ପ୍ରଥମ ଦିନରେ ଉଭୟ ବିଜେପି ଓ କଂଗ୍ରେସକୁ ଧକ୍କା
୩୧ରୁ ୩୦ ଜୋନ୍ରେ ବିଜେଡି ଆଗୁଆ; ଗୋଟିଏରେ ବିଜେପି
୨୦୧୭ ତୁଳନାରେ ବିଜେପି ୬, କଂଗ୍ରେସ ଗୋଟିଏ ଜୋନ୍ ହରାଇବା ସ୍ଥିତି
କଟକ : କଟକ, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାରେ ପ୍ରଥମ ଦିନର ଗଣତିରେ ବିଜେଡି ଉଲ୍ଲେଖନୀୟ ବିଜୟ ଅଭିଯାନର ମୂଳଦୁଆ ପକାଇଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ଗଣତିର ଫଳାଫଳ ଅନୁଯାୟୀ ବିଜେଡି ନିଜର ଜୋନ୍ ସଂଖ୍ୟା ୨୦୧୭ ନିର୍ବାଚନ ତୁଳନାରେ ବୃଦ୍ଧି କରିବାକୁ ଯାଉଛି। ୩ଟି ଜିଲ୍ଲାର ମୋଟ ୩୧ଟି ଜୋନ୍ ପାଇଁ ଶନିବାର ଦିନ ଗଣତି ହୋଇଥିବା ବେଳେ ସେଥିରେ ବିଜେଡି ୩୦ ଟି ଜୋନ୍ରେ ଆଗୁଆ ରହି ବିଜୟର ନିକଟବର୍ତ୍ତୀ ହୋଇଛି। କେନ୍ଦ୍ରାପଡା ଓ ଜଗତସିଂହପୁରରେ ସବୁ ଜୋନ୍ ବିଜେଡି ହାତକୁ ଯିବାର ସ୍ଥିତି ଥିବା ବେଳେ କଟକରେ ୧ଟି ଜୋନ୍ ବିଜେଡି ହାତ ଛଡା କରିବାର ସ୍ଥିତି ରହିଛି।
କଟକର ୪୬ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ଆଜି ୧୪ଟି, କେନ୍ଦ୍ରାପଡାର ୩୨ଟି ଜୋନ୍ରୁ ୯ଟି ଏବଂ ଜଗତସିଂହପୁରର ୨୬ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ୮ଟି ଜୋନ୍ର ଗଣତି ହୋଇଛି। କଟକର ୧୪ଟି ମଧ୍ୟରୁ ବିଜେଡି ୧୩ଟି ଜୋନ୍ରେ ବିଜୟୀ ହେବାକୁ ଯାଉଥିବା ବେଳେ ବିଜେପିକୁ ଗୋଟିଏ ଜୋନ୍ରେ ସନ୍ତୁଷ୍ଟ ହେବାର ସ୍ଥିତି ରହିଛି।
ଅନ୍ୟପଟେ ଉଭୟ କେନ୍ଦ୍ରାପଡା ଓ ଜଗତସିଂହପୁର ସମସ୍ତ ୧୭ଟି ଜୋନ୍ ବିଜେଡି ହାତେଇବାକୁ ବସିଛି। ହାତଗଣତି କେତୋଟି ଜୋନ୍କୁ ବାଦ୍ ଦେଲେ ଅଧିକାଂଶ ଜୋନରେ ବିଜେଡି ପ୍ରାର୍ଥୀମାନେ ସ୍ପଷ୍ଟ ବହୁମତ ସ୍ଥିତିରେ ରହିଛନ୍ତି। ଅର୍ଥାତ ବିଜେପି-କଂଗ୍ରେସ ପ୍ରାର୍ଥୀଙ୍କ ଭୋଟ ଠାରୁ ବି ବିଜେଡି ପ୍ରାର୍ଥୀ ଅଧିକ ଭୋଟ୍ ପାଇ ବିଜୟୀ ହୋଇଛନ୍ତି।
