ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣକୁ ବିରୋଧ: ଜିଲ୍ଲାପାଳଙ୍କ ଗାଡ଼ି ଭାଙ୍ଗିଦେଲେ

କୁଳିଅଣା: ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ୍‌ ଅଧୀନ ଭଗବାନପୁର ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣକୁ ବିରୋଧ କରି ରାସ୍ତାରୋକ ହୋଇଥିବା ବେଳେ ଜିଲ୍ଲାପାଳଙ୍କ ଗାଡ଼ି ଉପରେ ଆକ୍ରମଣ କରାଯାଇଛି। ତେବେ ଆକ୍ରମଣରେ ଜିଲ୍ଲାପାଳଙ୍କର କିଛି କ୍ଷତି ହୋଇନାହିଁ। ଅନ୍ୟପଟେ ଆକ୍ରମଣକାରୀଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଏସ୍‌ପି ଋଷିକେଶ ଦ୍ୟାନଦେଓ ଖିଲାରି।

ସୂଚନା ଅନୁଯାୟୀ; ଭଗବାନପୁର ପଞ୍ଚାୟତ କାର୍ଯ୍ୟାଳୟର ନୂତନ ଘର ବଡ଼ନୂଆଁଗାଁ ଦୋଳ ମଣ୍ତପ ନିକଟରେ ନିର୍ମାଣ ପାଇଁ ପ୍ରଶାସନ ସ୍ଥିର କରିଥିଲା। ତେବେ ଏହି ପଞ୍ଚାୟତର ୬ଟି ୱାର୍ଡର ଲୋକେ ଏହାକୁ ବିରୋଧ କରି ଆସୁଥିଲେ। ଗତ ୧୯ ତାରିଖ ଦିନ ୬ ଜଣ ୱାର୍ଡ ସଭ୍ୟ ଓ ଗ୍ରାମବାସୀ ଏନେଇ ସରପଞ୍ଚ ମମତା ନାଏକଙ୍କୁ ଭେଟିବା ସହ ବିବାଦର ସମାଧାନ ନ ହେବା ପର୍ଯ୍ୟନ୍ତ ଗୃହ ନିର୍ମାଣ କାର୍ଯ୍ୟକୁ ସ୍ଥଗିତ ରଖିବାକୁ କହିଥିଲେ। ଏହାସତ୍ତ୍ବେ ଆଜି ନିର୍ମାଣ କାର୍ଯ୍ୟ ଚାଲିବାରୁ ଏହାର ପ୍ରତିବାଦରେ ଶହଶହ ଲୋକ ନିର୍ମାଣସ୍ଥଳୀ‌ରେ ପହଞ୍ଚି ଭଙ୍ଗାରୁଜା ଆରମ୍ଭ କରିଥିଲେ। ଗୃହ ନିର୍ମାଣର ସପକ୍ଷବାଦୀ ଏହାର ବିରୋଧ କରିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଆପରାହ୍ନ ପ୍ରାୟ ୩ଟା ସମୟରେ ୧୮ ନମ୍ବର ଜାତୀୟ ରାଜପଥର ସୌରୀ ଛକଠାରେ ରାସ୍ତା ଅବରୋଧ କରିଥିଲେ ବିରୋଧୀ ଗୋଷ୍ଠୀ।

ତଥାପି କୌଣସି ପ୍ରାଶାସନିକ ଅଧିକାରୀ ଘଟଣାସ୍ଥଳକୁ ଯାଇ ନ ଥିଲେ। ଏହାକୁ ନେଇ ଲୋକେ ଅଧିକ ପ୍ରତିକ୍ରିୟାଶୀଳ ହୋଇ ପଡ଼ିଥିଲେ। ଏହି ସମୟରେ କୌଣସି କାର୍ଯ୍ୟରେ ସେହି ରାସ୍ତା ଦେଇ ଯାଉଥିବା ଜିଲ୍ଲାପାଳ ବିନୀତ ଭରଦ୍ବାଜଙ୍କ ଗାଡ଼ିକୁ ଲୋକେ ଅଟକାଇଥିଲେ। ଜିଲ୍ଲାପାଳଙ୍କ ସହ ତାଙ୍କ ପତ୍ନୀ ବି ଉକ୍ତ ଗାଡ଼ିରେ ଥିବା କୁହାଯାଉଛି। ରାସ୍ତାରୋକ ଓ ଲୋକଙ୍କ ହୋ ହଲ୍ଲା ଦେଖି ଜିଲ୍ଲାପାଳଙ୍କ ସୁରକ୍ଷାକର୍ମୀ ଗାଡ଼ିରୁ ଓହ୍ଲାଇ ଭିଡ଼ ହଟାଇବାକୁ ପ୍ରୟାସ କରିବା ବେଳେ ଉତ୍ତ୍ୟକ୍ତ ଲୋକ ଜିଲ୍ଲାପାଳଙ୍କ ଗାଡ଼ି ଉପରକୁ ଢେଲାମାଡ଼ କରିଥିଲେ। ଜିଲ୍ଲାପାଳ ଗାଡ଼ିରୁ ଓହ୍ଲାଇ ଲୋକଙ୍କୁ ବୁଝାସୁଝା କରିଥିଲେ। ଖବର ପାଇ ଏସ୍‌ପି ଶ୍ରୀ ଖିଲାରି ୧ ପ୍ଲାଟୁନ ଫୋର୍ସ ସହ ପହଞ୍ଚି ବିକ୍ଷୋଭକାରୀଙ୍କୁ ରାସ୍ତାରୁ ହଟାଇବା ପରେ ଜିଲ୍ଲାପାଳ ଗନ୍ତବ୍ୟସ୍ଥଳକୁ ଯାଇଥିଲେ। ପରେ ପରେ କୁଳିଅଣା ବିଡିଓ ଦେବାଶିଷ ମହାପାତ୍ର ପହଞ୍ଚି ଗୃହ ନିର୍ମାଣର ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କୁ ଡାକି ବୁଝାସୁଝା କରିବା ସହ ଆସନ୍ତା ୨୬ ତାରିଖ ଦିନ କୁଳିଅଣା ଥାନାରେ ଉଭୟ ପକ୍ଷଙ୍କ ଉପସ୍ଥିତିରେ ଏହାର ସମାଧାନ କରାଯିବ ବୋଲି କହିଥିଲେ। ଫଳରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ତେବେ ଘଟଣାସ୍ଥଳରେ ଏବେ ବି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ଏବଂ ପୁଲିସ ଫୋର୍ସ ମୁତୟନ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର