ପାଣି ପାଇଁ ପଞ୍ଚାୟତରେ ତାଲା, ୪ ଘଣ୍ଟା ପରେ ପିଇଓ, ସରପଞ୍ଚ, ୱାର୍ଡସଭ୍ୟ ଉଦ୍ଧାର

ତେଲକୋଇ: ପାନୀୟଜଳ ଯୋଗାଣ ପାଇଁ ଆଜି ତେଲକୋଇ ବ୍ଲକ୍‌ ଆକୁଳ ପଞ୍ଚାୟତ କାର୍ଯ୍ୟାଳୟରେ ମହିଳାମାନେ ତାଲା ପକାଇ ଦେଇଛନ୍ତି। ସକାଳ ପ୍ରାୟ ୧୧ଟାରୁ ମହିଳାମାନେ କାର୍ଯ୍ୟାଳୟରେ ତାଲା ପକାଇବାରୁ ସରପଞ୍ଚ, ପିଇଓ ଏବଂ ଓ୍ବାର୍ଡମେମ୍ବର ଭିତରେ ଅଟକ ରହିଥିଲେ। ୪ ଘଣ୍ଟା ପ‌ରେ ପୁଲିସ ସେଠାରେ ପହଞ୍ଚି କାର୍ଯ୍ୟାଳୟରୁ ତାଲା ଖୋଲି ସମସ୍ତଙ୍କୁ ବାହାର କରିଥିଲେ।

ଆକୁଳ ଗ୍ରାମର ଖଜୁରିଆସାହି, ପଧାନସାହି ଓ ମାହାରିଆସାହିର ଲୋକେ ପାଣି ପାଇଁ ବର୍ଷତମାମ ହଇରାଣ ହେଉଛନ୍ତି। ସରକାରଙ୍କ ପକ୍ଷରୁ ପାନୀୟଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲେ ମଧ୍ୟ  ସମସ୍ତ ସାହିରେ ପ‌ାଣି ପହଞ୍ଚିପାରୁ ନାହିଁ। ଏନେଇ ଗ୍ରାମବାସୀ ପୂର୍ବରୁ ବହୁବାର ପଞ୍ଚାୟତ ଓ ବ୍ଲକ୍‌ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଏହାର କୌଣସି ସ୍ଥାୟୀ ସମାଧାନ କରାଯାଉ ନାହିଁ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ଆଜି ପଞ୍ଚାୟତର ମାସିକ ବୈଠକ ଥିଲା। ଖବର ପାଇ ଆକୁଳ ଗ୍ରାମର ଶତାଧିକ ମହିଳା ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ଫାଟକରେ ତାଲା ପକାଇ ଦେଇଥିଲେ। ସମସ୍ୟା ସମାଧାନ ନ ହେବା ପର୍ଯ୍ୟନ୍ତ ତାଲା ଖୋଲିବୁ ନାହିଁ ବୋଲି କହିଥିଲେ। ଫଳରେ ଦୀର୍ଘ ୪ ଘଣ୍ଟା କାଳ ସମସ୍ତେ ଅଟକ ରହିଥିଲେ। ଅପରାହ୍‌ଣ ୩ଟାବେଳେ ପୁଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା।

ଏନେଇ ସରପଞ୍ଚ କୁଳମଣି ଫୁଦକାର କହିଛନ୍ତି ପଞ୍ଚାୟତରେ ୨୦ଟି ଷ୍ଟାଣ୍ଡପୋଷ୍ଟ ନିର୍ମାଣ କରାଯାଇଛି। କେତେକ ଲୋକ ମନଇଚ୍ଛା ପାଇପ୍‌ଲାଇନ୍ କାଟି ନିଜ ଘରକୁ ପାଣି ଲାଇନ୍ ସଂଯୋଗ କରିଛନ୍ତି। ଫଳରେ ଏଭଳି ସମସ୍ୟା ହେଉଛି। ସେଗୁଡ଼ିକ ବନ୍ଦ କରାଯିବା ସହିତ ସମସ୍ତ ଲୋକଙ୍କୁ ପାଣି ଯୋଗାଇଦେବାକୁ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ସେହିଭଳି ଓ୍ବାର୍ଡମେମ୍ବରଙ୍କୁ ସରକାରୀ ଯୋଜନା ସମ୍ପର୍କରେ ସୂଚନା ଦିଆଯାଉ ନଥିବା ନେଇ ପିଇଓ ରମେଶ ମହାନ୍ତଙ୍କୁ ପଚାରିବାରୁ, ପଞ୍ଚାୟତରେ ଲାଇଟ୍ ନ ଲାଗିବା ନେଇ ଓ୍ବାର୍ଡମେମ୍ବରମାନେ ଅଭିଯୋଗ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଆସିଥିବା ଲାଇଟ୍ ବାଲେଶ୍ଵର ଗ୍ରାମରେ ଲାଗିଛି। ପରେ ଅନ୍ୟ ଗାଁ ଗୁଡ଼ିକରେ ଲାଗିବ। ସରକାରୀ ଚିଠିପତ୍ର ସମ୍ପର୍କରେ ସମସ୍ତଙ୍କୁ ସୂଚନା ଦିଆଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର