ତିର୍ତ୍ତୋଲ ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି: ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଲମ୍ବିତ

ଜଗତସିଂହପୁର : ଜଗତ୍‌ସିଂହପୁର ତିର୍ତୋଲ ବ୍ଲକ୍ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବାବେଳେ ସମିତି ସଭ୍ୟ ଓ ପିଇଓଙ୍କ ବିରୋଧରେ ଏତଲା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଗତ ଫେବୃଆରୀ ୧୮ ତାରିଖରେ ତିର୍ତୋଲ ବ୍ଲକ୍‌ ଆବାସ ଯୋଜନାର ବ୍ୟାପକ କେଳେଙ୍କାରୀକୁ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ୨୬୮ ହିତାଧିକାରୀଙ୍କ ମଧ୍ୟରୁ ୧୫୭ ଜଣଙ୍କର କୋଠା ଓ ୧୪ ଜଣ ଇନ୍ଦିରା ଆବାସ ହାତେଇଥିବା ନେଇ ଅଭିଯୋଗ ହୋଇଥିଲା। ଦୁର୍ନୀତିର ପ୍ରମାଣ ମିଳିବା ପରେ ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଗୃହ ନିର୍ମାଣ (ଡିଆର୍‌ଡିଏ) ବିଭାଗର ଉପସଚିବ ବିସନପୁର ସମିତି ସଭ୍ୟ ଅମୂଲ୍ୟ ମହାପାତ୍ର ଓ ପୂର୍ବତନ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ତପୁ ମହାପାତ୍ରଙ୍କ ବିରୋଧରେ ଥାନାରେ ଏତଲା ଦେବା ସହ ସଂପୃକ୍ତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବନ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ, ଜାଲ୍‌ ହିତାଧିକାରୀଙ୍କୁ ଯୋଗ୍ୟ ଥିବା ଦର୍ଶାଇ ସେମାନଙ୍କ ଘରକୁ ଜିଓ ଟ୍ୟାଗ୍ କରିଥିବା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି।

ସମ୍ବନ୍ଧିତ ଖବର