ଝୁଲିଲାଣି ପଞ୍ଚାୟତ ନିର୍ବାଚନ ଭାଗ୍ୟ, ୨୦୨୨ ଫେବ୍ରୁଆରିରେ ହେବା ନେଇ ଆଶଙ୍କା

ନିର୍ବାଚନ କମିସନ୍‌ଙ୍କ ଚିଠିର ଉତ୍ତର ଦେଉନି ପଞ୍ଚାୟତିରାଜ ବିଭାଗ
କଣ୍ଟା ସାଜିଛି ୫୦% ସଂରକ୍ଷଣ ଅଡ଼ୁଆ

ଭୁବନେଶ୍ବର : ୨୦୨୨ ଫେବ୍ରୁଆରି ମାସ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନର ସମୟ। କିନ୍ତୁ ଏଥର ନିର୍ବାଚନ ହେବା ନେଇ ଆଶଙ୍କା ଦେଖାଦେଲାଣି। ପୌର ନିର୍ବାଚନ ପରି ପଞ୍ଚାୟତ ନିର୍ବାଚନ ବି ଘୁଞ୍ଚିବାର ସମସ୍ତ ସମ୍ଭାବନା ଜଳ ଜଳ ହୋଇ ଦେଖାଯାଉଛି। ନିର୍ବାଚନ କମିସନ୍‌ଙ୍କ ତିନି ତିନିଟି ଚିଠି ଓ ସରକାରଙ୍କ ନିରବତା ଏହା ହିଁ ସଙ୍କେତ ଦେଉଛି। ପଞ୍ଚାୟତିରାଜ ବିଭାଗର ହାବଭାବରୁ ବାରି ହୋଇପଡ଼ୁଛି ଯେ ସରକାର ନିର୍ବାଚନ ମୁଡ୍‌ରେ ନାହାନ୍ତି।

ପଞ୍ଚାୟତ ନିର୍ବାଚନର ବର୍ଷକ ଆଗରୁ ସାଧାରଣତଃ ନିର୍ବାଚନ କମିସନ୍‌ ପ୍ରକ୍ରିୟା ଆରମ୍ଭ କରନ୍ତି। ନିର୍ବାଚନ ପ୍ରସ୍ତୁତିକୁ ଯିବା ପୂର୍ବରୁ ମୁଖ୍ୟ କାମ ହେଉଛି ୱାର୍ଡ ପୁନର୍ଗଠନ ଓ ଆସନ ସଂରକ୍ଷଣ। ଏହି କାମ ପଞ୍ଚାୟତିରାଜ ବିଭାଗର। ବିଭାଗ ପକ୍ଷରୁ ଏହି କାମ ଶେଷ କରି କମିସନ୍‌ଙ୍କୁ ଅବଗତ କରାଗଲା ପରେ କମିସନ୍‌ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ କରିବା। ୱାର୍ଡ ପୁନର୍ଗଠନ ଓ ଆସନ ସଂରକ୍ଷଣ ପାଇଁ ଚଳିତ ବର୍ଷ ଜାନୁଆରିରେ ନିର୍ବାଚନ କମିସନ୍‌ଙ୍କ ପକ୍ଷରୁ ପଞ୍ଚାୟତିରାଜ ବିଭାଗକୁ ଦୁଇଟି ପତ୍ର ଦିଆଯାଇଥିଲା। କିନ୍ତୁ ବିଭାଗ ପକ୍ଷରୁ କୌଣସି ଉତ୍ତର ମିଳି ନ ଥିଲା। ଏହା ପରେ ମାର୍ଚ୍ଚ ମାସ ୧୬ ତାରିଖରେ ଆଉ ଗୋଟିଏ ଚିଠି ଦିଆଗଲା। ଏପ୍ରିଲ୍‌ ୩୦ ତାରିଖ ଭିତରେ ଏହି ଦୁଇଟି କାମ ସାରିବାକୁ କୁହାଗଲା। ଏହି ସମୟସୀମା ମଧ୍ୟରେ ପଞ୍ଚାୟତିରାଜ ବିଭାଗ କାମ ସାରିବ କ’ଣ, ଚିଠିର କୌଣସି ଉତ୍ତର ମଧ୍ୟ ଦେଲାନାହିଁ। ଏହିଠାରେ ହିଁ ନିର୍ବାଚନ ପ୍ରକ୍ରିୟା ଅଟକିଯାଇଛି। ନା ବିଭାଗ କିଛି ଅବଗତ କରାଇଲା ନା କମିସନ୍ ଆଉ କୌଣସି ଚିଠି ଦେଲେ। ତେଣୁ ନିର୍ବାଚନ ବିଳମ୍ବ ହେବା ନେଇ ଆଶଙ୍କା ଦେଖାଦେବା ସ୍ବାଭାବିକ।

