କରୋନା ପାଇଁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ, ବସ୍‌ରେ ଓଭର୍‌ଲୋଡିଂ ମନା

ଭୁବନେଶ୍ବର : ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପଞ୍ଚାୟତ ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି। କରୋନା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ରାଜ୍ୟ ନିର୍ବାଚନ କମିସନର୍‌ ଏହି ପ‌ଦକ୍ଷେପ ନେଇଛନ୍ତି। ମାର୍ଚ୍ଚ ୨୪ରେ ୨୦ଟି ଜିଲ୍ଲାରେ ୨ଟି ଜିଲ୍ଲା ପରିଷଦ ସଭ୍ୟ, ୬ ସରପଞ୍ଚ, ୮ ସମିତି ସଭ୍ୟ ଓ ୮୪ଟି ୱାର୍ଡ ମେମ୍ବର ପଦବି ପାଇଁ ଏହି ଉପନିର୍ବାଚନ ହୋଇଥା’ନ୍ତା। ଉପନିର୍ବାଚନ ତାରିଖ ସମ୍ପର୍କରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି।

ବସ୍‌ରେ ଓଭର୍‌ଲୋଡିଂ ମନା
ଭୁବନେଶ୍ବର : କ‌ରୋନା ପାଇଁ ଗହଳିଚହଳି ନ କରିବାକୁ ରାଜ୍ୟ ସରକାର ସବୁ ସ୍ତରରେ ସଚେତନତା ସୃଷ୍ଟି କରୁଛନ୍ତି। କିନ୍ତୁ ବିଭିନ୍ନ ସ୍ଥାନରେ ବସ୍‌ରେ କ୍ଷମତା ଠାରୁ ଅଧିକ ଯାତ୍ରୀ ନିଆଯାଉଥିବାର ଅଭିଯୋଗ ହେଉଛି। ଏ ସଂକ୍ରାନ୍ତୀୟ କିଛି ଭିଡିଓ ମଧ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଏହାକୁ ସରକାର ଗୁରୁତ୍ବର ସହ ଗ୍ରହଣ କରିଛନ୍ତି। ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ ବସ୍‌ରେ ସିଟ୍‌ ଠାରୁ ଅଧିକ ଲୋକ ଯାଇପାରିବେ ନାହିଁ। କେହି ଛିଡ଼ା ହୋଇ ଯାଇ ପାରିବେ ନାହିଁ। ଓଭର୍‌ଲୋଡିଂ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିଭଳି ବସ୍‌ ଗୁଡ଼ିକୁ ସଫାସୁୁତୁରା ରଖିବାକୁ କୁହାଯାଇଛି। ଡ୍ରାଇଭରଙ୍କ ସହିତ ସମସ୍ତ କର୍ମଚାରୀ ମାସ୍କ ପିନ୍ଧିବେ। ଯାତ୍ରୀମାନେ ମଧ୍ୟ ଟିକେ ପରସ୍ପର ଠାରୁ ଦୂରେଇ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର