ଅନ୍ୟ ପଞ୍ଚାୟତକୁ ବଦଳି ହେବେ ଗ୍ରାମ ରୋଜଗାର ସେବକ

ପଞ୍ଚାୟତରାଜ ସଚିବଙ୍କ ନିର୍ଦ୍ଦେଶନାମା ହାଇକୋର୍ଟରେ କାଏମ

କଟକ: ଗ୍ରାମ ରୋଜଗାର ସେବକ(ଜିଆର୍‌ଏସ୍‌)ଙ୍କୁ ଗୋଟିଏ ଗ୍ରାମ ପଞ୍ଚାୟତରୁ ଅନ୍ୟ ପଞ୍ଚାୟତକୁ ବଦଳି କରାଯାଇ ପାରିବ ବୋଲି ସରକାର ଜାରି କରିଥିବା ନିର୍ଦ୍ଦେଶନାମା ହାଇକୋର୍ଟରେ କାଏମ ରହିଛି। ୨୦୧୩, ମାର୍ଚ୍ଚ ୧୩ରେ ରାଜ୍ୟ ପଞ୍ଚାୟତରାଜ ବିଭାଗ ସଚିବଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ଜିଆରଏସଙ୍କୁ ଗୋଟିଏ ପଞ୍ଚାୟତରୁ ଅନ୍ୟ ପଞ୍ଚାୟତକୁ ବଦଳି ପାଇଁ ଜିଲ୍ଲାପାଳଙ୍କୁ କ୍ଷମତା ପ୍ରଦାନ କରାଯାଇଥିଲା। ଅନ୍ୟପକ୍ଷରେ ମହାତ୍ମା ଗାନ୍ଧୀ ନ୍ୟାସନାଲ ରୁରାଲ ଏମ୍ପ୍ଲୟମେଣ୍ଟ ଗ୍ୟାରେଣ୍ଟି ଆକ୍ଟ, ୨୦୦୫ ଅନୁସାରେ ନିଯୁକ୍ତ ଜିଆରଏସଙ୍କୁ ସେମାନେ ନିଯୁକ୍ତି ପାଇଥିବା ମୂଳ ପଞ୍ଚାୟତରୁ ଅନ୍ୟ ପଞ୍ଚାୟତକୁ ବଦଳି କରାଯାଇ ପାରିବ ନାହିଁ ଦର୍ଶାଇ ହାଇକୋର୍ଟରେ ରୁଜୁ ୩୦ରୁ ଅଧିକ ମାମଲାରେ ଆବେଦନକାରୀ ୨୦୧୩, ମାର୍ଚ୍ଚ ୧୩ର ନିର୍ଦ୍ଦେଶନାମା ରଦ୍ଦ ପାଇଁ ପ୍ରାର୍ଥନା କରିଥିଲେ। ଏଥି ସହିତ ଏପରି ନିର୍ଦ୍ଦେଶନାମା ବଳରେ କେତେକ ଜିଆରଏସଙ୍କୁ ଅନ୍ୟ ପଞ୍ଚାୟତକୁ ବଦଳି ପାଇଁ ପ୍ରଦାନ କରାଯାଇଥିବା ଆଦେଶର ବୈଧତାକୁ ନେଇ ମଧ୍ୟ କେତେକ ଆବେଦନରେ ପ୍ରଶ୍ନ ଉଠାଯାଇଥିଲା। ଜଷ୍ଟିସ ଏସ୍‌.ଏନ୍‌.ପ୍ରସାଦଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲା ଗୁଡିକର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ପ୍ରକାଶିତ ରାୟରେ ସରକାରଙ୍କ ନଷ୍ପତ୍ତିରେ ହସ୍ତକ୍ଷେପ ଆବଶ୍ୟକ ନାହିଁ ବୋଲି ଉଲ୍ଲେଖ କରାଯାଇ ଏ ସଂପର୍କିତ ସମସ୍ତ ଆବେଦନ ଖାରଜ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ଏମଜିନରେଗା ଆଇନ ଅନୁସାରେ ରାଜ୍ୟର ବିଭିନ୍ନ ପଞ୍ଚାୟତରେ ନିଯୁକ୍ତ ଜିଆରଏସଙ୍କ ବଦଳି ପ୍ରସଂଗରେ ରାଜ୍ୟ ସରକାର ୨୦୧୩ରେ ନିଷ୍ପତ୍ତି ଗ୍ରହଣ କରିଥିଲେ। ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ ତଥା ଡିପିସି ଜିଆରଏସଙ୍କ ବଦଳି ପ୍ରସଂଗରେ ନିଷ୍ପତ୍ତି ଗ୍ରହଣ କରି ପାରିବେ ବୋଲି ରାଜ୍ୟ ପଞ୍ଚାୟତରାଜ ସଚିବଙ୍କ ପକ୍ଷରୁ ୨୦୧୩, ମାର୍ଚ୍ଚ ୧୩ରେ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏହାପରେ କେତେକ ପଞ୍ଚାୟତରେ ନିଯୁକ୍ତ ଜିଆରଏସଙ୍କୁ ଅନ୍ୟ ପଞ୍ଚାୟତକୁ ବଦଳି କରାଯାଇଥିଲା। ସରକାରଙ୍କ ଏପରି ନିର୍ଦ୍ଦେଶନାମା ଓ ଏହାପରେ ଜାରି କରାଯାଇଥିବା ବଦଳି ଆଦେଶକୁ ଚାଲେଞ୍ଜ କରି ହାଇକୋର୍ଟରେ ୩୦ରୁ ଅଧିକ ମାମଲା ରୁଜୁ କରାଯାଇଥିଲା। ଆବେଦନ ଗୁଡିକରେ ଦର୍ଶାଯାଇଥିଲା ଯେ ଚୁକ୍ତି ଭିତ୍ତିକ ନିଯୁକ୍ତି ପାଇଥିବା ଜିଆରଏସଙ୍କୁ ଅନ୍ୟ ପଞ୍ଚାୟତକୁ ବଦଳି କରାଯାଇ ପାରିବ ନାହିଁ। ୨୦୦୬, ଅଗଷ୍ଟ ୨୫ର ନିୟମାବଳୀରେ ଜିଆରଏସଙ୍କ ବଦଳି ପାଇଁ କିଛି ବ୍ୟବସ୍ଥା ନାହିଁ । ଏହି ନିୟମ ଉଲ୍ଲଂଘନ କରି ଜିଆରଏସଙ୍କ ବଦଳି ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ।

