ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚନ ଅଧିକାରୀମାନେ ବିଜ୍ଞପ୍ତି ଜାରି କରିଛନ୍ତ। ପଞ୍ଚାୟତ ଅଫିସରେ ସରପଞ୍ଚ, ସମିତି ସଭ୍ୟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଜିଲ୍ଲା ଓ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚଳିତ ମାସ ୧୭ରୁ ୨୧ ତାରିଖ ଯାଏଁ ଚାଲିବ। ମନୋନୟନ ପତ୍ର ଯାଞ୍ଚ ୨୨ ତାରିଖରେ ହେବ। ଜାନୁଆରି ୨୫ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ୫ଟି ପର୍ଯ୍ୟାୟରେ ହେବ ଚଳିତ ପଞ୍ଚାୟତ ନିର୍ବାଚନ। ପ୍ରତି ପର୍ଯ୍ୟାୟ ମଧ୍ୟରେ ଗୋଟିଏ ଦିନ ବ୍ୟବଧାନ ରହିବ। ଆସନ୍ତା ଫେବ୍ରୁଆରି ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ନିର୍ବାଚନ ହେବ। ସେହିଭଳି ଫେବ୍ରୁଆରି ୨୬, ୨୭ ଓ ୨୮ ତାରିଖରେ ୩ଟି ପର୍ଯ୍ୟାୟରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ଙ୍କ ପକ୍ଷରୁ ବୁଧବାର ଦିନ ନିର୍ବାଚନ ପାଇଁ କୋଭିଡ୍‌ ଗାଇଡ୍‌ଲାଇନ୍ ଜାରି କରାଯାଇଛି। ଚଳିତ ମାସରେ ସର୍ବାଧିକ ୧୦୦ ଲୋକଙ୍କୁ ନେଇ ରାଜନୈତିକ ସଭା, ଶୋଭାଯାତ୍ରା ପାଇଁ ପୂର୍ବରୁ ଅନୁମତି ଥିଲା ବେଳେ ବୁଧବାର ତାହାକୁ ଉଠାଇ ଦିଆଯାଇଛି। ‌ନିର୍ବାଚନୀ ସଭା, ଶୋଭାଯାତ୍ରାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।
ପ୍ରାର୍ଥୀମାନେ ସର୍ବାଧିକ ୫ ଜଣ ସମର୍ଥକଙ୍କୁ(ପ୍ରାର୍ଥୀଙ୍କୁ ମିଶାଇ ୫) ନେଇ ଘରକୁ ଘରକୁ ବୁଲି ପ୍ରଚାର କରିବେ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତେ ମାସ୍କ ପିନ୍ଧି ପ୍ରଚାର କରିବା ବାଧ୍ୟତାମୂଳକ। ଏହାକୁ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ଏସ୍‌ଆର୍‌ସିଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ପ୍ରାର୍ଥୀମାନେ ସାମାଜିକ ଓ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରଚାର କରିବାକୁ ପ୍ରାଥମିକତା ଦିଅନ୍ତୁ। ଅଧିକ ଲୋକ ଏକାଠି ହୋଇ ପ୍ରଚାର କରିପାରିବେନାହିଁ। କୋଭିଡ୍‌ ସଂକ୍ରମିତ ହୋଇଥିବା ପ୍ରାର୍ଥୀମାନେ କେବଳ ଇଲୋକ୍ଟ୍ରୋନିକ୍ସ ମିଡିଆରେ ପ୍ରଚାର କରିବେ। ସେମାନେ ବାହାରକୁ ପ୍ରଚାର ପାଇଁ ଯାଇପାରିବେ ନାହିଁ। ରାଜନୈତିକ ଦଳଗୁଡ଼ିକ ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ପ୍ରଚାର କରିବାକୁ ପଦକ୍ଷେପ ନିଅନ୍ତୁ। କୌଣସି ପ୍ରକାର ‌ରୋଡ୍ ସୋ’, ପଦଯାତ୍ରା, ସାଇକେଲ୍/ମୋଟର୍‌ ସାଇକେଲ୍‌ ଶୋଭାଯାତ୍ରା ହୋଇପାରିବ ନାହିଁ। ଭୋଟ୍‌ ଗଣତି ପରେ ବିଜୟୀ ପ୍ରାର୍ଥୀମାନେ ବିଜୟ ଶୋଭଯାତ୍ରା ମଧ୍ୟ ହୋଇପାରିବ ନାହିଁ। ରାଜନୈତିକ ଦଳଗୁଡ଼ିକ ବିଭିନ୍ନ ୱାର୍ଡରେ ଯେଉଁ କ୍ୟାମ୍ପ୍‌ ଅଫିସ୍‌ କରିବେ, ସେଠାରେ ମାସ୍କ, ସାନିଟାଇଜର୍‌ ଆଦି ମହଜୁଦ୍ ରଖିବେ। ଭୋଟ୍‌ ଗଣତି କେନ୍ଦ୍ର ବାହାରେ କୌଣସି ପ୍ରକାର ଜନସମାଗମ ହୋଇପାରିବ ନାହିଁ।

 

ସମ୍ବନ୍ଧିତ ଖବର