ପଞ୍ଚାୟତ ଭୋଟ୍‌: ପୋଛିନେଉଛି ବିଜେଡି; ପ୍ରଥମ ଦିନରେ ବିଜେପି ଓ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ

୩୧୫ ଜିଲ୍ଲା ପରିଷଦ ଜୋନ୍‌ର ଗଣତି ଚାଲିଛି

ଭୁବନେଶ୍ବର : ପରସ୍ପର ବିରୋଧରେ ବିଷୋଦଗାର କଲେ; କିଏ ଗୀତରେ, ଆଉ କିଏ ଭାଷଣରେ। କେଉଁଠି ରକ୍ତାକ୍ତ ସଂଘର୍ଷ ହେଲା, ଆଉ କେଉଁଠି ବୁଥ ଭିତରେ ମାରପିଟ ଦେଖିବାକୁ ମିଳିଲା। ସବୁ ଦଳ ଦାବିକରୁଥିଲେ ଯେ ସେମାନେ ୨୦୧୭ ତୁଳନାରେ ବେଶ୍ ଭଲ କରିବେ। ହେଲେ ଶନିବାର ଦିନ ଯେତେବେଳେ ପଞ୍ଚାୟତ ଭୋଟ୍ ବାକ୍ସ ଫିଟିଲା ଓ ଗୋଟାଏ ପରେ ଗୋଟିଏ ବୁଥର ଗଣତି ଆରମ୍ଭ ହେଲା, ସେଥିରୁ ଅବିଶ୍ବସନୀୟ ଫଳାଫଳ ସାମ୍ନାକୁ ଆସିବା ଆରମ୍ଭ କରିଛି। ରାତି ୧୨ଟା ୪୫ ବେଳକୁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ରିପୋର୍ଟ କହୁଛି ଯେ ୮୯ ପ୍ରତିଶତ ଆସନରେ ବିଜୁ ଜନତା ଦଳ ଆଗରେ ରହିଛି। ତା’ପାଖାପାଖି ସ୍ଥିତିରେ ଆଉ କେହି ନାହାନ୍ତି। କେବେ ତିନି ନମ୍ବର ସ୍ଥାନକୁ ବିଜେପି ଖସିଯାଉଛି ତ ଆଉ କେବେ ସାମାନ୍ୟ ଉପରକୁ ଆସି ଦୁଇ ନମ୍ବର ସ୍ଥାନକୁ ବଜାୟ ରଖିବା ଲାଗି ସଂଘର୍ଷ କରୁଛି। ବିଜେପି ୪ ପ୍ରତିଶତ ଆସନରେ ଆଗୁଆ ରହି ତୃତୀୟ ସ୍ଥାନକୁ ଖସିଯାଇଥିବା ବେଳେ କଂଗ୍ରେସ ୫ ପ୍ରତିଶତ ଆସନରେ ଆଗରେ ରହି ଦୁଇନମ୍ବରକୁ ଉନ୍ନୀତ ହୋଇଛି।

ବିଜେଡି ୨୮୧, ବିଜେପି ୧୪, କଂଗ୍ରେସ ୧୫ ଆସନରେ ଆଗୁଆ
୫୭ ଆସନର ଫଳାଫଳ ପ୍ରକାଶ ପାଇଲା, ବିଜେଡି ନେଇଛି ୪୪
କଂଗ୍ରେସ ଖାତାରେ ୬ ଓ ୫ଟିରେ ଜିତିଛି ବିଜେପି
୨୧ଜିଲ୍ଲାରେ ବିଜେପି, ୨୩ଜିଲ୍ଲାରେ କଂଗ୍ରେସ ଖାତା ଖୋଲିନି

ଶନିବାର ଦିନ ପ୍ରଥମ ପର୍ଯ୍ୟାୟରେ ୩୧୫ ଜିଲ୍ଲା ପରିଷଦ ଆସନର ଏଭଳି ଫଳାଫଳ ରାଜ୍ୟବାସୀଙ୍କୁ ଚମକାଇ ଦେଇଛି। ରିପୋର୍ଟ ଲେଖା ହେବା ବେଳକୁ ବିଜେଡି ୨୮୧ ଆସନରେ ଆଗରେ ରହିଛି, କଂଗ୍ରେସ ୧୫ଟିରେ ଏବଂ ବିଜେପି ୧୪ଟି ଆସନରେ ଆଗରେ ରହିଛି। ସ୍ବାଧୀନ ପ୍ରାର୍ଥୀ ୨ଟିରେ ଓ ଅନ୍ୟାନ୍ୟ ୩ଟି ଆସନରେ ଆଗରେ ରହିଛନ୍ତି। ରାଜ୍ୟ ନିର୍ବାଚନ ଆୟୋଗଙ୍କ ରିପୋର୍ଟ ଆହୁରି କହୁଛି ଯେ ଦିନସାରା ଗଣତି ହେବା ପରେ ବି ମାତ୍ର ୫୭ଟିର ଫଳାଫଳ ସାମ୍ନାକୁ ଆସିଛି। ଏ ମଧ୍ୟରୁ ବିଜେଡି ୪୪ଟି ଆସନରେ ବିଜୟ ଲାଭ କରିଥିବା ବେଳେ କଂଗ୍ରେସ ୬ଟି ଓ ବିଜେପି ୫ଟି ଜୋନ୍ ଦଖଲ କରିଛି। ସ୍ବାଧୀନ ପ୍ରାର୍ଥୀ ଦୁଇଟି ଆସନରେ ଜିତିଛନ୍ତି, ଯେଉଁଥିରେ ଚର୍ଚ୍ଚିତ କୋଟିଆ
ଆସନ ବି ରହିଛି।

ପଞ୍ଚାୟତ ଭୋଟ୍‌ର ପ୍ରଥମ ଦିନର ଗଣତିର ଏଭଳି ଫଳାଫଳ ଆଜି ସମସ୍ତଙ୍କୁ ଆଚମ୍ବିତ କରିଛି। ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, କଂଗ୍ରେସ, ବି‌େଜପି ନିଜ ନିଜର ସ୍ଥିତି ଦେଖି ବିସ୍ମିତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୨ ବର୍ଷ ଶାସନ ପରେ ବି ଭୋଟର ତାଙ୍କ ପ୍ରତି ଏତେ ଆସ୍ଥା ଅଜାଡି ଦେଇଛନ୍ତି, ଏକଥା ଖୋଦ୍ ଦଳର ନେତାମାନେ ବି ବିଶ୍ବାସ କରିପାରୁନାହାନ୍ତି। ଦିନତମାମ ଦଳର ନେତାମାନେ ଗଣମାଧ୍ୟମରେ ନବୀନଙ୍କ ଜୟ ଜୟ କାର ଚଳାଇଛନ୍ତି ଓ କୁରୁଳି ଉଠୁଛନ୍ତି। ସେପଟେ ବିଜେପି ଅତ୍ୟନ୍ତ ଶୋଚନୀୟ ପ୍ରଦର୍ଶନ କରିଛି, ଯାହା ଦେଖି ଦଳର ଜାତୀୟ ନେତାମାନେ ବି ଆଖିତରାଟି ଦେଲେଣି। କାହା ମୁଣ୍ଡରେ ଦୋଷ ଲଦିବେ, କେଉଁ ପ୍ରସଙ୍ଗ ଉଠାଇ ପ୍ରତିପକ୍ଷଙ୍କୁ ମୁକାବିଲା କରିବେ, ସେ ନେଇ ଚିନ୍ତାରେ। ସବୁଠୁ ଚକିତ କଲା ଭଳି ଘଟଣା ହେଉଛି ଯେ ଏବେ ସୁଦ୍ଧା ବିଜେପି ୨୧ଟି ଜିଲ୍ଲାରେ ଖାତା ଖୋଲିପାରି ନାହିଁ। କଂଗ୍ରେସ ୨୩ଟି ଜିଲ୍ଲାରେ ମାଟି କାମୁଡ଼ି ପଡ଼ିଛି। ହେଲେ ଦଳ ସାମାନ୍ୟ ଆଶ୍ବସ୍ତ ଅଛି କାରଣ, ବିଜେପି ଠାରୁ ଉପରେ ରହିଛି ତାର ସଂଖ୍ୟା। ଉଭୟ ଦଳର ନେତାଙ୍କ ଭିତରେ ଭାଳି ପଡ଼ିଗଲାଣି ଯେ ବାକି ଦୁଇଟି ପର୍ଯ୍ୟାୟରେ ଫଳାଫଳ କଣ ହେବ?

ଶନିବାର ସକାଳୁ ପଞ୍ଚାୟତ ଭୋଟ୍ ଗଣତିର ପ୍ରଥମ ଦିନରେ ତଥା ପ୍ରଥମ ପର୍ଯ୍ୟ‌ାୟରେ ବିଜେଡି ଏକପା‌ଖିଆ ଅର୍ଥାତ୍ ଆଗୁଆ ଚାଲିଛି। ବିଜେପି ଦିନତମାମ୍‌ ଥରେ ବି ନେତାଙ୍କୁ ଖୁସି କରିବା ଭଳି ସଂଖ୍ୟା ଦେଇପାରିଲାନି। କଂଗ୍ରେସ ୩୦ ଟପିଲାନି। ଏପରିକି ଗଣତି ଯେତେ ରାଉଣ୍ଡ ବଢ଼ୁଥିଲା ବିରୋଧୀଙ୍କ ଗଡ଼ ସେତେ ଦୋହଲୁଥିଲା। ଅଧିକାଂଶ ଜିଲ୍ଲାରେ ବିରୋଧୀ ମୂଳପୋଛ ହେବା ସ୍ଥିତି ଉପୁଜିଛି। ଉପକୂଳ ଓଡ଼ିଶାରେ ବିରୋଧୀ ମୂ​ଳପୋଚ୍ଛ ସ୍ଥିତିକୁ ଚାଲିଯିବା ଭଳି ଆଶଙ୍କା ଉପୁଜିଛି। ନିଜ ଗଡ ପଶ୍ଚିମ ଓଡ଼ିଶାରେ ବିଜେପି ସମ୍ମାନ ରହିବ କି ନାହିଁ, ତାକୁ ନେଇ ଦଳର ଶୀର୍ଷ ନେତା ଚିନ୍ତାରେ ପଡିଛନ୍ତି। କଂଗ୍ରେସ ସ୍ଥିତି ବି ସେୟା।

ପ୍ରଥମ ଦିନର ଗଣତି ଆହୁରି ସୂଚାଇଛି ଯେ ପ୍ରାୟ ସବୁ ଜିଲ୍ଲାରେ ବିଜେଡି ପଲା ଭାରି ରହିଛି। ଏହି ଧାରା ଜାରି ରହିଲେ, ସିଂହଭାଗ ଆସନ ଦଖଲ କରି ଜିଲ୍ଲା ପରିଷଦ ସଭାପତି ପଦବି ହାତେଇବେ ବୋଲି ଦଳର ନେତାମାନେ ଏବେଠାରୁ ସ୍ବପ୍ନ ଦେଖିଲେଣି। ଅନ୍ୟପକ୍ଷରେ ବିଜେପି ୨୦୧୭ରେ ଯେତିକି ଜିଲ୍ଲାରେ ପରିଷଦ ଗଠନ କରିଥିଲା ତାହା ଭାଙ୍ଗିବାରେ ଲାଗିଛି। ମୟୂରଭଞ୍ଜ, ବରଗଡ଼, କଳାହାଣ୍ଡି, କେନ୍ଦ୍ରାପଡ଼ା ଆଦି ସ୍ଥାନରେ ବିଜେପି ଗତ ଥର ବିଜେଡିକୁ ଚକ୍‌ମା ଦେଖାଇଥିବା ବେଳେ ଏଥର ସେସବୁ ସ୍ଥାନରେ କରିସ୍ମା ଦେଖାଇପାରିନି। ୨୦୧୯ ନିର୍ବାଚନରେ ବିଜେପି ଜିତିଥିବା ଆଠଟି ସଂସଦୀୟ କ୍ଷେତ୍ରରେ ମଧ୍ୟ ଅତି ଖରାପ ପ୍ରଦର୍ଶନ କରିଛି। କଂଗ୍ରେସ ସାରା ରାଜ୍ୟରେ ମାଟି କାମୁଡ଼ି ଥିଲେ ବି ରାୟଗଡ଼ା, କୋରାପୁଟ ଓ ଗଜପତିରେ ଭଲ ପ୍ରଦର୍ଶନ କରିଛି। ପରୀ ହତ୍ୟା ମାମଲା, ମାହାଙ୍ଗା ଡବଲ୍ ମର୍ଡର ପ୍ରସଙ୍ଗ ଏବଂ ମମିତା ମେହେର ମୃତ୍ୟୁ ପ୍ରସଙ୍ଗର କୌଣସି ପ୍ରଭାବ ନିର୍ବାଚନ ଉପରେ ପଡିନାହିଁ। ସେସବୁ ଅଞ୍ଚଳରେ ବିଜେଡି ଭଲ ପ୍ରଦର୍ଶନ କରିଥିବା ରିପୋର୍ଟ କହୁଛି।

ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ବିଜେଡି ସବୁ ଜିଲ୍ଲାରେ ବିରୋଧୀଙ୍କ ତୁଳନାରେ ଅଧିକ ସିଟ୍‌ରେ ଆଗୁଆ ଅଛି। ବିଜେପି ବାଲେଶ୍ବର ଓ ବରଗଡ଼ରେ ୨ଟି ଲେଖାଏଁ, କଳହାଣ୍ଡି, ଢେଙ୍କାନା​ଳରେ ୨ଟି, ଖୋର୍ଦ୍ଧା, କେନ୍ଦୁଝର, କଟକ, ବୌଦ୍ଧ, ବଲାଙ୍ଗୀରରେ ଗୋଟିଏ ଜୋନ୍‌ରେ ଆଗୁଆ ଥିବାବେଳେ କଂଗ୍ରେସ ରାୟଗଡ଼ାରେ ୪ଟି, କୋରାପୁଟରେ ୫ଟି, କନ୍ଧମାଳ ଓ ଗଜପତିରେ ୨ଟି ଲେଖାଏଁ ଏବଂ ସୋନପୁର, ମାଲକାନିଗିରି ଓ ବଲାଙ୍ଗୀରରେ ଗୋଟିଏ ଲେଖାଏଁ ଜୋନ୍‌ରେ ଆଗରେ ଅଛି। ମିଳୁଥିବା ଖବର ଅନୁସାରେ, ରାତି ୧ଟା ପାଖାପାଖି ଗଣତି ବନ୍ଦ ରହିଛି। ରବିବାର ସକାଳୁ ପୁଣି ଗଣତି ଆରମ୍ଭ ହେବ।

ମୋଟ୍‌ ୮୫୩ଟି ଜିଲ୍ଲା ପରିଷଦ ଜୋନ୍‌ରେ ଥିବା ୯୧୯୧୩ଟି ବୁଥ୍‌ ମଧ୍ୟରୁ ଆଜି ୩୧୫ଟି ଜୋନ୍‌ର ପ୍ରାୟ ୩୦ହଜାରରୁ ଅଧିକ ବୁଥ୍‌ ଫଳାଫଳ ଆସିବାର ଅଛି। ହେଲେ ପ୍ରାୟ ୨୩୬୭୪ଟି ବୁଥ୍‌ର ଫଳାଫଳରେ ବିଜେଡି ବିରୋଧୀ ବିଜେପି ଓ କଂଗ୍ରେସକୁ ବହୁ ପଛରେ ପକାଇ ଦେଇଛି। ବିଜେଡି ଅଧିକାଂଶ ଜିଲ୍ଲାରେ ଭଲ କରୁଥିବାରୁ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ଯେ ରବିବାର ୩୦୭ଟି ଏବଂ ସୋମବାର ୨୨୯ଟି ଜିଲ୍ଲା ପରିଷଦ ଜୋନ୍‌ର ଭୋଟ୍ ଗଣତି କରିବାକୁ ନିଷ୍ପତ୍ତି ହୋଇଛି। ପ୍ରତିଦିନ ଧାର୍ଯ୍ୟ ଜୋନ୍‌ର ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ଭୋଟ୍‌ ଗଣତି ହେବ ବୋଲି ନିଷ୍ପତ୍ତି ହୋଇଛି। ୨୮ତାରିଖ ସୁଦ୍ଧା ହିଁ ସମସ୍ତ ଭୋଟ୍ ଗଣତି ଶେଷ ହେବ। ୨୯ତାରିଖ ପୂର୍ବରୁ ନିର୍ବାଚନ ଅଧିକାରୀମାନେ ୯୧୯୧୩ଟି ୱାର୍ଡମେମ୍ବର ପଦବି, ୬୭୯୩ଟି ସରପଞ୍ଚ ଓ ସମିତି ସଭ୍ୟ ଏବଂ ୮୫୩ଟି ଜିଲ୍ଲା ପରିଷଦ ଜୋନ୍‌ର ବିଜେତାଙ୍କ ନାମ ଘୋଷଣା କରିବେ।

ପଞ୍ଚାୟତ ଫଳ: କିଏ କେଉଁଠି ଆଗରେ (ରାତି ୧ଟା ସୁଦ୍ଧା)

ସମ୍ବନ୍ଧିତ ଖବର