ବଡ ବଡିଆଙ୍କୁ ବାଣ୍ଟିଦେଲେ ପଞ୍ଚାୟତ ଦୋକାନ!

ସପରଞ୍ଚ, ଜିପିଓଙ୍କ କଥାରେ ରହୁନି ତାଳମେଳ

ରାଉରକେଲା/ନୂଆଗାଁ : ନୂଆଗାଁ ବ୍ଲକ ସୋରଡା ପଞ୍ଚାୟତ ଦୋକାନ ଗୃହ ଆବଣ୍ଟନରେ ବ୍ୟାପକ ଦୁର୍ନୀତିର ଅଭିଯୋଗ। ବିନା ସୂଚନା ଓ ଗ୍ରାମସଭା ହୋଇଛି ଏଭଳି ବେଆଇନ କାମ। ଥିଲାବାଲାଙ୍କ ଠାରୁ ମୋଟା ଅଙ୍କର ହାତଗୁଞ୍ଜା ନେଇ ସେମାନଙ୍କୁ ଦୋକାନ ଗୃହଗୁଡ଼ିକ ଟେକି ଦିଆଯାଇଛି। ଏମାନଙ୍କ ମଧ୍ୟରେ ଅଛନ୍ତି ସ୍ଥାନୀୟ ଅଞ୍ଚଳର ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ଓ ପଞ୍ଚାୟତ ସମିତିର ଅଧ୍ୟକ୍ଷ। ପ୍ରତ୍ୟେକଙ୍କ ଠାରୁ ୨୦ରୁ ୩୦ ହଜାର ଟଙ୍କା କରି ନିଆଯାଇଥିବା ଭଳି ସାଂଘାତିକ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ।

ସରପଞ୍ଚ ସମସ୍ତ ଦୋକାନ ଗୃହ ଆବଣ୍ଟନ କରାଯାଇଛି ବୋଲି କହୁଛନ୍ତି। କିନ୍ତୁ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ମାତ୍ର ୪ଟି ଦୋକାନ ଗୃହ ଆବଣ୍ଟନ ହୋଇଛି ବୋଲି ତଥ୍ୟ ମିଳୁଛି। ଯେଉଁ ଚାରି ଜଣ ଦୋକାନ ପାଇଛନ୍ତି ସେମାନେ ହେଲେ ସୋରଡାର କେ. ସାହୁ, ରଜନି ସାହୁ, ରିଜିୱାନା ପରବିନ୍‌ ଓ ବାରିବେଡାର ଜ୍ୟୋତି ଏସ୍‌ଏସ୍‌ଜି। ସେପଟେ ଦୋକାନ ଆବଣ୍ଟନ ସଂକ୍ରାନ୍ତରେ ସରପଞ୍ଚ ଓ ଗ୍ରାମ ପଞ୍ଚାୟତ ଅଧିକାରୀ (ଜିପିଓ)ଙ୍କ କଥାରେ ତାଳମେଳ ରହୁନି। ସରପଞ୍ଚ କହୁଛନ୍ତି ନିର୍ମାଣ ହୋଇଥିବା ମୋଟ ୧୫ଟି ଦୋକାନ ଗୃହରୁ ସବୁତକ ବାଣ୍ଟି ଦିଆଯାଇଛି। ଗ୍ରାମ ପଞ୍ଚାୟତ ଅଧିକାରୀ ପ୍ରଶାନ୍ତ କୁମାର ସିହ୍ନା କହିଛନ୍ତି ଦୋକାନ ଆବଣ୍ଟନରେ କୌଣସି ନୀତିନିୟମ ପାଳନ କରାଯାଇ ନାହିଁ। ଏତେ ଦୋକାନ ଆବଣ୍ଟନ ହୋଇ ନାହିଁ। ଆବଶ୍ୟକ ପଡିଲେ ସମସ୍ତ ଦୋକାନଗୁଡ଼ିକୁ ବାତିଲ କରି ପୁଣି ନୀତିନିୟମ ଅନୁଯାୟୀ ଆବଣ୍ଟନ କରାଯିବ।

ସୋରଡା ପଞ୍ଚାୟତ ରାଜସ୍ବ ବୃଦ୍ଧି ପାଇଁ ୨୦୦୩ରେ ୧୨ଟି ଓ ୨୦୧୮-୧୯ରେ ୩ଟି ଏମିତି ମୋଟ ୧୮ଟି ଦୋକାନ ଗୃହ ନିର୍ମାଣ କରାଯାଇଛି। ଏ ବାବଦରେ ବିଭିନ୍ନ ପାଣ୍ଠିରୁ ପ୍ରାୟ ୪୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ନିର୍ମାଣ ହୋଇଥିବା ଦୋକାନଗୁଡ଼ିକୁ ଆବଶ୍ୟକ ଥିବା ଗରିବ ଶ୍ରେଣୀର ଲୋକଙ୍କୁ ଦେବାର ଆବଶ୍ୟକତା ରହିଛି। ଯାହା ସୋରଡା ପଞ୍ଚାୟତରେ କରାଯାଇ ନାହିଁ। ବିନା ନୋଟିସ୍, ବିନା ଗ୍ରାମସଭାରେ କାହାକୁ କିଛି ନ କହି ସରପଞ୍ଚ ପରବିନ୍‌ ଏକ୍କା କିଛି ଥିଲାବାଲା ଲୋକଙ୍କୁ ବାଣ୍ଟି ଦେଇଛନ୍ତି ବୋଲି ଗୁରୁତର ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକ। ସେମାନେ ଦୋକାନ ଆବଣ୍ଟନ ଦୁର୍ନୀତିର ତଦନ୍ତ କରିବାକୁ ପାନପୋଷ ଉପଜିଲ୍ଲାପାଳଙ୍କ ଦୃ୍ଷ୍ଟି ଆକର୍ଷଣ କରିଛନ୍ତି। ଏ ଦିଗରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରା ନଗଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି।

ସେପଟେ ସରପଞ୍ଚ ପରବିନ୍‌ ଏକ୍କା କହିଛନ୍ତି, ସମସ୍ତ ଦୋକାନ ଗୃହ ବଣ୍ଟନ କରି ଦିଆଯାଇଛି। ଏଥିରେ କୌଣସି ବ୍ୟତିକ୍ରମ କରାଯାଇ ନାହିଁ। ତେବେ ସରପଞ୍ଚ କହୁଥିବା ତଥ୍ୟ, ପଞ୍ଚାୟତ ଅଫିସ୍‌ରୁ ମିଳିଥିବା ଆର୍‌ଟିଆଇ ତଥ୍ୟ ମଧ୍ୟରେ ତାଳମେଳ ରହୁ ନଥିବାରୁ ଦୁର୍ନୀତିର ଗନ୍ଧ ବାହାରିବା ସ୍ବାଭାବିକ। ପାନପୋଷ ଉପଜିଲ୍ଲାପାଳ ସୋରଡା ପଞ୍ଚାୟତ ଅଫିସ୍‌ ପକ୍ଷରୁ ଦୋକାନ ଆବଣ୍ଟନରେ ହୋଇଥିବା ଦୁର୍ନୀତିର ତଦନ୍ତ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର