ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ପଞ୍ଚାୟତ, ପୌର ନିର୍ବାଚନ ଉଷ୍ମତା : ରେସ୍ ଆରମ୍ଭ, ୩ ଦଳର ଅନ୍ତରୀଣ ଶିବିର ଚଳଚଞ୍ଚଳ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ରାଜନୈତିକ ଉଷ୍ମତା। ଅଢ଼େଇ ବର୍ଷ ହେଲା ଏନ୍‌ଏସିର କାଉନସିଲ୍ କାର୍ଯ୍ୟକାଳ ଶେଷ ହୋଇଯାଇଛି। ଏଭଳି ପରିସ୍ଥିତିରେ ପୌର ନିର୍ବାଚନର ତାରିଖ କେଉଁ ସମୟରେ ବି ଘୋଷଣା ହୋଇପାରେ। ସେପଟେ ଆସନ୍ତାବର୍ଷକୁ ରହିଛି ପଞ୍ଚାୟତ ନିର୍ବାଚନ। ଫଳରେ ନିର୍ବାଚନମଣ୍ଡଳୀର ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପିର ଅନ୍ତରୀଣ ଶିବିର ଏବେଠୁ ଚଳଚଞ୍ଚଳ ହୋଇ ଉଠିଲାଣି। କାରଣ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଦୁଇ ନିର୍ବାଚନ ଦଳ ମାନଙ୍କ ପାଇଁ ସେମିଫାଇାନାଲ୍ ସଦୃଶ। ତେବେ ଭଞ୍ଜନଗର ନିର୍ବାଚନମଣ୍ଡଳୀ‌ରେ ସାଧାରଣ ନିର୍ବାଚନ ପରଠୁ କୌଣସି ରାଜନୈତିକ ଦଳର ସେମିତି ଆଖିଦୃଶିଆ ବଡ଼ଧରଣର କାର୍ଯ୍ୟକ୍ରମ ହୋଇନି। କିନ୍ତୁ ଦଳୀୟ ନେତୃବୃନ୍ଦ କର୍ମୀଙ୍କୁ ଏକଜୁଟ୍ କରି ଭୋଟରଙ୍କ ନିକଟତର ହେବାକୁ ବିଭିନ୍ନ କୌଶଳ ଆପଣାଇବା ଆରମ୍ଭ କରିଛିନ୍ତି। ସବୁଠୁ ବଡ଼ କଥା ହେଲା, ଅସନ୍ତୁଷ୍ଟ ମାନଙ୍କୁ ମନାଇବା ପ‌ାଇଁ ନେତା ମାନେ ବାରମ୍ବାର ବିଭିନ୍ନ ପଞ୍ଚାୟତକୁ ଗସ୍ତ କରୁଥିବା ବେଳେ ଏବେଠାରୁ କିଛି ପଞ୍ଚାୟତ ପାଇଁ ନେତା ଚୟନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଥିବା ଜଣାପଡ଼ିଛି।

ରାଜ୍ୟ ରାଜନୀତିରେ ଭଞ୍ଜନଗର ନିର୍ବାଚନମଣ୍ଡଳୀ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଅଧିକାର କରିଛି। ଏଠାରୁ ବହୁନେତା ରାଜ୍ୟ ରାଜନୀତିରେ ନେତୃତ୍ବ ନେଇଛନ୍ତି। ଦିନ ଥିଲା, ଏହି ନିର୍ବାଚନମଣ୍ଡଳୀ କଂଗ୍ରେସର ଗଡ଼ ଭାବେ ପରିଚିତ ଥିଲା। ହେଲେ ଗତ ୨୦ ବର୍ଷରୁ ଅଧିକ ସମୟ ହେଲା ବିଜେଡି ଏଠାରେ ଦବ୍‌ଦବା ବଜାୟ ରଖିଛି। ଲଗାତାର ବିଜେଡି ଏହି ଆସନରୁ ସଫଳତା ହାତେଇଆସୁଛି। ଏହାକୁ ଚେକ୍ ଦେବାକୁ ବିରୋଧୀ ନାନା ରଣକୌଶଳ ପ୍ରସ୍ତୁତ ‌କରିଥିଲେ ବି ଦ୍ବିତୀୟ ଓ ତୃତୀୟ ସ୍ଥାନରେ ସେମାନଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ିଛି।୧୯୯୫ରେ ଜନତା ଦଳରୁ ମନ୍ତ୍ରୀ ବିକ୍ରମ ଆରୁଖ ବିଜୟ ଧାରା ଆରମ୍ଭ କରିଥିବା ବେଳେ ତାହା ଆଜିଯାଏ ଅବ୍ୟାହତ ରହିଛି। ପୂର୍ବରୁ ଭଞ୍ଜନଗର ଓ ବେଲଗୁଣ୍ଠାକୁ ନେଇ ଏହି ନିର୍ବାଚନମଣ୍ଡଳୀ ଗଠିତ ହୋଇଥିଲା। କିନ୍ତୁ ୨୦୦୯ରେ ସୀମା ପୁନଃ ନିର୍ଦ୍ଧାରଣ ପରେ ଭଞ୍ଜନଗର ଏନ୍‌ଏସି, ବ୍ଲକ୍ ଏବଂ ଜଗନ୍ନାଥପ୍ରସାଦ ବ୍ଲକକୁ ନେଇ ଭଞ୍ଜନଗର ନିର୍ବାଚନମଣ୍ଡଳୀ ଗଠିତ ହୋଇଛି। ଉଭୟ ବ୍ଲକରେ ବିଜେଡି ତାର ଦବଦବା ବଜାୟ ରଖିଛି। ଆଗାମୀ ୨ ନିର୍ବାଚନକୁ ଆଖି ଆଗରେ ରଖି ଶାସକଦଳ ରଣକୌଶଳ ପ୍ରସ୍ତୁତ ଆରମ୍ଭ କରିଛି। ନେତା ଓ କର୍ମୀ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନାକୁ ଏଜେଣ୍ଡା ଭାବେ ଗ୍ରହଣ କରି ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ କରୁଛନ୍ତି।

ପଞ୍ଚାୟତ ନିର୍ବାଚନ ପାଇଁ ଖସଡ଼ା ପ୍ରସ୍ତୁତ କରାଯାଉଥିବା ବେଳେ କିଛି ଅସନ୍ତୁଷ୍ଟଙ୍କ ଘରବାହୁଡ଼ା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଆନୁଷ୍ଠାନିକ ଭାବେ‌ ଦଳୀୟ ନେତା ଓ କର୍ମୀ ମାନେ ବାହାରେ କିଛି ପ୍ରକାଶ କରୁନଥିବା ବେଳେ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋର୍ ଧରିଥିବା ଶୁଣିବାକୁ ମିଳିଛି। ଅନ୍ୟପକ୍ଷରେ ପୂର୍ବ ନିର୍ବାଚନ ଗୁଡ଼ିକରେ ବ‌ିଜେଡି ପରେ ଦ୍ବିତୀୟ ସ୍ଥାନରେ କଂଗ୍ରେସ ରହୁଥିଲା। ଗତ ୨୦୧୯ ସାଧାରଣ ନିର୍ବାଚନପରଠାରୁ ସମୀକରଣ ବଦଳିଛି। ଆଉ ବିଜେପି ଦ୍ବିତୀୟ ସ୍ଥାନକୁ ଉଠିଛି। ୨୦୧୯ ନିର୍ବାଚନରେ ଦଳର ଭୋଟହାର ବଢ଼ିଥିଲା। ଏହାକୁ ପାଥେୟ କରି ନେତା ଓ କର୍ମୀ ମାନେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଦଳର ସାଂଗଠନିକ ସ୍ଥିତିକୁ ସୁଦୃଢ଼ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଗ୍ରାମାଞ୍ଚଳର ବିଭିନ୍ନ ପ୍ରସଙ୍ଗକୁ ନେଇ କର୍ମୀ ଲୋକଙ୍କ ସହ ଆଲୋଚନା କରିବା ସାଙ୍ଗକୁ ସାଂଗଠନିକ ବୈଠକ ବି ଡାକୁଛନ୍ତି। ଆଉ ମିସନ୍‌-୨୦୨୨ ପାଇଁ ରଣକୌଶଳ ପ୍ରସ୍ତୁତ କରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ତା’ର ପୂର୍ବ ଅବସ୍ଥାକୁ ଫେରିବା ପାଇଁ ଉଦ୍ୟମ ଚଳାଇଛି। ବି‌ଶେଷକରି ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଜିଲ୍ଲା ସଭାପତି ଦାୟିତ୍ବ ନେବା ପରେ ଦଳୀୟ ଶିବିରରେ ନୂଆ ଉତ୍ସାହ ଦେଖାଦେଇଛି। ଯୁବଗୋଷ୍ଠୀଙ୍କ ମନ‌ରେ ନୂଆ ଆଶା ଦେଖାଦେଇଛି। ତେବେ ପୁରୁଣା ନେତା ମାନେ ଦଳ ପକ୍ଷରୁ ଅଣଦେଖା ହେଉଥିବା ଅଭିଯୋଗ ଆଣି ବିଭିନ୍ନ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରୁଛନ୍ତି। ଏଭଳି ସ୍ଥିତିରେ ଦଳ ଆଗକୁ ଦୁଇ ନିର୍ବାଚନର କେମିତି ସାମ୍ନା କରୁଛି ତାହା ଦେଖିବାକୁ ବାକି ରହିଛି।

ସମ୍ବନ୍ଧିତ ଖବର