ବିଧାନସଭା ଘେରିଲା ଓଡ଼ିଶା ତ୍ରିସ୍ତରୀୟ ପଞ୍ଚାୟତ ପରିଷଦ

ଭୁବନେଶ୍ୱର : ୮ ଦଫା ଦାବି ନେଇ ଆଜି ଓଡ଼ିଶା ତ୍ରିସ୍ତରୀୟ ପଞ୍ଚାୟତ ପରିଷଦ ସରପଞ୍ଚ ମହାସଂଘ ପକ୍ଷରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମହାସଂଘ ସଭାନେତ୍ରୀ ପୁଷ୍ପା ନାଏକଙ୍କ ନେତୃତ୍ୱରେ ଏକ ପଟୁଆର ରେଳ ଷ୍ଟେସନରୁ ବାହାରି ବିଧାନସଭା ସମ୍ମୁଖରେ ପହଞ୍ଚିଥିଲା। ମହାସଂଘର ଦାବି ମଧ୍ୟରେ ରହିଛି, ସରପଞ୍ଚମାନଙ୍କ ବିରୋଧରେ ଓ୍ଵାର୍ଡସଭ୍ୟମାନେ ଆଣୁଥିବା ଅନାସ୍ଥା ପ୍ରସ୍ତାବକୁ ଯଥାଶୀଘ୍ର ଉଚ୍ଛେଦ କରାଯାଉ। ସରପଞ୍ଚମାନଙ୍କ ମାସିକ ଭତ୍ତା ୧୮୮୦ ଟଙ୍କା ମିଳୁଥିବା ବେଳେ ଏହାକୁ ୧୦ହଜାର ଟଙ୍କାକୁ ବୃଦ୍ଧି କରାଯାଉ। ପୂର୍ବତନ ସରପଞ୍ଚମାନଙ୍କୁ ଅବସରକାଳୀନ ୨ହଜାର ଟଙ୍କା ଭତ୍ତା ପ୍ରଦାନ, ହାତପାଣ୍ଠି ଯୋଗାଇଦେବା, ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଅନୁସାରେ ୨୯ଟି ବିଭାଗକୁ ପଞ୍ଚାୟତକୁ ହସ୍ତାନ୍ତର କରାଯାଉ। ପ୍ରତ୍ୟେକ ସରପଞ୍ଚଙ୍କୁ ସ୍ୱାସ୍ଥ୍ୟ ବୀମା ଓ ପରିଚୟପତ୍ର ପ୍ରଦାନ କରିବାକୁ ମହାସଂଘ ପକ୍ଷରୁ ଦାବି ହୋଇଛି। ବିକ୍ଷୋଭରେ ମହାସଂଘ ଆବାହକ ଦିଗମ୍ବର ଜେନା, ଅଖିଳ ଚନ୍ଦ୍ର ନାଏକ, ପଙ୍କଜ ସାହୁ, ପ୍ରକାଶ ଚନ୍ଦ୍ର ଧଳ, ଶେଷଦେବ ପ୍ରଧାନ, ଭଗବାନ ମୁଦୁଲି, ଜୋହନ ଦଳବେହେରା, ସୂର୍ଯ୍ୟ ରନ୍ଧାରି, ନାରାୟଣ ପ୍ରଧାନ, ଭଗବାନ କହଁର ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର