ବାଲେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ ସଂରକ୍ଷଣ ତାଲିକା ପ୍ରକାଶ ପାଇବାପରେ ଏହାକୁ ନେଇ ଅଭିଯୋଗର ଲମ୍ବା ତାଲିକା ବଢ଼ିଚାଲିଛି। କେଉଁଠି ତରବରିଆ ତ ଆଉ କେଉଁଠି ଆଧାରହୀନ ଏବଂ ପୁଣି କେଉଁଠି ଶାସକ ଦଳକୁ ସୁହାଇଲା ଭଳି ସଂରକ୍ଷଣ ତାଲିକା ପ୍ରସ୍ତୁତ କରାଯାଇଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଏମିତିକି ଗୋଟିଏ ପଞ୍ଚାୟତରେ ପରିବାରର ମାତ୍ର ୩ ଜଣ ଭୋଟର ଥିବାବେଳେ ସେହି ପଞ୍ଚାୟତରେ ନିର୍ଦ୍ଦିଷ୍ଟ ବର୍ଗଙ୍କ ଲାଗି ସଂରକ୍ଷଣ ଘୋଷଣା କରାଯିବା ଖାଲି ପ୍ରାଶାସନିକ ତ୍ରୁଟିବିଚ୍ୟୁତିକୁ ପଦାରେ ପକାଇନି, ସାଧାରଣରେ ଏହାକୁ ନେଇ କୌତୁହଳ ମଧ୍ୟ ସୃଷ୍ଟି ହୋଇଛି। ଏହାର ଜ୍ବଳନ୍ତ ଦୃଷ୍ଟାନ୍ତ ହେଉଛି ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ ତାଳପଦା ପଞ୍ଚାୟତ।
୨୦୧୧ ମସିହା ଜନଗଣନା ରିପୋର୍ଟ ଅନୁସାରେ ତାଳପଦା ପଞ୍ଚାୟତର ଜନସଂଖ୍ୟା ହେଉଛି ୪୨୦୦। ସେଥିରୁ ଅନୁସୂଚିତ ଜନଜାତିଙ୍କ ସଂଖ୍ୟା ଥିଲା ୧୬। ଗତ ୧୧ ବର୍ଷ ମଧ୍ୟରେ ଉକ୍ତ ପଞ୍ଚାୟତରେ ଅନୁସୂଚିତ ଜନଜାତି ବର୍ଗର ଜନସଂଖ୍ୟା କମି କମି ବର୍ତ୍ତମାନ ଅଛନ୍ତି ମାତ୍ର ୩ ଜଣ। ସେମାନେ ହେଲେ ୧୧ ନମ୍ବର ୱାର୍ଡରେ ରହୁଥିବା ରୋହିଆ ହେମ୍ବ୍ରମ୍, ତାଙ୍କ ପତ୍ନୀ ସରସ୍ବତୀ ହେମ୍ବ୍ରମ୍ ଏବଂ ସେମାନଙ୍କର ୧୮ ବର୍ଷର ଏକମାତ୍ର ପୁଅ। ଯିଏ ଏବେ ସଦ୍ୟତମ ଭୋଟର ତାଲିକାରେ ସାମିଲ ମଧ୍ୟ ହୋଇଛି। ଆଗାମୀ ପଞ୍ଚାୟତ ନିର୍ବାଚନ ଲାଗି ଏଠାରେ ସରପଞ୍ଚ ଆସନ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ବେଳେ ସମିତି ସଭ୍ୟ ଆସନ ଅନୁସୂଚିତ ଜାତି (ମହିଳା) ଏବଂ ୧୧ ନମ୍ବର ୱାର୍ଡସଭ୍ୟ ଆସନ ଅନୁସୂଚିତ ଜାତି ବର୍ଗଙ୍କ ଲାଗି ସଂରକ୍ଷିତ ରଖାଯାଇଛି। ଯେହେତୁ ଏହି ପଞ୍ଚାୟତରେ ଜନଜାତି ବର୍ଗର ମାତ୍ର ୩ ଜଣ ଅଛନ୍ତି ଏବଂ ତାହା ମଧ୍ୟ ଗୋଟିଏ ପରିବାରର, ତେଣୁ ଲୋକଙ୍କ ପାଖରେ ମତଦାନ ପାଇଁ କିଛି ବିକଳ୍ପ ନାହିଁ।
ତାଳପଦା ପଞ୍ଚାୟତର ପୂର୍ବତନ ସରପଞ୍ଚ ବିପିନ ବିହାରୀ ଦାସଙ୍କ ଅଭିଯୋଗ ଅନୁସାରେ ଏହା ସମ୍ପୂର୍ଣ୍ଣ ଭାବେ ଏକ ଆଧାରହୀନ ନିଷ୍ପତ୍ତି। ପୂରା ପଞ୍ଚାୟତରେ ମାତ୍ର ୩ ଜଣ ଜନଜାତି ଲୋକ। ଯଦିବା ସେହି ପରିବାରର ସ୍ବାମୀ-ସ୍ତ୍ରୀ ସରପଞ୍ଚ, ସମିତି ସଭ୍ୟ ପାଇଁ ପ୍ରାର୍ଥୀ ହୁଅନ୍ତି, ତା’ହେଲେ ସେମାନଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବାକୁ ଅନ୍ୟ କେହିନାହାନ୍ତି। ସମାନ ଅବସ୍ଥା ୧୧ ନମ୍ବର ୱାର୍ଡସଭ୍ୟ ଆସନରେ। ହେମ୍ବ୍ରମ୍ଙ୍କ ପରିବାରର ୧୮ ବର୍ଷର ପୁଅ ଏଥିପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତା, କିନ୍ତୁ ବୟସ ବାଧକ ଯୋଗୁଁ ସେ ପ୍ରାର୍ଥୀ ହୋଇପାରିବ ନାହିଁ। ଏହାର ଫାଇଦା ଉଠାଇ ସମ୍ପୃକ୍ତ ପରିବାରକୁ କ୍ଷମତାସୀନ ଦଳ ପ୍ରଲୋଭିତ କରି ନିଜ ଦଳରୁ ପ୍ରାର୍ଥୀ କରିପାରନ୍ତି ଏବଂ ପରବର୍ତ୍ତୀ ସମୟରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବାକୁ ଏହା ଏକପ୍ରକାର ମସୁଧା ବୋଲି ଶ୍ରୀ ଦାସ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/election-bkm.jpg)