ସାଧାରଣତଃ ୱାର୍ଡ ପୁନର୍ଗଠନ ଓ ଆସନ ସଂରକ୍ଷଣ କାମ ପ୍ରାୟ ତିନି ମାସ ଲାଗିଯାଏ। ଏହା ପରେ ନିର୍ବାଚନ କମିସନ୍ ଭୋଟର୍‌ ତାଲିକା ଚୂଡ଼ାନ୍ତ କରିବା ପାଇଁ ଆଉ ଦେଢ଼ରୁ ଦୁଇ ମାସ ସମୟ ନିଅନ୍ତି। ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପୂର୍ବରୁ ଏହିସବୁ କାମ ‌ଶେଷ ହେବା କଥା।

ଯଦି ଜୁଲାଇ ମାସରେ ସରକାର ଏହି କାମ ଆରମ୍ଭ କରନ୍ତି, ତେବେ ଅତି କମ୍‌ରେ ନଭେମ୍ବରରେ ପ୍ରକ୍ରିୟା ଶେଷ ହେବ। କିନ୍ତୁ ଜୁଲାଇରେ ଏପରି କିଛି ହେବାର ସମ୍ଭାବନା ଦେଖାଯାଉ ନାହିଁ।

ନିର୍ବାଚନ ପ୍ରସ୍ତୁତିରେ ସରକାରଙ୍କ ପାଇଁ କଣ୍ଟା ସାଜିଛି ୫୦% ସଂରକ୍ଷଣ ସୀମା। ଏଥିପାଇଁ ପୌର ନିର୍ବା‌ଚନ ଅହେତୁକ ବିଳମ୍ବ ହେବାରେ ଲାଗିଛି। ଆଉ ଏବେ ସେହି ସମାନ କାରଣ ପାଇଁ ପଞ୍ଚାୟତ ନିର୍ବାଚନ ବି ଘୁଞ୍ଚିବାର ଆଶଙ୍କା ଦେଖାଦେଇଛି। ଗତ ପଞ୍ଚାୟତ ନିର୍ବାଚନରେ ଏସ୍‌ସି, ଏସ୍‌ଟି ଓ ଓବିସି ବର୍ଗ ପାଇଁ ସଂରକ୍ଷଣ ୬୬% ରହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସଂରକ୍ଷଣ ସଂକ୍ରାନ୍ତରେ ଏକ ମାମଲାର ବିଚାର କରି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ କୌଣସି ପରିସ୍ଥିତିରେ ବି ସଂରକ୍ଷଣ ସୀମା ୫୦%ରୁ ଅଧିକ ହେବ ନାହିଁ। ରାଜ୍ୟ ସରକାର ଏହି ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ କାଏମ୍‌ ରଖିଥିଲେ। ତେଣୁ ବର୍ତ୍ତମାନ ପୌର ଓ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ସୀମା ୫୦% ଭିତରେ ରଖିବାକୁ ପଡ଼ିବ। ଏଥିପାଇଁ ଉଭୟ ନିର୍ବା‌ଚନ ନିମନ୍ତେ ସରକାରଙ୍କୁ ପ୍ରଚଳିତ ଆଇନରେ ସଂଶୋଧନ ଆଣିବାକୁ ପଡ଼ିବ। କିନ୍ତୁ ସରକାର ଆଇନରେ ସଂ‌ଶୋଧନ କରୁ ନାହାନ୍ତି। କାରଣ ନୂଆ ବ୍ୟବସ୍ଥାରେ ‌କେଉଁ ବର୍ଗର ସଂରକ୍ଷଣ କେତେ କମାଇବେ, ତାହା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଯଦି ସଂରକ୍ଷଣକୁ ନେଇ କୌଣସି ବର୍ଗ ଅସନ୍ତୁଷ୍ଟ ହୁଅନ୍ତି, ହୁଏତ ଭବିଷ୍ୟତରେ ଏହା ଅଡ଼ୁଆ ସୃଷ୍ଟି କରିପାରେ। ତେଣୁ ସରକାର ବିବାଦ ଭିତରକୁ ପଶିବାକୁ ଚାହୁଁ ନ ଥିବା ଜଣାପଡ଼ୁଛି।

