ଠାକୁରମୁଣ୍ଡା: ପଞ୍ଚଭୂତରେ ସାମ୍ୟତା ଆଣିବାକୁ ପଡ଼ିବ। ଜନସଂଖ୍ୟା ବୃଦ୍ଧିର ଚାପ, ଜଙ୍ଗଲ କ୍ଷୟ, ତାପମାତ୍ରା ବୃଦ୍ଧି, ଜଳସ୍ତର ହ୍ରାସ, ମାଟିର ଉର୍ବରତା ନଷ୍ଟ ଭଳି ସମସ୍ୟାକୁ ମୁକାବିଲା କରିବା ପାଇଁ ପ୍ରତି ଗାଁ’ର ଲୋକମାନେ ଏକାଠି ହୋଇ କାମ ଆରମ୍ଭ କରିବାକୁ ହେବ। ପଞ୍ଚାୟତ ସବୁକୁ ମଡେଲ୍ ଭାବେ ପ୍ରସ୍ତୁତ କରିବାକୁ ପଡ଼ିବ। ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ପରିବେଶ ପଞ୍ଚାୟତ’ରେ ଯୋଗ ଦେଇ କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ ସମସ୍ତଙ୍କୁ ଏହି ଆହ୍ବାନ ଦେଇଛନ୍ତି।
କରଞ୍ଜିଆ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଠାକୁରମୁଣ୍ଡା ବ୍ଲକ୍ ସଭାଗୃହରେ ଆୟୋଜିତ ପଞ୍ଚାୟତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ଶ୍ରୀ ହାଇବୁରୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସେ ଆହୁରି କହିଥିଲେ, ଜଳବାୟୁ ପରିବର୍ତ୍ତନ ବିଶ୍ୱବ୍ୟାପୀ ଏକ ସମସ୍ୟା ଭାବେ ଉଭା ହୋଇଛି। ଆମ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବଂ ତାର ନିରାକରଣ କିଭଳି ହେବ, ସେ ସମ୍ପର୍କରେ ଚିନ୍ତା କରିବାର ଆବଶ୍ୟକତା ରହିଛି। ଏଥିପାଇଁ ପଞ୍ଚାୟତସବୁକୁ ମଡେଲ ଭାବେ ପ୍ରସ୍ତୁତ କରିବାକୁ ଯୋଜନା ହେବ ବୋଲି ସେ କହିଥିଲେ। ଏଥିସହିତ ‘ସମ୍ବାଦ ଗ୍ରୁପ୍’ର ଏଭଳି ପ୍ରୟାସ ପାଇଁ ସାଧୁବାଦ ଜଣାଇଥିଲେ।
ଅନ୍ୟତମ ଅତିଥି ଭାବେ ଠାକୁରମୁଣ୍ଡା ବ୍ଲକ୍ ଅଧ୍ୟକ୍ଷା ସରୋଜିନୀ ମୁଣ୍ଡା, ବିଡିଓ ସ୍ୱପ୍ନେଶ୍ୱର ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ମହାନ୍ତ, ଅବସରପ୍ରାପ୍ତ ବିଇଓ ତଥା କବିରାଜ ଗିରୀଶ ମହାନ୍ତ ପ୍ରମୁଖ ଯୋଗ ଦେଇ ବର୍ଷାଜଳ ସଂରକ୍ଷଣ, ଗଛ ଲଗାଇ ତାର ରକ୍ଷଣାବେକ୍ଷଣ, ମୃତ୍ତିକା ସଂରକ୍ଷଣ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ଆଲୋଚନାରେ ସରପଞ୍ଚ, ସମିତିସଭ୍ୟ, ବୁଦ୍ଧିଜୀବୀ, ସମାଜସେବୀ, ଏନ୍ଜିଓ ପ୍ରତିନିଧି, ଏସ୍ଏଚ୍ଜି ସଦସ୍ୟା, ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ଜଳବାୟୁ ପରିବର୍ତ୍ତନଜନିତ ସମସ୍ୟା ଓ ସମାଧାନର ପନ୍ଥା ଉପରେ ମତ ରଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/fshshfhsfft.jpg)