ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ: ଅଜ୍ଞାତବାସୀ ସମିତିସଭ୍ୟଙ୍କୁ ନେଇ ସବୁଠି ଅଙ୍କକଷା

ଅନେକ ସ୍ଥାନରେ ବିଜେଡି ବନାମ ବିଜେଡି

ସୁନ୍ଦରଗଡ଼: ୧୨ ତାରିଖରେ ପଞ୍ଚାୟତସମିତି ଅଧ୍ୟକ୍ଷ ଆସନ ପାଇଁ ନିର୍ବାଚନ। ଏଥିପାଇଁ ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ଯାକ ପଞ୍ଚାୟତସମିତି ଅଞ୍ଚଳରେ ରାଜନୈତିକ ଗତିବିଧି ଜୋର୍ ଧରିଛି। ବିଶେଷ କରି ମତଦାନ ଓ ମତଗଣତି ପରଠାରୁ ସମିତିସଭ୍ୟଙ୍କୁ ଅଜ୍ଞାତବାସରେ ରଖି ଅଧ୍ୟକ୍ଷ ଆଶାୟୀମାନେ ନିଜ ନିଜ ଜିତାପଟ ପାଇଁ ଅଙ୍କ କଷିବାରେ ଲାଗିଛନ୍ତି। ଦିଲ୍ଲୀ, ପୁରୀ, ଭୁବନେଶ୍ବର, ରାୟପୁର, ବିଶାଖାପାଟନା, ଗୋପାଳପୁର, ଚିଲିକା ଆଦି ଅଞ୍ଚଳରେ ଅଜ୍ଞାତବାସରେ ଥିବା

ସମିତିସଭ୍ୟମାନେ ୧୨ରେ ଆସି ଅଧ୍ୟକ୍ଷ ବାଛିବେ। ଏଥିପାଇଁ ଘୋଡ଼ା ବେପାର ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଅଧ୍ୟକ୍ଷ ଆଶାୟୀମାନେ ମଧ୍ୟ ବ୍ୟକ୍ତିଗତସ୍ତରରେ ବିପୁଳ ଅର୍ଥ ଖର୍ଚ୍ଚ କରୁଥିବା ଚର୍ଚ୍ଚା ହେଉଛି। ନିର୍ବାଚନ ସମୟରେ ସମ୍ଭାବ୍ୟ ବିଜୟୀ ପ୍ରାର୍ଥୀଙ୍କୁ ଏହି ଆଶାୟୀମାନେ ଅଧ୍ୟକ୍ଷ ନିର୍ବାଚନରେ ସମର୍ଥନ ସର୍ତ୍ତରେ ବିପୁଳ ଅର୍ଥ ଯୋଗାଇ ଦେଇଥିଲେ। ଗୋଟିଏ ଗୋଟିଏ ପଞ୍ଚାୟତରେ କଡ଼ା ଟକ୍କରରେ ଥିବା ୨ ପ୍ରତିଦ୍ବନ୍ଦ୍ବୀଙ୍କୁ ମଧ୍ୟ ଅର୍ଥ ଯୋଗାଇ ହାତକୁ ଆଣିବାକୁ ଚେଷ୍ଟା କରାଯାଇଥିଲା।

ଏବେ ବିଜୟୀଙ୍କୁ ଆହୁରି ଦାବି ମୁତାବକ ଅର୍ଥ ଦେଇ ସମର୍ଥନକୁ ନିଶ୍ଚିତ କରିବାରେ ଲାଗିଛନ୍ତି। ତେବେ ପ୍ରମୁଖ ଭାଗରେ ବିଜେଡି ଓ କିଛି ସ୍ଥାନରେ ବିଜେପି, କଂଗ୍ରେସ ପଞ୍ଚାୟତସମିତି ଅଧ୍ୟକ୍ଷ ଆସନ ହାତେଇବାକୁ ଜୋର୍ ଲଗାଇ ଦେଇଛନ୍ତି। ଏପରିକି ଅନେକ ପଞ୍ଚାୟତସମିତିରେ ଅଧ୍ୟକ୍ଷ ଆସନ ପାଇଁ ବିଜେଡି ବନାମ ବିଜେଡି ଲଢ଼େଇ ହେଉଛି। ଜିଲ୍ଲା ପରିଷଦ ନିର୍ବାଚନରେ ଏକପାଖିଆ ବିଜୟ ପରେ ଶାସକ ଦଳରେ ଏପରି ଲଢ଼େଇ ଚର୍ଚ୍ଚାେର ବିଷୟ ହୋଇଛି। ବାଲିଶଙ୍କରାରେ ଶାସକ ଦଳର ଦୁଇ ନେତ୍ରୀ ଅଧ୍ୟକ୍ଷା ଆଶାୟୀ ଅଛନ୍ତି। ଦୁଇ ଥର ଅଧ୍ୟକ୍ଷ ଆସନ ହାସଲ କରିଥିବା କିଞ୍ଜିରକେଲା ସମିତିସଭ୍ୟା କୁଞ୍ଜଲତା ଭିତିରିଆ ଏଥର ଦୌଡ଼ର ଆଗରେ ଥିବା କୁହାଯାଉଛି। ତାଙ୍କ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ରୂପେ ପୂର୍ବତନ ଅଧ୍ୟକ୍ଷା ତଳସରା ସମିତିସଭ୍ୟା ତ୍ରିବେଣୀ ମାଝୀ ସାମ୍ନାକୁ ଆସିଛନ୍ତି। ତ୍ରିବେଣୀ ପୂର୍ବତନ କଂଗ୍ରେସ ବିଧାୟକ ତଥା ବର୍ତ୍ତମାନର ବିଜେଡି ରାଜ୍ୟ ସାଧାରଣସମ୍ପାଦକ ଡ. ପ୍ରଫୁଲ୍ଲ ମାଝୀଙ୍କ ପତ୍ନୀ। ୧୯ ପଞ୍ଚାୟତ ବିଶିଷ୍ଟ ଏହି ପଞ୍ଚାୟତସମିତି ଅନୁସୂଚୀତ ଜନଜାତିଙ୍କ ପାଇଁ ସଂରକ୍ଷିତ। ଏଥିରେ ଦୁଇ ବିଜେଡି ନେତ୍ରୀଙ୍କ ଲଢ଼େଇ ଏବେ ରୋଚକସ୍ଥିତିରେ।

ସମ୍ବନ୍ଧିତ ଖବର