତା ଏବଂ ଦଳ ମୁଖିଆ ଧର୍ମସଙ୍କଟରେ ପଡ଼ିଛନ୍ତି।
ସବୁଠୁ ବଡ଼ କଥା ହେଲା, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜାରି ‌ହୋଇଥିବା ସଂରକ୍ଷଣ ତାଲିକାରୁ ପଛୁଆବର୍ଗଙ୍କ ସଂରକ୍ଷଣ କାଟ୍ ଖାଇବା ପରେ ନୂଆ ସଂରକ୍ଷଣ ତାଲିକା ସଂପୂର୍ଣ୍ଣ ରାଜନୈତିକ ସମୀକରଣକୁ ବଦଳାଇଦେଇଛି। ପୂର୍ବ ପ୍ରକାଶିତ ତାଲିକା ଅନୁଯାୟୀ, ଆଶାୟୀମାନେ ଜନସଂପର୍କ ଅଭିଯାନ ଆରମ୍ଭ  ସହ ନିର୍ବାଚନ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। କିନ୍ତୁ ବର୍ତ୍ତମାନ ନିଜ ଅନୁଗତମାନଙ୍କୁ ପ୍ରାର୍ଥୀ କରିବା ପାଇଁ ଯୋଜନା କରୁଛନ୍ତି। ସେଥିରେ ସଫଳ ନହେଲେ ବିରୋଧୀ ଭୂମିକା ନିର୍ବାହ କରିବେ ବୋଲି ଖୋଲାଖୋଲି କହି ବୁଲୁଛନ୍ତି। ଶାସକ ବିଜେଡିକୁ ନିର୍ବାଚନରେ ବିଜୟ କରାଇବାରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ବିକ୍ରମ‌ କେଶରୀ ଆରୁଖ ମଙ୍ଗ ଧରିଛନ୍ତି। ପ୍ରାର୍ଥୀ ଚୟନ ନେଇ ମନ୍ତ୍ରୀଙ୍କ ଶେଷ ନିଷ୍ପତ୍ତି ନିର୍ଭର କରୁଥିବାରୁ ବିଭିନ୍ନ ଉପାୟରେ ଆଶାୟୀମାନେ ତାଙ୍କୁ ଭରସା ଦେବାକୁ ଲାଗିପଡ଼ିଛନ୍ତି। ସେପଟେ ଗ୍ରାମାଞ୍ଚଳସ୍ତରରେ ତୁଙ୍ଗ ନେତା ମାନେ ରୁଦ୍ଧଦ୍ବାର ବୈଠକ କରୁଛନ୍ତି। ଏହାମଧ୍ୟରେ ଦଳରେ କେହି ଯେମିତି ଅସନ୍ତୁଷ୍ଟ ଗୋଷ୍ଠୀ ଉଭା ନହେବେ, ଏହାକୁ ନେଇ ରଣନୀତି ପ୍ରସ୍ତୁତ ହେଉଛି। ଦଳ ନିଶ୍ଚିତ ଭାବେ ଭଞ୍ଜନଗର ବ୍ଲକ୍‌ରେ କ୍ଲିନ୍ ସୁଇପ୍ କରିବା ସହ ଅଧ୍ୟକ୍ଷ ପଦ ବି ହାତେଇବ ବୋଲି କିଛି ବିଜେଡି ନେତା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଅନ୍ୟପଟେ ବିଜେପି ପକ୍ଷରୁ ମଧ୍ୟ ପ୍ରାର୍ଥୀ ଖୋଜା ଚାଲିଥିବା ସହ ବିଜେଡିକୁ କଡ଼ା ଟକ୍କର୍ ଦେବାକୁ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ ହେଉଛି। ଖାସ୍‌ କରି ଯୁବନେତା ଅଯୋଧ୍ୟାନାଥ ମହାପାତ୍ର କିଛିଦିନ ତଳେ ଦଳରେ ଯୋଗ ଦେଇଥିବା ବେଳେ ତାଙ୍କୁ ବିଜେପି ପୋଷ୍ଟର୍ ବୟ୍ ଭାବେ ରାଜନୀତି ମୈଦାନକୁ ଓହ୍ଲାଇବା ନେଇ ସ୍ପଷ୍ଟ କରିଛି।  ଅନ୍ୟପଟେ କଂଗ୍ରେସ ଏହି ଦୌଡ଼ରେ ସାମାନ୍ୟ ଧିମେଇଯାଇଥିବା ଦେଖିବାକୁ ମିଳିଛି। ପୂର୍ବରୁ ନିର୍ବାଚନରେ ଦଳ ଫୁଲ ଦମ୍‌ରେ ଓହ୍ଲାଇବ ବୋଲି ନେତା ମାନେ କହୁଥିବା ବେଳେ ବର୍ତ୍ତମାନ ଚିତ୍ର ବଦଳି ଯାଇଛି। ଅନୁସୂଚିତ ଜାତି ଏବଂ ଅନୁସୂଚିତ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଯାଇଥିବା ପଦବି ପାଇଁ ଆବଶ୍ୟକ କାଗଜପତ୍ର ଯୋଗାଡ଼ କରିବା ସମସ୍ୟା ହେଉଥିବାରୁ ସେଠି ପ୍ରାର୍ଥୀ ଦେବା ଏକ ପ୍ରକାର ଜଟିଳ ହେବ ବୋଲି ଯୁବନେତା ପ୍ରଶାନ୍ତ ବିଷୋୟୀ କହିଛନ୍ତି। ସବୁ ରାଜନୈତିକ ଦଳ ସମର୍ଥନରେ ଟିକଟ ପାଇ ନଥିବା ଆଶାୟୀଙ୍କୁ ସାଙ୍ଗରେ ନେଇ ନିର୍ବାଚନ ଲଢ଼ିବା ଚ୍ୟାଲେଞ୍ଜ୍ ସୃଷ୍ଟି କରିବ ବୋଲି ରାଜେନୈତି ବିଶେଷଜ୍ଞ ମାନେ ଅନୁମାନ କରୁଛନ୍ତି।