କଟକର ୧୪ଟି ଜୋନ୍ରୁ ଯେଉଁ ୧୩ଟି ଜୋନ୍ରେ ବିଜେଡି ପ୍ରାର୍ଥୀ ବିଜୟର ନିକଟତର ହୋଇଛନ୍ତି। ସେଥିରୁ ସଦର ନିର୍ବାଚନ ମଣ୍ଡଳୀର ଗୋଟିଏ ଜୋନ୍ରେ ସ୍ବାଧୀନ ପ୍ରାର୍ଥୀ (ଅସନ୍ତୁଷ୍ଟ ବିଜେଡି) ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଏହି ଆସନରେ କଡା ଟକ୍କର ଦେଖିବାକୁ ମିଳିଛି। ଅନ୍ୟ ୧୨ଟି ଜୋନ୍ରୁ ୨ଟି ଜୋନ, ବାଙ୍କୀ ଓ ବାଙ୍କୀ-ଡମପଡ଼ା ଜୋନ୍ରେ କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଅନ୍ୟ ସବୁଠି ବିଜେପି ଦ୍ବିତୀୟ ସ୍ଥାନରେ ରହିଛି। ୨୦୧୭ ପଂଚାୟତ ନିର୍ବାଚନ ଫଳାଫଳ ସହିତ ଏଥର ଫଳାଫଳକୁ ତୁଳନା କଲେ ୧୪ଟି ଜୋନ୍ରୁ ବଡମ୍ବା ନିର୍ବାଚନ ମଣ୍ଡଳୀର ୨ଟି ଜୋନ୍କୁ ବିଜେପି ହାତରୁ ଛଡ଼ାଇ ନେବାକୁ ଯାଉଛି ବିଜେଡି। ଅନ୍ୟପଟେ ବାଙ୍କୀ ନିର୍ବାଚନ ମଣ୍ଡଳୀର ବାରଙ୍ଗ ଜୋନ୍କୁ ବିଜେଡି ହାତରୁ ବିଜେପି ଛଡାଇ ନେବାର ସ୍ଥିତି ସୃଷ୍ଟି ହୋଇଛି। ଅର୍ଥାତ କଟକ ଜିଲ୍ଲାରେ ଆଜି ଗଣତି ହୋଇଥିବା ୧୪ଟି ଜୋନ୍ରୁ ବିଜେଡି ଗୋଟିଏ ପୂର୍ବ ଜୋନ୍ ହରାଇବା ସ୍ଥିତି ଥିବା ବେଳେ ୩ଟି ନୂଆ ଜୋନ୍ ହାତେଇବାର ସ୍ଥିତି ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ବିଜେଡି ଓ କଂଗ୍ରେସ ନିଜ ସଂଖ୍ୟା ବୃଦ୍ଧି କରିବାର ସ୍ଥିତିକୁ ଆସିଥିବା ବେଳେ ବିଜେପିର ସଂଖ୍ୟା ହ୍ରାସ ପାଇବା ସ୍ଥିତି ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଯେ ୨୦୧୭ରେ କଟକ ଜିଲ୍ଲାର ମୋଟ ୪୬ ଜୋନ୍ରୁ ବିଜେଡି ୩୭, ବିଜେପି ୮ ଓ ସ୍ବାଧୀନ ପ୍ରାର୍ଥୀ ଗୋଟିଏ ଜୋନ୍ରେ ବିଜୟୀ ହୋଇଥିଲେ।
ଅନ୍ୟପଟେ ପ୍ରଥମ ଦିନର ଭୋଟ ଗଣତିରେ କେନ୍ଦ୍ରାପଡାରେ ବିଜେପିକୁ ଧକ୍କା ଲାଗିଛି। ଆଜି କେନ୍ଦ୍ରାପଡା ଜିଲ୍ଲାର ୯ଟି ଜୋନ୍ରେ ଭୋଟ ଗଣତି ହୋଇଥିବା ବେଳେ ୯ଟି ଯାକ ଜୋନ୍ ବିଜେଡି ହାତକୁ ଯିବା ଏକପ୍ରକାର ସ୍ପଷ୍ଟ ହେବାରେ ଲାଗିଛି। କିନ୍ତୁ ୨୦୧୭ରେ ଏହି ୯ଟି ଜୋନ୍ ମଧ୍ୟରୁ କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀର କେନ୍ଦ୍ରାପଡା ଜୋନ୍ ଓ ପଟ୍ଟାମୁଣ୍ଡାଇ ଜୋନ ବିଜେପି