ପଞ୍ଚାୟତ ନିର୍ବାଚନ: ପୁଣି ଚର୍ଚ୍ଚାରେ ଛତିଶଗଡ଼ୀ ସ୍ରୋତ

ବରଗଡ଼: ଛତିଶଗଡ଼ ରାଜ୍ୟରେ ନିର୍ବାଚନ ହେଲେ ଏହାର ସିଧାସଳଖ ପ୍ରଭାବ ବରଗଡ଼ ଜିଲ୍ଲାରେ ପଡ଼ୁଥିବା ନଜିର ରହିଛି। ସମାନ ହିସାବରେ, ଏଠାକାର ନିର୍ବାଚନର ଉଷ୍ଣତା ପଡ଼ୋଶୀ ଛତିଶଗଡ଼ରେ ଅନୁଭୂତ ହୁଏ। ଛତିଶଗଡ଼ ବିଧାନସଭା ନିର୍ବାଚନ ବେଳେ ବରଗଡ଼ର ନେତାମାନେ ସେଠାକୁ ଯାଇ ପ୍ରଚାର ଦାୟିତ୍ବ ସମ୍ଭାଳିଥିଲେ। ବରଗଡ଼ ଜିଲ୍ଲାର ପଦ୍ମପୁର ନିର୍ବାଚନମଣ୍ଡଳୀର ଝାରବନ୍ଧ, ପାଇକମାଳ ଏବଂ ପଦ୍ମପୁର, ଭଟଲି ନିର୍ବାଚନମଣ୍ଡଳୀର ସୋହେଲା, ଭଟଲି ଏବଂ ଅମ୍ବାଭୋନା ‌ବ୍ଲକ୍‌ ଛତିଶଗଡ଼ ସୀମାକୁ ଲାଗିଛି।  ଗତ ପଞ୍ଚାୟତ ନିର୍ବାଚନ ବେଳେ ଛତିଶଗଡ଼ରେ ତତ୍କାଳୀନ ବିଜେପି ସରକାରଙ୍କ ତୁଙ୍ଗ ନେତାମ‌ାନେ ବରଗଡ଼ ଜିଲ୍ଲା ମୁହାଁଇଥିଲେ। ମାରାଥନ ପ୍ରଚାର କରିଥିଲେ। ନିର୍ବାଚନ ସରିବା ଯାଏ ଛତିଶଗଡ଼ ନେତା ଏଠି ଡେରା ଜମାଇଥିଲେ। ଗୋଟିଏ ହିସାବରେ ଏଠାରେ ବିଜେପି ସବୁ ବଳ ଖଟାଇଥିଲା।

ଫଳାଫଳ ମଧ୍ୟ ଦଳ ସପକ୍ଷରେ ଯାଇଥିଲା। ଏବେ ଛତିଶଗଡ଼ରେ କଂଗ୍ରେସ ହାତରେ କ୍ଷମତା ରହିଛି। ଗତ ସାଧାରଣ ନିର୍ବାଚନ ବେଳେ ଛତିଶଗଡ଼ରୁ କିଛି କଂଗ୍ରେସ ନେତା ବି ବରଗଡ଼ ଜିଲ୍ଲାର ସୀମାନ୍ତ ବ୍ଲକ୍‌ଗୁଡ଼ିକରେ ପ୍ରଚାର କରିଥିଲେ। ଆଗାମୀ ପଞ୍ଚାୟତ ନିର୍ବାଚନ ବେଳେ ମଧ୍ୟ ଉଭୟ ବିଜେପି ଏବଂ କଂଗ୍ରେସ ଏହି ଫର୍ମୁଲା ପ୍ରୟୋଗ କରିବା ସମ୍ଭାବନା ରହିଛି। କାରଣ ଉଭୟ ଦଳରେ ହାତଗଣତି ପ୍ରଭାବିତ କଲା ଭଳି ନେତା ଅଛନ୍ତି। ଅନ୍ୟପକ୍ଷରେ ବିଜେଡି ପୂର୍ବାପେକ୍ଷା ଭଲ ସ୍ଥିତିରେ ରହିଛି। ଗତ ସାଧାରଣ ନିର୍ବାଚନ ବେଳେ ଦଳ ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜୟୀ ହୋଇଥିଲା।

ତେଣୁ ଦଳ‌ର ନେତୃବୃନ୍ଦ ତ୍ରୁଣମୂଳରେ  ଉପସ୍ଥିତ ରହିବା ସହଜ ହେବ। ଗତ ସାଧାରଣ ନିର୍ବାଚନ ବେଳେ ବିଜେପୁର ଆସନରୁ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢ଼ିଥିଲେ। ଛତିଶଗଡ଼ର ବିଜେପି ଏବଂ କଂଗ୍ରେସ ନେତାଙ୍କୁ ବି‌ଜେପୁର ପର୍ଯ୍ୟନ୍ତ ପ୍ରଚାର ସଂପ୍ରସାରଣ କରିବାକୁ ଗୁରୁଦାୟିତ୍ବ ଦିଆଯାଇଥିଲା। କିନ୍ତୁ ଏହାକୁ ସଫଳତାର ସହ ବିଜେଡି ରୋକିବାରେ ସଫଳ ହୋଇଥିଲା। ଆଗକୁ ଯଦି ପୁଣି ବିଜେପି ଏବଂ କଂଗ୍ରେସ ଏହି ରଣନୀତି ଗ୍ରହଣ କରନ୍ତି, ବିଜେଡି ପୁରୁଣା କୌଶଳରେ ଏହାକୁ ଚେକ୍‌ମେଟ୍‌ ଦେବାକୁ ପ୍ରସ୍ତୁତି ଚଳାଉଥିବା ଶୁଣିବାକୁ ମିଳୁଛି। ଜିଲ୍ଲାର ପଞ୍ଚାୟତ ଏବଂ ଜିଲ୍ଲା ପରିଷଦ ନିର୍ବାଚନର ଇତିହାସ ଦେଖିଲେ, ଏଠାରେ କୌଣସି ମୁହୂର୍ତ୍ତରେ ବି ରାଜନୀତି ପାଣିପାଗ କଡ଼ ଲେଉଟାଏ। ତେଣୁ ପୁରୁଣା ରେକର୍ଡ ଦେଖି କୌଣସି ଦଳ ଏହାକୁ ହାଲୁକା ଭାବେ ଗ୍ରହଣ କରୁନାହାନ୍ତି।

ସମ୍ବନ୍ଧିତ ଖବର