ସମିତିସଭ୍ୟ ଓ ଆତ୍ମୀୟଙ୍କ ପୁରୀରେ ପିକ୍‌ନିକ୍
ବବିଙ୍କ ହାତରେ ୪ , ଡାନି ଓ ଜିତୁଙ୍କ ହାତରେ ୨ଟି ଲେଖାଏଁ, ଅମର ଓ ପ୍ରମିଳାଙ୍କ ହାତରେ ଗୋଟିଏ ଲେଖାଏଁ ସମିତି

Advertisment

ଯାଜପୁର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିରୋଧୀ ଦଳର ଅତି ନୈରାଶ୍ୟଜନକ ପ୍ରଦର୍ଶନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଭାପତି ପ୍ରତିଦ୍ବନ୍ଦ୍ବିତାରୁ ବାଦ ପକାଇ ଦେଇଛି। ଜିଲ୍ଲାର ୧୦ଟି ବ୍ଲକ୍‌ର ଅଧିକାଂଶ ପଞ୍ଚାୟତରେ ଶାସକ ଦଳ ସମର୍ଥିତ ପ୍ରାର୍ଥୀ ଅବା ବିଦ୍ରୋହୀ ପ୍ରାର୍ଥୀ ବିଜୟୀ ହୋଇଥିବାରୁ ଶାସକ ଦଳର ନେତା ବିଶେଷ କରି ବିଧାୟକମାନେ ପଞ୍ଚାୟତ ସମିତି ଗଠନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ‌କେବଳ ବରୀରେ ବିଧାୟିକାଙ୍କ ସମର୍ଥକ ତୁଳନାରେ ଯୁବନେତା ବିଶ୍ବ ମଲ୍ଲିକଙ୍କର ସମର୍ଥିତ ପ୍ରାର୍ଥୀ ଅଧିକ ସଂଖ୍ୟା‌ରେ ବିଜୟୀ ହୋଇଥିବାରୁ ବିଜେଡ଼ି ଦଳ ଭିତରେ ଟଣାଓଟରା ଚାଲିଛି। ଏଠାରେ ଚୂଡ଼ାନ୍ତ ନିଷ୍ପତ୍ତି ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ (ବବି) ଦାସ ନେବେ ବୋଲି କୁହାଯାଉଛି।

ଜିଲ୍ଲାର ସମସ୍ତ ବ୍ଲକ୍ ଅଧ୍ୟକ୍ଷ ଆସନ ବିଜେଡ଼ି ଦଖଲକୁ ନେବା ଏକ ପ୍ରକାର ନିଶ୍ଚିତ। ଅପର ପକ୍ଷରେ ଜିଲ୍ଲା ପରିଷଦ ସମସ୍ତ ସଭ୍ୟ ଶାସକ ଦଳର ହୋଇଥିବାରୁ ତାହା ମଧ୍ୟ ବିଜେଡ଼ିର ସଂପୂର୍ଣ୍ଣ କବଜାରେ। ତେବେ ଜିଲ୍ଲାରେ ୭ଜଣ ବିଧାୟକ ଥିବା ବେଳେ ୧୦ ପଞ୍ଚାୟତ ସମିତିର ଅଧ୍ୟକ୍ଷ ପ୍ରାର୍ଥୀ ଚୟନ ସେମାନଙ୍କ ଉପରେ ନିର୍ଭର କରୁଛି। କୋରେଇର ବିଧାୟକ ଅଶୋକ ବଳ ଥିଲେ ହେଁ ବବିଙ୍କ ମାର୍ଗଦର୍ଶନରେ ଏଠାରେ ରାଜନୀତି ଗୋଟି ଚାଳନା ହେଉଛି। ସେହି ଦୃଷ୍ଟିରୁ କୋରେଇ ବ୍ଲକ୍‌ର କିଏ ଅଧ୍ୟକ୍ଷ ହେବ ତାହା ମଧ୍ୟ ବବିଙ୍କ ସବୁଜ ସଙ୍କେତକୁ ଅପେକ୍ଷା। ସେଥିପାଇଁ ୪ଟି ବ୍ଳକ୍ ଯାଜପୁର, ଦଶରଥପୁର, ବରୀ ଓ କୋରେଇ ଅଧ୍ୟକ୍ଷ ନିଷ୍ପତ୍ତି ବବିଙ୍କ ଉପରେ ନିର୍ଭର କରୁଛି। ସେହିପରି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ(ଜିତୁ)ଙ୍କ ହାତରେ ଧର୍ମଶାଳା ବ୍ଲକ୍ ଓ ରସୁଲପୁର ବ୍ଲକ୍ ଅଧ୍ୟକ୍ଷ ନିଷ୍ପତ୍ତି ରହିଛି।