ଏଥି ସହିତ ସରପଞ୍ଚଙ୍କ ସହିତ ସ୍ୱାକ୍ଷରିତ ଚୁକ୍ତିପତ୍ର ଅନୁସାରେ ଜଣେ ଜିଆରଏସଙ୍କୁ ସଂପୃକ୍ତ ପଞ୍ଚାୟତରେ ନିଯୁକ୍ତ କରାଯାଉଥିବା ବେଳେ ବଦଳି ପ୍ରସଂଗରେ ସରକାର ନିଷ୍ପତ୍ତି ଗ୍ରହଣ କରି ପାରିବେ ନାହିଁ। କାରଣ ସ୍ୱାକ୍ଷରିତ ଚୁକ୍ତିରେ ବଦଳି ପ୍ରସଂଗରେ କିଛି ବି ଉଲ୍ଲେଖ ନାହିଁ। ଅନ୍ୟପକ୍ଷରେ ଏପରି ଯୁକ୍ତିକୁ ବିରୋଧ କରି ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଏମଜିନରେଗା କେନ୍ଦ୍ରୀୟ ଯୋଜନା ଠିକ୍‌ ଭାବେ କାର୍ଯ୍ୟକାରୀ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ଅଧିକାରୀଙ୍କୁ ଆଇନ ଅନୁସାରେ କ୍ଷମତା ପ୍ରଦାନ କରାଯାଇଛି। ଯୋଜନାର ସୁଫଳ କିପରି ଜନସାଧାରଣ ଅଧିକ ପାଇ ପାରିବେ ତାହା ସରକାରୀ ଅଧିକାରୀ ତଦାରଖ କରୁଥିବା ବେଳେ କେଉଁ ପଞ୍ଚାୟତରେ କାହାକୁ ଜିଆରଏସ୍‌ ନିଯୁକ୍ତ କରାଯିବ ସେ ପ୍ରସଂଗରେ ନିଷ୍ପତ୍ତି ନେବାର ଅଧିକାର କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷଙ୍କ ରହିଛି। ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଦାନ କରାଯାଇଥିବା ଜିଆରଏସଙ୍କୁ ବଦଳି କରାଯାଇ ପାରିବ ଓ ଏଥି ପାଇଁ କିଛି ଆଇନଗତ ବାଧା ନାହିଁ। ଯୋଜନାର ସଫଳ ରୁପାୟନ ପାଇଁ ଜିଆରଏସଙ୍କ ବଦଳି ସଂପର୍କିତ ନିର୍ଦ୍ଦଶନାମା ଜାରି କରାଯିବା ସରକାରୀ ନୀତି ନିଷ୍ପତ୍ତି। ଏପରି ନିଷ୍ପତ୍ତିରେ କୌଣସି ଅନିୟମିତତା ସ୍ପଷ୍ଟ ହୋଇ ନଥିବା ବେଳେ ଏଥିରେ ହସ୍ତକ୍ଷେପର ଆବଶ୍ୟକତା ନାହିଁ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର