ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଗଣତି ଶେଷ ହୋଇଛି। ଏବେ ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଉପରେ ସମସ୍ତଙ୍କ ନଜର। ଜିଲ୍ଲା ପରିଷଦ ଦଳୀୟ ଭିତ୍ତିରେ ଲଢ଼ାଯାଇଥିବାରୁ ଦଳର ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ତାହାକୁ ସମସ୍ତେ ମାନିବେ। ବିଜେଡି ଦଖଲରେ ସବୁ ଜିଲ୍ଲା ପରିଷଦ ରହିବା ସ୍ପଷ୍ଟ ହୋଇଛି। ବର୍ତ୍ତମାନ ପଞ୍ଚାୟତ ସମିତି ଦଖଲ ହିଁ ବିଧାୟକମାନଙ୍କ ପାଇଁ ସବୁଠାରୁ ବଡ଼ ଆହ୍ବାନ। ଏଥି ପାଇଁ ଆରମ୍ଭ ହୋଇଯାଇଛି କସରତ୍। ଭୁବନେଶ୍ବର, ପୁରୀରେ ହୋଟେଲ୍, ରିସୋର୍ଟ, ଫାର୍ମହାଉସ୍ରେ ନବନିର୍ବାଚିତ ସଦସ୍ୟମାନଙ୍କର ଅସ୍ଥାୟୀ ରହଣୀସ୍ଥଳ ପାଲଟିଯାଇଛି। ଏହାକୁ ନେଇ ଗାଁରୁ ରାଜଧାନୀ ଯାଏ ଛକାପଞ୍ଝା ଚାଲିଛି।
ପଞ୍ଚାୟତ ସମିତି ସଦସ୍ୟ ପାଇଁ ଦଳୀୟ ଭିତ୍ତିରେ ପ୍ରାର୍ଥୀ ନିର୍ବାଚନ ଲଢ଼ନ୍ତି ନାହିଁ। ସେମାନେ ସ୍ବାଧୀନ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାନ୍ତି। ପ୍ରତି ରାଜନୈତିକ ଦଳର ଏକାଧିକ ସମର୍ଥକ ପରସ୍ପର ବିରୋଧରେ ଲଢ଼େଇ କରିବାର ମଧ୍ୟ ଏଥର ଦେଖିବାକୁ ମିଳିଛି। ବିଶେଷ କରି ଶାସକ ଦଳରେ ବିଧାୟକଙ୍କ ସମର୍ଥନରେ ଠିଆ ହୋଇଥିବା ପ୍ରାର୍ଥୀଙ୍କ ବିରୋଧରେ ସେହି ଦଳର ଅସନ୍ତୁଷ୍ଟ ନେତା ମଧ୍ୟ ଲଢ଼ୁଥିବାର ନଜିର ରହିଛି। ଏହି ନିର୍ବାଚନରେ ବ୍ୟକ୍ତିଙ୍କ ପ୍ରଭାବ ଅଧିକ କାମ ଦେଉଥିବାରୁ ବହୁ ସ୍ଥାନରେ ବିଧାୟକଙ୍କ ହାତରେ କୌଣସି ନିୟନ୍ତ୍ରଣ ରହୁ ନାହିଁ। କିନ୍ତୁ ନିର୍ବାଚନ ପରେ ପଞ୍ଚାୟତ ସମିତିରେ ନିଜର ଖାସ୍ ଅନୁଗତଙ୍କୁ ଅଧ୍ୟକ୍ଷ କରିବାକୁ ବିଧାୟକମାନେ ଅଣ୍ଟା ଭିଡ଼ିଛନ୍ତି। ନିଜ ପସନ୍ଦର ବ୍ୟକ୍ତିଙ୍କ ଦଖଲରେ ପଞ୍ଚାୟତ ସମିତି ନ ରହିଲେ ତୃଣମୂଳ ସ୍ତରରେ କୌଣସି ବିକାଶମୂଳକ କାର୍ଯ୍ୟ କରିବା ବିଧାୟକମାନଙ୍କୁ ସହଜ ହେବନି। ତେଣୁ ଯେ କୌଣସି ଉପାୟରେ ପଞ୍ଚାୟତ ସମିତି ଦଖଲ କରିବା ବିଧାୟକଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇପଡ଼ିଛି। ଅଧ୍ୟକ୍ଷ ନିର୍ବାଚନରେ ଘୋଡ଼ା ବେପାରର ଆଶଙ୍କା ଅଧିକ ଥିବାରୁ ସମସ୍ତେ ବେଶ୍ ତତ୍ପର ହୋଇଉଠିଛନ୍ତି। ବିଶେଷ ଶାସକ ଦଳର ସବୁ ବିଧାୟକଙ୍କୁ ନିଜ ନିଜ ନିର୍ବାଚନମଣ୍ଡଳୀର ପଞ୍ଚାୟତ ସମିତିଗୁଡ଼ିକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ସେଥି ପାଇଁ ବିଧାୟକମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ଜିଲ୍ଲା ପରିଷଦରେ ବିଜେଡି ଜିତିବାର ଖୁସି ମନାଇବାକୁ ସେମାନଙ୍କ ପାଖରେ ସମୟ ନାହିଁ।
୨୬ ତାରିଖ ସନ୍ଧ୍ୟାରେ ଫଳାଫଳ ଆସିବା ପର ଠାରୁ ବହୁ ସ୍ଥାନରୁ ନିର୍ବାଚିତ ସମିତି ସଦସ୍ୟମାନଙ୍କୁ ଆଣି ଦୂର ସ୍ଥାନରେ ଅଜ୍ଞାତବାସରେ ରଖାଯାଉଛି। ଏଥି ପାଇଁ ବିଧାୟକମାନେ ଭୁବନେଶ୍ବର, ପୁରୀରେ ବହୁ ହୋଟେଲ୍ ବୁକ୍ କରିଛନ୍ତି। ସେଠାରେ ସଦସ୍ୟମାନଙ୍କ ଉପରେ କଡ଼ା ନଜର ରଖିବାକୁ ନିଜର ଖାସ୍ ଲୋକଙ୍କୁ ଦାୟିତ୍ବ ଦେଇଛନ୍ତି। ଯେପରି ସମିତି ସଦସ୍ୟମାନେ କାହା ସହିତ ମିଶି ନ ପାରିବେ, ସେଥି ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ଭୁବନେଶ୍ବର ଓ ଏହାର ଉପକଣ୍ଠରେ ଥିବା ହୋଟେଲ୍, ଫାର୍ମ ହାଉସ୍ରେ ଏବେ କଡ଼ା ପ୍ରହରା ଦେଖିବାକୁ ମିଳୁଛି। ୧୨ ତାରିଖରେ ଅଧ୍ୟକ୍ଷ ନିର୍ବାଚନର ପୂର୍ବ ରାତି ଯାଏ ସଦସ୍ୟମାନଙ୍କର ରହିବା ବନ୍ଦୋବସ୍ତ କରାଯାଇଛି। ଏପରିକି ଅଧ୍ୟକ୍ଷ ପଦବି ପାଇଁ ହାଇପ୍ରୋଫାଇଲ୍ ଲଢ଼େଇ ସମ୍ଭାବନା ଥିବା ପଞ୍ଚାୟତ ସମିତିର ସଦସ୍ୟଙ୍କୁ ତାରକା ହୋଟେଲ୍ରେ ରଖାଯାଇଥିବା ଦେଖିବାକୁ ମିଳିଛି। କିଛି ସଦସ୍ୟଙ୍କୁ ରାଜ୍ୟ ବାହାରକୁ ମଧ୍ୟ ପଠାଯାଇଛି।