୨୬ରେ ମନ୍ତ୍ରୀଙ୍କ ବାସଭବନ ଘେରିବେ ପଞ୍ଚାୟତ ସମିତି ସଭ୍ୟ

ଦୁଇ ମନ୍ତ୍ରୀଙ୍କ ସହ ଆଲୋଚନା ବିଫଳ

ଭୁବନେଶ୍ୱର : ରାଜଧାନୀର ଲୋୟର ପିଏମ୍‌ଜିଠାରେ ଆନ୍ଦୋଳନରତ ରାଜ୍ୟର ପଞ୍ଚାୟତ ସମିତି ସଭ୍ୟସଭ୍ୟାଙ୍କର ଦୁଇ ବରିଷ୍ଠ ମନ୍ତ୍ରୀଙ୍କ ସହ ଆଲୋଚନା ବିଫଳ ହୋଇଛି। କେତେକ ଦାବିକୁ ପୂରଣ କରିବାପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପୂର୍ବରୁ ସବୁ ପ୍ରତିଶ୍ରୁତି ପାଣିର ଗାର ହୋଇଥିବାରୁ ସଭ୍ୟସଭ୍ୟାମାନେ ଆସନ୍ତା ୨୬ ତାରିଖରେ ବିଧାନସଭା ଓ ପଞ୍ଚାୟତରାଜ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସଂଘର ସଭାପତି ପ୍ରଦୀପ ଘଡ଼ାଇଙ୍କ ସୂଚନା ଅନୁଯାୟୀ ଆଜି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥି ଓ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ସହ ସଂଘର ୫ ଜଣିଆ ପ୍ରତିନିଧିଙ୍କର ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ହେଲେ ଆଲୋଚନା ଫଳପ୍ରଦ ନ ହେବାରୁ ଏହି ନିଷ୍ପତ୍ତି ନିଆଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୪ ଦିନ ହେଲା ୧୦ ଦଫା ଦାବି ନେଇ ରାଜ୍ୟର ବିଭିନ୍ନ ବ୍ଲକର ସମିତି ସଭ୍ୟସଭ୍ୟାମାନେ ବିଧାନସଭା ଆଗରେ ଧାରଣାରେ ବସି ରହିଛନ୍ତି। ସରପଞ୍ଚ ଓ ସମିତି ସଭ୍ୟଙ୍କ ମିଳିତ ଦସ୍ତଖତରେ ସମିତିରେ ହେଉଥିବା ସମସ୍ତ ଖର୍ଚ୍ଚ କରିବା ଦାବି ସହ ଭତ୍ତା ୧୮୮୦ ଟଙ୍କାରୁ ୩୦ ହଜାର ପର୍ଯ୍ୟନ୍ତ ବୃଦ୍ଧି କରିବା, ୫ ବର୍ଷ କାର୍ଯ୍ୟ କରିବା ପରେ ପେନ୍‌ସନ ପ୍ରଦାନ କରିବା, ସରପଞ୍ଚ ଉପଭୋଗ କରୁଥିବା ମତଦାନ କ୍ଷମତା ଭଳି ଏହି ସଭ୍ୟମାନଙ୍କୁ ମଧ୍ୟ ସ୍ୱୀକୃତିପ୍ରାପ୍ତ କରିବା ପ୍ରଭୃତି ଦାବି ରହିଛି। ହେଲେ ସରକାର ସେମାନଙ୍କ ଦାବି ପୂରଣ କରୁନଥିବାରୁ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଏହି ସଭ୍ୟମାନଙ୍କୁ କ୍ଷମତାଶୀଳ କରାଯାଇଥିଲେ ମଧ୍ୟ ଏହା କେବଳ କାଗଜପତ୍ରରେ ରହିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସଭାପତି ଶରତ ଖିଲାର, ମୁଖ୍ୟ ଉପଦେଷ୍ଟା ଧୀରେନ୍ଦ୍ରନାଥ ବେହେରା, ସମ୍ପାଦକ ସୁକାନ୍ତ ସାମଲ, ଲକ୍ଷ୍ମଣ ରାଉତ, ଗୋପବନ୍ଧୁ ସ୍ୱାଇଁ, ଯୁଧିଷ୍ଠିର ସ୍ୱାଇଁ, ପାର୍ବତୀ ହେମ୍ବ୍ରମ୍‌, ରଞ୍ଜନ ଦାସ ପ୍ରମୁଖ ଧାରଣାର ନେତୃତ୍ୱ ନେଉଛନ୍ତି।

ସମ୍ବନ୍ଧିତ ଖବର