ଜୟପୁର: ପଞ୍ଚାୟତ ନିର୍ବାଚନ ପାଇଁ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ଓ ପୌରପରିଷଦ ନିର୍ବାଚନ ପାଇଁ ରାଜ୍ୟସରକାରଙ୍କ ସବୁଜ ସଂକେତ ଦେବା ପରେ ଜୟପୁର ସହର ଓ ବ୍ଲକ ଅଞ୍ଚଳରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ଗୋଟିଏ ପଟେ ନିର୍ବାଚନ ସୁରୁଖୁରରେ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ବି ଆରମ୍ଭ ହୋଇଛି। ତିନି ରାଜନୈତିକ ଦଳ କଂଗ୍ରେସ, ବିଜେଡିଓ ବିଜେପି ଜୟପୁରକୁ ଫୋକସରେ ରଖିଛନ୍ତି। ଜୟପୁରରେ ପୂର୍ବରୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରହିଥିଲା। ସାଧାରଣ ନିର୍ବାଚନ ପରେ ଜୟପୁରରେ ବିଜେପିର ଜିଲ୍ଲା କାର୍ୟ୍ୟାଳୟ ଖୋଳିଥିଲା। ଗତ ୩ମାସ ତଳେ ବିଜେଡି ବି ଅନ୍ୟ ଦୁଇ ଦଳ ଭଳି ରଣନିତୀ ଆପଣାଇ ଜୟପୁରକୁ ପ୍ରାଥମିକତା ଦେଇ ବିଜେଡିର ଜୋନ କାର୍ୟ୍ୟାଳୟ ଖୋଲିଛି। ଏହି ତିନି ପ୍ରମୁଖ ରାଜନୈତିକ ଦଳ ଏବେ ଜୟପୁରରେ ବସି ନିଜ ନିଜ ଦଳର ରଣନିତୀ ପ୍ରସ୍ତୁତି କରୁଛନ୍ତି। ଏହାକୁ କାର୍ୟ୍ୟକାରୀ କରିବାକୁ ତିନି ଦଳର ନେତା ଏବେ ପଂଚାୟତ ମୁହାଁ ହୋଇଛନ୍ତି।
ତିନି ଦଳର ନେତା ମାନେ ସ୍ବଚ୍ଛଭାରତ ସଫେଇ ଅଭିଯାନ ସହ ଯୁବବର୍ଗଙ୍କୁ ନେଇ ପ୍ରତ୍ୟେକ ଗାଁରେ ବ୍ଲକ, ଓ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ କରାଉଛନ୍ତି। ଉକ୍ତ ସଫେଇ ଅଭିଯାନ ଓ ଫୁଟବଲ ଟୁର୍ନାମେଣ୍ଟର ଉଦଘାଟନୀ ଓ ଉଦଯାପନୀ ଉତ୍ସବରେ ଏହି ନେତା ମାନେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗ୍ରାମାଂଚଳର ଲୋକଙ୍କର ନିକଟତର ହେବାକୁ ପ୍ରୟାସ କରୁଛନ୍ତି। ତିନି ପ୍ରମୁଖ ଦଳ ଯୁବକ ଓ ମହିଳା ମାନଙ୍କୁ ନେଇ ଏଥରକର ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି। କେବଳ ଏଥିକି ନୁହେଁ କିଛି ଅସନ୍ତୁଷ୍ଟଙ୍କ ଘରବାହୁଡ଼ା ପାଇଁ ବି ବିଭିନ୍ନ ଦଳ ପାଗ ଭିଡ଼ିବା ଆରମ୍ଭ କରିଛନ୍ତି। କେଉଁ ଦଳ ଓ କେଉଁ ଦଳର ନେତା ଅଂଚଳ ପାଇଁ କଣ କଣ ବିକାଶ କରିଛନ୍ତି , ରାଜ୍ୟ ସରକାର ଓ କେନ୍ଦ୍ର ସରକାର କେଉଁ କେଉଁ ଯୋଜନା କରିଛନ୍ତି ତାହାର ହିସାବ ନିକାଶ ବି ଦେବାକୁ ପଛାଉନାହାନ୍ତି। ଏହାରି ମଧ୍ୟରେ ସାଧାରଣ ନିର୍ବାଚନକୁ ୨ବର୍ଷ ବିତିଗଲାଣି। ଏହା ପୂର୍ବରୁ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନଓ ପୌରପରିଷଦ ନିର୍ବାଚନ ତିନି ଦଳ ପାଇଁ ଏସିଡ୍ ଟେଷ୍ଟ ଭଳି ହୋଇଛି।