କାକଟପୁର : ସରକାରୀ ଯୋଜନାରେ ତାଲିକାଭୁକ୍ତ କରିବା ପାଇଁ ଲାଞ୍ଚ! ଏହିଭଳି ଏକ ଘଟଣାରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ। ସେ ହେଉଛନ୍ତି ପ୍ରତାପ ସାମଲ, ଯିଏକି ପୁରୀ ଜିଲ୍ଲା କାକଟପୁର ବ୍ଲକ୍ ଅନ୍ତର୍ଗତ ପାଟସୁନ୍ଦରପୁର ପଞ୍ଚାୟତରେ କାର୍ଯ୍ୟରତ ଅଛନ୍ତି। ଅସାଧୁ ସରକାରୀ କର୍ମଚାରୀଙ୍କ ପାଇଁ କିଭଳି ସରକାରୀ ଯୋଜନାର ଲକ୍ଷ୍ୟ ପୂରଣ ହୋଇପାରୁନାହିଁ, ଏହି ଘଟଣା ତାହାର ଆଉ ଏକ ନମୁନା।
ନିର୍ବାହୀ ଅଧିକାରୀ ଶ୍ରୀସାମଲ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଲିକାଭୁକ୍ତ କରିବା ପାଇଁ ମୁତୁଣିଆ ଗ୍ରାମର କ୍ଷୀରୋଦ କୁମାର ଦଳାଇଙ୍କଠାରୁ ସ୍ଥାନୀୟ ଏକ ହୋଟେଲ ନିକଟରେ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ପୂର୍ବରୁ ଜାଲ ବିଛାଇଥିବା ଭିଜିଲାନ୍ସ ଅଧିକାରୀମାନେ ପ୍ରତାପଙ୍କୁ କାବୁ କରି ନେଇଥିଲେ। ଭୁବନେଶ୍ବର ଏବଂ ପୁରୀର ୧୦ରୁ ଅଧିକ ଭିଜିଲାନ୍ସ ଅଧିକାରୀ ଏଥିରେ ସାମିଲ୍ ହୋଇଥିଲେ। ଅପରାହ୍ନ ୧ଟା ସମୟରେ ଶ୍ରୀ ସାମଲଙ୍କୁ କାକଟପୁର ବ୍ଲକ୍ କାର୍ଯ୍ୟାଳୟକୁ ଆଣି ଘଟଣା ସଂପର୍କରେ ପଚରାଉଚରା କରିଥିଲେ।
ସୂଚନା ଅନୁସାରେ, ଭଜିଲାନ୍ସ ଅଧିକାରୀମାନେ ବ୍ଲକ୍ର ସମସ୍ତ ୧୬ଟି ପଞ୍ଚାୟତର ପ୍ରଧାନମନ୍ତ୍ରୀ ଆବାସ ତାଲିକାକୁ ଜବତ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଦାୟିତ୍ବରେ ଥିବା ବ୍ଲକ୍ କାର୍ଯ୍ୟାଳୟର କିରାଣି ମନୋଜ କୁମାର ପରିଡ଼ାଙ୍କୁ ମଧ୍ୟ ଭିଜିଲାନ୍ସ ଅଧିକାରୀମାନେ ସାଥିରେ ନେଇଥିଲେ।