ରାଜ୍ୟବ୍ୟାପୀ ଆରମ୍ଭ ହେଲା ପଞ୍ଚାୟତ ନିର୍ବାଚନ, ସମ୍ବେଦନଶୀଳ ବୁଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ-୨୦୨୨ ପାଇଁ ଆଜି ମତଦାନ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୧୬୬୯ଟି ଗ୍ରାମପଞ୍ଚାୟତର ୬୭ଲକ୍ଷ ୫୧ହଜାର ମତଦାତା ୨୨୩୭୯ଟି ବୁଥ୍‌ରେ ଲୋକେ ସେମାନଙ୍କ ଅଞ୍ଚଳର ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ଏବଂ ୨୦୦ଟି ଜିଲ୍ଲା ପରିଷଦ ସଭ୍ୟଙ୍କୁ ବାଛିବେ। ପୂର୍ବାହ୍ନ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ନ ୧ଟା ଯାଏଁ ଜାରି ରହିବ। ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି ହୋଇଛି, ପୁଲିସ ନଜର ରଖିଛି। ଶାନ୍ତିଶୃଙ୍ଖଳା ପାଇଁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ସହ କୋଭିଡ-୧୯ କଟକଣାକୁ ପାଳନ କରାଯାଉଛି। ମତଦାନ ପାଇଁ ବୁଥ ଗୁଡ଼ିକରେ ମତଦାତାଙ୍କ ଆଗମନ ଆରମ୍ଭ ହୋଇଛି। ପ୍ରତ୍ୟେକ ମତଦାତା ଯେପରି ଶୃଙ୍ଖଳିତ ଭାବେ ଭୋଟ ଦେଇପାରିବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି।

ସମ୍ବଲପୁର ଜିଲ୍ଲା ଯୁଯୁମରାର ଭବାନୀପାଲି ମତଦାନ କେନ୍ଦ୍ରରେ ଭୋଟିଂ

ମତଦାନ ନେଇ ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢୀ ଏକ ସାମ୍ବାଦିକ ସମ୍ମିଳନୀରେ ମଙ୍ଗଳବାର ସୂଚନା ଦେଇ କହିଥିଲେ ଯେ, ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କୁ ବୁଷ୍ଟର ଡୋଜ୍‌ ଟିକା ଦିଆଯାଇଛି। ଏଥର ପଞ୍ଚାୟତ ନିର୍ବାଚନରେ ୬୭୯୪ ଗ୍ରାମପଞ୍ଚାୟତର ୯୧,୯୧୩ ୱାର୍ଡରେ ୨ କୋଟି ୭୯ ଲକ୍ଷରୁ ଅଧିକ ଲୋକ ମତଦାନ ଅଧିକାର ସାବ୍ୟସ୍ତ କରିବେ। ସମୁଦାୟ ୯୧,୯୧୩ଟି ବୁଥ୍‌ ମଧ୍ୟରୁ ୧୩, ୭୮୫ଟି ବୁଥ୍‌ ଉତ୍ତେଜନା ପ୍ରବଣ ରହିଛି।

ଶ୍ରୀ ପାଢ଼ୀ କହିଥିଲେ, ବୁଧବାର ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୨୦୨ଟି ଜିଲ୍ଲା ପରିଷଦ ଜୋନ୍‌, ୧୬୬୯ଟି ସରପଞ୍ଚ, ୧୬୬୯ଟି ପଞ୍ଚାୟତ ସମିତି ସଭ୍ୟ ଓ ୨୦ହଜାରରୁ ଅଧିକ ୱାର୍ଡ ମେମ୍ବର ପଦବି ପାଇଁ ୨୨୩୭୯ଟି ବୁଥରେ ମତଦାନ ହେବ। ୬୭ଲକ୍ଷ ୫୧ହଜାର ୬୮ଜଣ ମତଦାତା ଭୋଟ୍‌ ଦେବେ। ମତଦାତାମାନେ ଭାରତର ନିର୍ବାଚନ କମିସନଙ୍କ ଦ୍ଵାରା ପ୍ରଦତ୍ତ ଭୋଟର ପରିଚୟ ପତ୍ର ଦେଖାଇ ମତଦାନ କରିପାରିବେ। ଏହାଛଡ଼ା ଏଥିଲାଗି ଅନ୍ୟ ୧୩ଟି ଦସ୍ତାବିଜ୍‌ ଭିତରୁ କୌଣସି ଗୋଟିଏ ବି ଦେଖାଇପାରିବେ।  ଉକ୍ତ ପରିଚୟପତ୍ର ମଧ୍ୟ ପରିବାରର ଅନ୍ୟ ସଦସ୍ୟ ବ୍ୟବହାର କରିପାରିବେ। ମତଦାତା ପାନ କାର୍ଡ , ଆଧାର କାର୍ଡ, ପାସପୋର୍ଟ, ନରେଗା କାର୍ଡ, ରାସନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଆଦି ଦେଖାଇ ମତଦାନ କରିପାରିବେ।

ମତଦାନ ସମୟରେ କୋଭିଡ କଟକଣା ମାନିବାକୁ ଓ ସାମାଜିକ ଦୂରତା ବଜାୟ ରଖିବାକୁ ରାଜ୍ୟ ନିର୍ବାଚନ କମିସନ ଭୋଟରମାନଙ୍କୁ ଅନୁରୋଧ କରିଛନ୍ତି। ଚଳିତ ନିର୍ବାଚନ କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହେଉଛି। ତେଣୁ ପ୍ରତ୍ୟେକ ମତଦାତା ଭୋଟ୍ ଦେବା ସମୟରେ ମାସ୍କ ପିନ୍ଧିବା ଦରକାର ବୋଲି ନିର୍ବାଚନ କମିସନର କହିଛନ୍ତି।

ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ପ୍ରଶାସନ ସହିତ ପୁଲିସ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଜ୍ୟ ପୁଲିସ ବିଭାଗ ଶାନ୍ତିଶୃଙ୍ଖଳାର ସହିିତ ଭୋଟ୍‌ ଗ୍ରହଣ ପାଇଁ ୨୩୫ ପ୍ଲାଟୁନ ପୁଲିସ ମୁତୟନ କରିଛି। ପ୍ରଥମ ପର୍ଯ୍ୟାୟରେ ମତଦନା ପାଇଁ ୧୮୩୪ ମୋବାଇଲ୍‌ ପେଟ୍ରୋଲିଂ ପାର୍ଟି ମୁତୟନ ହୋଇଛନ୍ତି। ରାଜ୍ୟରେ ୩୩୫୭ଟି ସମ୍ବେଦନଶୀଳ ବୁଥ ଥିବା ବେଳେ ୧୯ ହଜାର୨୨ଟି ଅଣସମ୍ବେଦନଶୀଳ ବୁଥ ରହିଛି।

ସମ୍ବନ୍ଧିତ ଖବର