ଆଜିଠୁ ପଞ୍ଚାୟତ ନିର୍ବାଚନ: ମତଦାତା ବାଛିବେ ଗାଁ ନେତା, ୨୨୩୭୯ଟି ବୁଥ୍‌ରେ ହେବ ମତଦାନ

୩୩୫୭ଟି ଉତ୍ତେଜନାପ୍ରବଣ, ୨୨୦ଟି ଜିଲ୍ଲା ପରିଷଦ ଆସନ ପାଇଁ ୭୨୬ ପ୍ରାର୍ଥୀ

ଭୁବନେଶ୍ବର : କିଏ ହେବ ପଞ୍ଚାୟତର ମୁଖିଆ? କିଏ ରହିବେ ବ୍ଲକ୍‌ ମୁଖିଆ ପଦବି ଦୌଡ଼ରେ? କିଏ ସମ୍ଭାବ୍ୟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହେବାକୁ ଆଶା ବାନ୍ଧିବେ? କିଏ ୱାର୍ଡମେମ୍ବର ହେବେ? ‌ସେନେଇ ମତଦାତା ଆଜି ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ରାଜ୍ୟର ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୧୬୬୯ଟି ଗ୍ରାମପଞ୍ଚାୟତର ୬୭ଲକ୍ଷ ୫୧ହଜାର ମତଦାତା ୨୨୩୭୯ଟି ବୁଥ୍‌ରେ ସେମାନଙ୍କ ଅଞ୍ଚଳର ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ଏବଂ ୨୦୦ଟି ଜିଲ୍ଲା ପରିଷଦ ସଭ୍ୟଙ୍କୁ ବାଛିବେ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ବୁଧବାର ଠାରୁ ଆରମ୍ଭ ହେବାକୁ ଥିବାବେଳେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ହୋଇଛି। ଚଳିତବର୍ଷ ୫ଟି ପର୍ଯ୍ୟାୟରେ ୨୪ତାରିଖ ପର୍ଯ୍ୟନ୍ତ ମତଦାନ ହେବାକୁ ଥିବାବେଳେ ୨କୋଟି ୭୯ଲକ୍ଷରୁ ଅଧିକ ଲୋକ ମତଦାନ କରିବେ। ଏଥର ମୋଟ୍ ୬୭୯୪ଟି ଗ୍ରାମପଞ୍ଚାୟତର ୯୧୯୧୩ଟି ୱାର୍ଡରେ ମତଦାନ ପାଇଁ ବ୍ୟବସ୍ଥା କରାଯାଇଛି। ମୋଟ୍ ୯୧୯୧୩ଟି ବୁଥ୍‌ରୁ ୧୩୭୮୫ଟି ବୁଥ୍‌ ଉତ୍ତେଜନା ପ୍ରବଣ ଥିବାବେଳେ ଏଥିରୁ ପ୍ରଥମ ପର୍ଯ୍ୟାୟରେ ୩୩୫୭ଟି ଉତ୍ତେଜନା ପ୍ରବଣ ବୁଥ୍‌ ରହିଥିବା ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ କୁହାଯାଇଛି।

ପ୍ରଥମ ପର୍ଯ୍ୟାୟ ଭୋଟ୍‌ ପାଇଁ ସମସ୍ତ ପୋଲିଂ ପାର୍ଟି ମଙ୍ଗଳବାର ଅପରାହ୍ନ ସୁଦ୍ଧା ନିଜ ନିଜ ବୁଥ୍‌ରେ ପହଞ୍ଚିଯାଇଛନ୍ତି। ଚଳିତ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ୨୨୫ ପ୍ଲାଟୁନ୍ ଫୋର୍ସ ଏବଂ ୩୭୨୪୫ଜଣ ପୁଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ପ୍ରଥମ ପର୍ଯ୍ୟାୟ ଭୋଟ୍‌ରେ ମୋଟ୍‌ ୨୦୦ଟି ଜିଲ୍ଲା ପରିଷଦ ଆସନ ପାଇଁ ମତଦାନ ହେଉଥିବା ବେଳେ ୭୨୬ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏଥର ନିର୍ବାଚନରେ ସରପଞ୍ଚ ପଦବି ପାଇଁ ସବୁଠୁ ଅଧିକ ପ୍ରାର୍ଥୀ ମଇଦାନରେ ଅଛନ୍ତି।

ଆଜି ନିର୍ବାଚନରେ ମତଦାନ କରିବା ପାଇଁ ଭୋଟରଙ୍କ ନାମ ପଞ୍ଚାୟତ ପାଇଁ ପ୍ରସ୍ତୁତ ୱାର୍ଡୱାରୀ ଭୋଟର ତାଲିକାରେ ଥିବା ଦରକାର। ଭୋଟରମାନେ ନିର୍ବାଚନ କମିସନ, ଭାରତଙ୍କ ଦ୍ବାରା ପ୍ରଦତ୍ତ ଭୋଟ୍ ପରିଚୟପତ୍ର ଦେଖାଇ ଭୋଟ୍ ଦେଇପାରିବେ। ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ଉକ୍ତ ପରିଚୟପତ୍ର ନଥାଏ ସେ ରାଜ୍ୟ ନିର୍ବାଚନ କମିସନଙ୍କ ଦ୍ବାରା ଅନୁମୋଦିତ ଲାଭ କରିଥିବା ୧୩ଟି ଦସ୍ତାବିଜ ମଧ୍ୟରୁ ଯେକୌଣସି ଗୋଟିଏ ଦସ୍ତାବିଜ୍ ଦେଖାଇ ଭୋଟ୍‌ ଦେଇପାରିବେ। ଉକ୍ତ ପରିଚୟପତ୍ର ମଧ୍ୟ ପରିବାରର ଅନ୍ୟ ସଦସ୍ୟ ବ୍ୟବହାର କରିପାରିବେ। ମତଦାତା ପାନ କାର୍ଡ , ଆଧାର କାର୍ଡ, ପାସପୋର୍ଟ, ନରେଗା କାର୍ଡ, ରାସନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଆଦି ଦେଖାଇ ମତଦାନ କରିପାରିବେ।

ଚଳିତ ନିର୍ବାଚନ କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହେବ। ତେଣୁ ପ୍ରତ୍ୟେକ ମତଦାତା ଭୋଟ୍ ଦେବା ସମୟରେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବା ଦରକାର ବୋଲି ନିର୍ବାଚନ କମିସନର କହିଛନ୍ତି।

ସମ୍ବନ୍ଧିତ ଖବର