ଅନୁରୂପ ଭାବେ ସୁକିନ୍ଦା ଓ ଦାନଗଦୀ ବ୍ଳକ୍ ଅଧ୍ୟକ୍ଷ ପଦବି ନେଇ ନିଷ୍ପତ୍ତି ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ(ଡାନି) ନେବେ। ବଡ଼ଚଣା ବ୍ଲକ୍ ପାଇଁ ବିଧାୟକ ଅମର ପ୍ରସାଦ ଶତପଥୀ ଓ ବିଂଝାରପୁର ବ୍ଲକ୍ ପାଇଁ ବିଧାୟିକା ପ୍ରମିଳା ମଲିକ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି। ବଡ଼ଚଣା ବ୍ଲକ୍‌କୁ ନେଇ ବଡ଼ଚଣା ବିଧାନସଭା ଆସନ ହୋଇଥିବାରୁ ଶ୍ରୀ ଶତପଥୀଙ୍କ ପାଇଁ ବେଶୀ ଅସୁବିଧା ନାହିଁ। ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ବରୀରେ ବିଜେଡ଼ି ଦୁଇ ଗୋଷ୍ଠୀ ବ୍ୟତୀତ ଅନ୍ୟ କୌଣସି ଠାରେ ବିଧାୟକମାନଙ୍କୁ ଦଳର କୌଣସି ନେତା ଚ୍ୟାଲେଞ୍ଜ ଦେଇଥିବାର ଦେଖିବାକୁ ମିଳିଲା ନାହିଁ।

ବିଧାୟକମାନଙ୍କ ନିକଟରେ ଏବେ ଲବି ଆରମ୍ଭ ହୋଇଯାଇଛି। ବିଧାୟକମାନେ ମଧ୍ୟ ସମିତି ସଭ୍ୟସଭ୍ୟାମାନଙ୍କୁ ନେଇ ପୁରୀ ଓ ଭୁବନେଶ୍ବରରେ ରଖିଛନ୍ତି। ବିଧାୟକମାନେ ନିଜ ଶିବିରରୁ ଅନୁଗତମାନଙ୍କୁ ଅଧ୍ୟକ୍ଷ ପଦବିରେ ବସାଇବାକୁ ରଣନୀତି ଆପଣାଇଛନ୍ତି। ବିଗତ ଦିନ ଭଳି ବିରୋଧୀ ଶିବିରର ଭୟ ନଥିବାରୁ ସମିତି ସଭ୍ୟମାନଙ୍କୁ ଅଜ୍ଞାତବାସ ଅପେକ୍ଷା ପିକ୍‌ନିକ ଭଳି ବାହାରକୁ ବୁଲାଇ ନିଆଯାଇଛି। ସେପରି ଅଜ୍ଞାତବାସରେ କଟକଣା କିମ୍ବା ରାଜ୍ୟ ବାହାରକୁ ନେବାକୁ ଆବଶ୍ୟକତା ପଡି ନାହିଁ ବୋଲି ଶାସକ ଦଳର ‌କେତେକ ନେତା କହିଛନ୍ତି। ତଥାପି କ୍ରସ ଭୋଟିଂକୁ ଏଡାଇ ପାଇଁ ସତର୍କତା ଅବଲମ୍ବନ କରିଛନ୍ତି।