ଭୁବନେଶ୍ବର : ଗ୍ରାମାଞ୍ଚଳରେ ଶିକ୍ଷା ଓ ସ୍ବାସ୍ଥ୍ୟସେବା ଭିତ୍ତିଭୂମିର ରକ୍ଷଣାବେକ୍ଷଣ ଏଣିକି ପଞ୍ଚାୟତ କରିବ। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଆଜି ଲୋକସେବା ଭବନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକରେ କେତୋଟି ନିଷ୍ପତ୍ତି ହୋଇଛି। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମାଞ୍ଚଳରେ ଥିବା ପ୍ରାଥମିକ ବିଦ୍ୟାଳୟ କୋଠାର ମରାମତି ପଞ୍ଚାୟତ କରିବ। ସେହିପରି ହାଇସ୍କୁଲ କୋଠା ମରାମତି ଦାୟିତ୍ବ ପଞ୍ଚାୟତ ସମିତିକୁ ପ୍ରଦାନ କରାଯାଇଛି। ଏଥିପାଇଁ ଆବଶ୍ୟକ ପାଣ୍ଠି ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ଯୋଗାଇଦିଆଯିବ। ସେହିପରି ଅଙ୍ଗନବାଡ଼ି କେନ୍ଦ୍ରର ରକ୍ଷଣାବେକ୍ଷଣ ବି ପଞ୍ଚାୟତ କରିବ। କେବଳ ସବଡିଭିଜନ୍‌ ହସ୍ପିଟାଲର ମରାମତି ଗ୍ରାମ୍ୟ ଉନ୍ନୟନ ବିଭାଗ ହାତରେ ରହିବା ବେଳେ ପୂର୍ତ୍ତ ବିଭାଗ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମରାମତି କରିବେ ବୋଲି ନିଷ୍ପତ୍ତି ହୋଇଛି।

Advertisment

ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଓ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ଶାସନ ସଚିବ ଦେଓରଞ୍ଜନ ସିଂହ ଉପସ୍ଥିତ ଥିଲେ। କମିଟିରେ ସଦସ୍ୟ ଥିବା ସ୍ବାସ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ କାର୍ଯ୍ୟବ୍ୟସ୍ତତା ଯୋଗୁଁ ଅନୁପସ୍ଥିତ ଥିଲେ।