ଭୁବନେଶ୍ବର : ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ହୋଇଥିବା ଏହି ‌ବୈଠକରେ ପାଖାପାଖି ୧୦ଟି ପ୍ରସ୍ତାବ ପାରିତ ହୋଇଛି। ବର୍ତ୍ତମାନ ବିଧାନସଭା ଅଧିବେଶନ ଚାଲିଥିବାରୁ କ୍ୟାବିନେଟ୍‌ ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦିଆଯାଇ ନାହି।

Advertisment

ତେବେ ମିଳିଥିବା ସୂଚନା ଅନୁଯାୟୀ ପଞ୍ଚାୟତ ପୋଖରୀଗୁଡ଼ିକର ପରିଚାଳନା ଭାର ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯିବା ନେଇ ଏକ ପ୍ରସ୍ତାବ ପାରିତ ହୋଇଛି। ମାଛ ଚାଷ ପାଇଁ ପୋଖରୀର ନିଲାମ ପ୍ରକ୍ରିୟା ଏସ୍‌ଏଚ୍‌ଜି ଦ୍ବାରା ହିଁ କରାଯିବ। ଆଗକୁ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀ‌ରେ ଏହି ନିଷ୍ପତ୍ତି ବେଶ୍‌ ଗୁରୁତ୍ବ ବହନ କରୁଛି। ଏହା ସହ ଏସ୍‌ସିବି ମେଡିକାଲ କଲେଜର ନବୀକରଣ ପ୍ରକଳ୍ପ ପାଇଁ ପୂର୍ବରୁ ଡକାଯାଇଥିବା ଟେଣ୍ଡର୍‌ରେ ମନୋନୀତ ହୋଇଥିବା ଏଲ୍‌ ଆଣ୍ଡ୍‌ ଟି ସଂସ୍ଥାକୁ କାର୍ଯ୍ୟାଦେଶ ଦେବାକୁ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ସେହିପରି ଭୂଆସୁଣିରେ ବିଏମ୍‌ସି ପକ୍ଷରୁ ହେବାକୁ ଥିବା ବାୟୋ ମାଇନିଂ ପ୍ରକଳ୍ପର ଟେଣ୍ଡର୍‌କୁ କ୍ୟାବିନେଟ୍‌ ଅନୁମୋଦନ ଦେଇଛନ୍ତି। ଏହା ବାଦ୍ ନଗର ଉନ୍ନୟନ, ପରିବହନ ଓ ପୂର୍ତ୍ତ ବିଭାଗର ଆଉ କିଛି ପ୍ରସ୍ତାବ କ୍ୟାବିନେଟ୍‌ରେ ପାରିତ ହୋଇଛି।