ହାତରେ ଥିବା ବେଳେ ଏଥର ତାହା ବିଜେଡି ହାତକୁ ଯିବାର ସ୍ଥିତି ସୃଷ୍ଟି ହୋଇଛି। ଏବଂ ପାଟକୁରା ନିର୍ବାଚନ ମଣ୍ଡଳୀର ଡେରାବିଶ୍ ଜୋନ୍ ଓ ମାର୍ଶାଘାଇ ଜୋନ୍ ବିଜେପି ହାତରେ ଥିବା ବେଳେ ତାହା ଏଥର ବିଜେଡି ହାତକୁ ଯିବାକୁ ବସିଛି। ଅର୍ଥାତ ୨୦୧୭ରେ ବିଜେପି ଜିତିଥିବା ୪ଟି ଜୋନ ଏଥର ହରାଇବା ସ୍ଥିତିରେ ଥିବା ବେଳେ ବିଜେଡି ତାହାକୁ ଦଖଲ କରିବାକୁ ଯାଉଛି। ଆଜିର ୯ଟି ଜୋନ୍ ମଧ୍ୟରୁ ୨ଟି ଜୋନ୍ ଆଳି ଓ ରାଜନଗରରେ କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଅନ୍ୟ ୭ଟି ଜୋନ୍ରେ ବିଜେପି ଦ୍ବିତୀୟ ସ୍ଥାନରେ ରହିଛି।
ଜଗତସିଂହପୁର ଜିଲ୍ଲାର ୮ଟି ଜୋନ୍ ପାଇଁ ଆଜି ଗଣତି ହୋଇଥିବା ବେଳେ ବିଳମ୍ବିତ ରାତିର ସ୍ଥିତି ଅନୁଯାୟୀ ସବୁ ଜୋନ୍ ବିଜେଡି ହାତକୁ ଯିବାର ସମ୍ଭାବନା ରହିଛି। ଏହି ଜୋନ୍ ମଧ୍ୟରୁ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ବାଲିକୁଦା ଓ ଏରସମା ଜୋନ୍ ଏବଂ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ତିର୍ତ୍ତୋଲ ଜୋନ୍ରେ କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହୁଥିବା ବେଳେ ଅନ୍ୟ ୫ଟିରେ ବିଜେପି ଦ୍ବିତୀୟ ସ୍ଥାନରେ ରହିଛି। କିନ୍ତୁ ଏହି ୮ଟି ଜୋନ୍ ମଧ୍ୟରୁ ୨୦୧୭ ତୁଳନାରେ ବିଜେପି ୨ଟି ଜୋନ୍ ହରାଇବାକୁ ଯାଉଥିବା ବେଳେ କଂଗ୍ରେସ ଗୋଟିଏ ଜୋନ୍ ହରାଇବା ସ୍ଥିତି ସୃଷ୍ଟି ହୋଇଛି। ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ରଘୁନାଥପୁର ଜୋନ୍, ପାରାଦୀପ ନିର୍ବାଚନ ମଣ୍ଡଳୀର କୁଜଙ୍ଗ ଜୋନ୍କୁ ବିଜେପି ୨୦୧୭ରେ ଜିତିଥିବା ବେଳେ ଏଥର ସେଠି ପଛାଇଛି। ସେହିଭଳି ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ବାଲିକୁଦା ଜୋନ୍ ୨୦୧୭ରେ କଂଗ୍ରେସ ହାତରେ ଥିବା ବେଳେ ଏଥର ସେହି ଜୋନ୍କୁ ହରାଇବାକୁ ଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/jsp.jpg)