ଭୁବନେଶ୍ୱର : ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ପାଇଁ ରାଜ୍ୟର ରାଜନୈତିକ ପରିବେଶ ସରଗରମ ହୋଇଉଠିଛି। ଅଧିକାଂଶ ସମିତି ସଦସ୍ୟ ଏବେ ଅଜ୍ଞାତବାସରେ। ପଞ୍ଚାୟତ ସମିତି ଦଖଲ ପାଇଁ ଗୋଟିଏ ପଟେ ବିଧାୟକମାନେ ଗୋଟି ଚାଳନ କରୁଥିବା ବେଳେ ତାଙ୍କ ବିରୋଧୀ ଗୋଷ୍ଠୀ ମଧ୍ୟ ଅଧ୍ୟକ୍ଷ ପଦ ହାସଲ କରିବାକୁ ଲାଗି ପଡ଼ିଛନ୍ତି। ଏହି ଛକାପଞ୍ଝା ଭିତରେ ଆଜି ଶାସକ ଦଳକୁ ଟାର୍ଗେଟ୍‌ କରିଛନ୍ତି ବିରୋଧୀ। ବିଜେଡି ସମିତି ସଭ୍ୟଙ୍କୁ କିଣିବାକୁ ଘୋଡ଼ା ବେପାର କରୁଛି ବୋଲି ଉଭୟ କଂଗ୍ରେସ ଓ ବିଜେପି ଅଭିଯୋଗ କରିଛନ୍ତି। ବିରୋଧୀଙ୍କ ଏପରି ଅଭିଯୋଗକୁ ବିଜେଡି ଖଣ୍ଡନ କରିଛି।

Advertisment

ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଗଣମାଧ୍ୟମରେ କହିଛନ୍ତି ଯେ ନିର୍ଦ୍ଦଳୀୟ ତଥା କଂଗ୍ରେସ ଓ ବିଜେପି ସମର୍ଥିତ ସମିତି ସଭ୍ୟକୁ କିଣିବା ପାଇଁ ବିଜେଡି ଚକ୍ରାନ୍ତ କରୁଛି। ସେମାନଙ୍କୁ ଲୁଚାଇ ରଖାଯାଉଛି ଓ ବିଭିନ୍ନ ଲୋଭ ଦେଖାଯାଉଛି। ସମିତି ସଭ୍ୟ ପିଛା ୫ରୁ ୧୦ ଲକ୍ଷ ଟଙ୍କା ଲେଖାଏ ଅଫର୍‌ ଦିଆଯାଉଛି। କିଛି ଜାଗାରେ ଧମକ ଚମକ ବି ଦିଆଯାଉଛି। ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ସମୟ ଆସିଲେ ଆମେ ଏହାର ପ୍ରମାଣ ଦେବୁ। ୨୨ ବର୍ଷ ହେଲା କଂଗ୍ରେସ ଶାସନ ନାହିଁ। ତେଣୁ କଂଗ୍ରେସ କାହାକୁ କି ମିଛ ପ୍ରତିଶ୍ରୁତି ଦେବ? ଶାସକ ଦଳ ହିଁ ଛଳନାର ରାଜନୀତି କରୁଛି।

ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ହାତେଇବାକୁ ଘୋଡ଼ା ବେପାର ଆରମ୍ଭ କଲାଣି ବିଜେଡି। କଳେବଳେ କୌଶଳେ ପଦ ହାତେଇବାକୁ ଚେଷ୍ଟା କରାଯାଉଛି। ଅନେକ ଜାଗାରେ ବିଜେଡି ବିରୋଧରେ ବି ଜନମତ ଯାଇଛି। ହେଲେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉ ପଛେ ସମିତି ସଭ୍ୟଙ୍କୁ ଆଣି ବ୍ଲକ ଅଧ୍ୟକ୍ଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ପଞ୍ଚାୟତ ନିର୍ବାଚନରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ହତ୍ୟା କରିଥିଲା ଶାସକ ଦଳ। ଏବେ ବ୍ଳକ ଅଧ୍ୟକ୍ଷ ନିର୍ବାଚନରେ ପୁଣି ଥରେ ଏପରି କରିବାକୁ ଚେଷ୍ଟା ଚଳାଇଛନ୍ତି। ସମିତି ସଭ୍ୟମାନଙ୍କୁ ବିଭିନ୍ନ ପ୍ରକାର ଚାପ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ଗଣତନ୍ତ୍ରକୁ ସୁରକ୍ଷା ଦେବା ପାଇଁ ବିଜେପି ଉଦ୍ୟମ କରିବ।

ବିରୋଧୀଙ୍କୁ ଜବାବ ଦେଇ ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି ଯେ ବିରୋଧୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଗଣମାଧ୍ୟମ ମାଧ୍ୟମରେ ଅପପ୍ରଚାର କରାଯାଉଛି। ୭୬୬ ଜିଲ୍ଲା ପରିଷଦ ଜିତୁଥିବା ଶାସକ ଦଳ ବ୍ଲକ ଅଧ୍ୟକ୍ଷ ପଦ ପାଇଁ କାହିଁକି ଚିନ୍ତା କରିବ ? ଜଣେ ଭୋଟର୍ ୪ଟି ଭୋଟ୍‌ ଦେଇଥିଲେ, ୱାର୍ଡ ମେମ୍ବର, ସମିତିସଭ୍ୟ, ସରପଞ୍ଚ ଓ ଜିଲ୍ଲା ପରିଷଦ। ଜିଲ୍ଲା ପରିଷଦରେ ବିଜେଡିକୁ ଭୋଟ୍ ଦେଇଥିଲା ବେଳେ ଅନ୍ୟ ତିନିଟିରେ ଭୋଟର କିପରି ଭୁଲ୍ କରିବ। ତେଣୁ ବିରୋଧୀଙ୍କ ଅଭିଯୋଗରେ କୌଣସି ଯଥାର୍ଥତା ନାହିଁ। ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବିଜେଡି ବହୁତ ଭଲ କରିବ ବୋଲି ଆଶା ଅଛି।