ପୌର ନିର୍ବାଚନ ପାଇଁ ସରକାର ତ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଆଉ ବିରୋଧୀଙ୍କ ଆଡ଼ୁ ଚାପ ବି ନାହିଁ। ଠିକ୍ ସେହିପରି ପଞ୍ଚାୟତ ନିର୍ବାଚନ ପ୍ରତି ସରକାରୀ ‌ସ୍ତରରେ ସେ‌ତେଟା ଆଗ୍ରହ ଦେଖିବାକୁ ମିଳୁନାହିଁ। ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣର ସର୍ବନିମ୍ନ ପ୍ରକ୍ରିୟା ଆରମ୍ଭ ହୋଇ ନାହିଁ। ଆହୁରି ମଧ୍ୟ କୋଭିଡ୍‌ ପରିଚାଳନା ଆଳରେ ସରକାର ନିର୍ବାଚନ ଗଡ଼ାଇ ଦେଲେ ସମାଲୋଚନା ହେବାର ଆଶଙ୍କା କମ୍। ବିରୋଧୀ ବି ପୌର ନିର୍ବା‌ଚନ ପରି ପଞ୍ଚାୟତ ନିର୍ବାଚନ କରିବାକୁ ଅଡ଼ି ବସିବାର ସମ୍ଭାବନା ନାହିଁ।। ତେଣୁ ବର୍ତ୍ତମାନ ପରିସ୍ଥିତିରେ ସ୍ପଷ୍ଟ ଜଣାପଡ଼ୁଛି ଯେ ନିକଟ ଭବିଷ୍ୟତରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାର ସମ୍ଭାବନା କ୍ଷୀଣ।

ସୂଚନାଯୋଗ୍ୟ ଯେ ୨୦୧୭ ମସିହାରେ ୧୩ରୁ ୨୧ ଫେବ୍ରୁଆରି ମଧ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୮୫୩ ଜିଲ୍ଲା ପରିଷଦ, ୬୮୦୧ ସରପଞ୍ଚ, ୬୮୦୦ ପଞ୍ଚାୟତ ସମିତି, ୯୨୨୦୭ ୱାର୍ଡ ‌ମେମ୍ବର ପଦବି ପାଇଁ ନିର୍ବାଚନ ହୋଇଥିଲା। ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ କାର୍ଯ୍ୟ ମେ ୩୧ ସୁଦ୍ଧା ସାରିବକୁ ନିର୍ବାଚନ କମିସନ୍ ୨୫.୧.୨୦୧୬ରେ ଚିଠି ଲେଖିଥିଲେ। ଦୀର୍ଘ ୧୫ ବର୍ଷ ପ‌ରେ ଗତ ନିର୍ବାଚନ ପୂର୍ବରୁ ପଞ୍ଚାୟତର ପୁନର୍ଗଠନ ହୋଇଥିଲା। ପଞ୍ଚାୟତ ସଂଖ୍ୟା ୬୨୦୮ରୁ ୬୮୦୧ ହେଲା। ପୁନର୍ଗଠନ ଓ ସଂରକ୍ଷଣ ପ୍ରକ୍ରିୟା ୫.୦୯.୨୦୧୬ରେ ଶେଷ ହୋଇଥିଲା। ଏହା ପରେ ଇଲେକ୍ଟୋରାଲ୍‌ ରୋଲ୍‌ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୧୮.୧୦.୨୦୧୬ରେ ଏହି ପ୍ରକ୍ରିୟା ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା। ୫ଟି ପର୍ଯ୍ୟାୟରେ ସଂଶୋଧନ ପରେ ୯.୧୨.୨୦୧୬ରେ ଚୂଡ଼ାନ୍ତ ଇଲେକ୍ଟୋରାଲ୍‌ ରୋଲ୍‌ ନିର୍ବାଚନ କମିସନ୍‌ଙ୍କ ପାଖକୁ ଆସିଥିଲା। ୨୦୧୬ ଡିସେମ୍ବର ଶେଷ ସପ୍ତାହରେ ନିର୍ବାଚନ କମିସନ୍ ତାରିଖ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର