ଗଣ୍ଡମ ପଞ୍ଚାୟତବାସୀଙ୍କ ଭୋଟ୍‌ ବର୍ଜନ ଚେତାବନୀ: ମୋବାଇଲ ଟାୱାର ନାହିଁ ତ, ଭୋଟ ନାହିଁ

ଦେବଗଡ଼ : ଦେବଗଡ଼ ଜିଲ୍ଲା ଲଇମୁରାର କିଛି ଅଂଚଳରେ ମୋବାଇଲ ନେଟ୍‌ୱର୍କ ଆସୁଥିବାବେଳେ ଅନ୍ୟ ୬ଟି ପଞ୍ଚାୟତରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋବାଇଲ ସେବା ଅପହଞ୍ଚ ହୋଇ ରହିଛି। ମୋବାଇଲ ସେବା ପ୍ରଦାନ ଦାବିରେ ଡିସେମ୍ବର ୧୨ ତାରିଖରେ ଲୁଢ଼ର ଗ୍ରାମର କଲେଜ ପଡ଼ିଆଠାରେ ଡିମିରିକୁଦା, ଗଣ୍ଡମ, ଝରାଗୋଗୁଆ, ପାରପୋଷି, ଝାରମୁଣ୍ଡା, ଲଇମୁରା ପଞ୍ଚାୟତବାସୀ ଏକାଠି ହୋଇ ଏକ ବୈଠକ କରିଥିଲେ। ବୈଠକରେ ଆଗାମୀ ୨ ମାସ ମଧ୍ୟରେ ମୋବାଇଲ ସେବା ସମସ୍ୟା ଦୂର କରା ନଗଲେ ଉକ୍ତ ପଞ୍ଚାୟତବାସୀ ପଞ୍ଚାୟତ ନିର୍ବାଚନ ବର୍ଜନ କରିବ‌େ ବୋଲି ନିଷ୍ପତ୍ତି ନେଇଥିଲେ। ୪ ତାରିଖ ଦିନ ପୁଣି ଥରେ ଡିମିରିକୁଦା ପଞ୍ଚାୟତବାସୀଙ୍କ ନେଇ କ୍ଷମାସାଗର ନାୟକଙ୍କ ଅଧ୍ୟକ୍ଷତାରେ ଲୁଢର ମହାବିଦ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଡିମିରିକୁଦା ପଞ୍ଚାୟତର ସମସ୍ତ ୱାର୍ଡର ଲୋକମାନେ ଉପସ୍ଥିତ ଥିଲେ।

ମୋବାଇଲ ସେବା ପ୍ରଦାନ ଦାବିରେ ଜିଲ୍ଲାପ୍ରଶାସନଠାରୁ ଆରମ୍ଭ କରି ବିଭାଗୀୟ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଶେଷରେ ଆଗାମୀ ପଞ୍ଚାୟ ନିର୍ବାଚନ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପଟେ ଗଣ୍ଡମ ପଞ୍ଚାୟତବାସୀ ମଧ୍ୟ ଗଣ୍ଡମ ଗ୍ରାମ ବଜାର ପ୍ରାଙ୍ଗଣରେ ବୁଧବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯୁଗଳ କିଶୋର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ପଞ୍ଚାୟତର ସମସ୍ତ ୱାର୍ଡର ଲୋକମାନେ ଉପସ୍ଥିତ ଥିଲେ। ବୈଠକରେ ଉକ୍ତ ଅଞ୍ଚଳରେ ମୋବାଇଲ ସେବା ସମସ୍ୟା ନେଇ ବିଭିନ୍ନ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ବିଭାଗୀୟ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କ‌ୌଣସି ସୁବିଧା କରାଯାଇ ନଥିବା ଯୋଗୁଁ ମୋବାଇଲ ଟାୱାର ନାହିଁ ତ ଭୋଟ୍‌ ନାହିଁ ଏବଂ ଆଗାମୀ ପଞ୍ଚାୟତ ନିର୍ବାଚନ ବର୍ଜନ କରିବ‌େ ବୋଲି ନିଷ୍ପତ୍ତି ନେଇଥିଲେ। ଏହା ସହିତ ‌ନିର୍ବାଚନ ପାଇଁ ହେବାକୁ ଥିବା ପ୍ରାର୍ଥିପତ୍ର ଦାଖଲ ମଧ୍ୟ କରାଇ ଦେବେ ନାହିଁ ବୋଲି ପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି।

କେନ୍ଦ୍ର ସରକାର ଡିଜିଟାଲ୍‌ ଇଣ୍ଡିଆର ନାରା ଦେଉଥିଲେ ମଧ୍ୟ ଉକ୍ତ ୬ ପଞ୍ଚାୟତର ଲୋକେ ମୋବାଇଲ୍‌ ସେବା ପାଇପାରୁ ନାହାନ୍ତି। ଏଠାରେ ଟାୱାର ରହିଛି ସତ, ତାହା କେତେବେଳେ କାର୍ଯ୍ୟକ୍ଷମ ତ ଆଉ କେତେବେଳେ କାମ କରୁନି। ଉକ୍ତ ଅଞ୍ଚଳରେ ନିର୍ଦିଷ୍ଟ କେତେକ ସ୍ଥାନରେ ନେଟ୍‌ୱର୍କ ଆସୁଛି। ଏପରି କି ମୋବାଇଲ ସେବା ନଥିବା ଯୋଗୁଁ କୌଣସି ଦୁଘର୍ଟଣା କି ଆପରାଧିକ ଘଟଣା ଘଟିଲେ ସେ ବାବଦରେ କାହାକୁ ସୂଚନା ଦେଇ ହେଉନି। ବର୍ତ୍ତମାନ ସବୁ ସରକାରୀ କାର୍ଯ୍ୟ ଅନ୍‌ଲାଇନ୍‌ରେ କରାଯାଉଥିବା ବେଳେ ଉକ୍ତ ଅଂଚଳବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସମ୍ବନ୍ଧିତ ଖବର