ବ୍ଲକ୍‌ରେ ହେବ ପଞ୍ଚାୟତ ଭୋଟ୍‌ ଗଣତି

ଭୋଟ୍‌ ଦିନ ଆଉ ଗଣତି ହେବନାହିଁ, ଲୋକଙ୍କ ମତାମତ ମଗାଗଲା

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନରେ ଭୋଟ୍‌ଗ୍ରହଣ ଦିନ ସେହି ବୁଥ୍‌ରେ ଆଉ ଗଣତି ହେବ ନାହିଁ। ବ୍ଲକ୍‌ ମୁଖ୍ୟାଳୟରେ ଗୋଟିଏ ଦିନରେ ସାରା ରାଜ୍ୟରେ ଗଣତି ହେବ। ଏମିତି ଏକ ନୂଆ ନିୟମ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏହାର ଏକ ଚିଠା ନିୟମ ପ୍ରସ୍ତୁତ କରାଯାଇଛି। ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ସାଧାରଣ ଲୋକଙ୍କ ଆପତ୍ତି, ଅଭିଯୋଗ ଓ ମତାମତ ମଗାଯାଇଛି। ୧୫ ଦିନ ଭିତରେ ଲୋକ ମତାମତ ଦେଲା ପରେ ଚୂଡ଼ାନ୍ତ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇବ। ପୂର୍ବରୁ ପଞ୍ଚାୟତ ନିର୍ବାଚନରେ ଭୋଟ୍‌ ଗ୍ରହଣ ଦିନ ବୁଥ୍‌ରେ ଗଣତି ହେଉଥିଲା।

ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦର ଫଳାଫଳ ସଙ୍ଗେ ସଙ୍ଗେ ଜଣାପଡ଼ିଯାଉଥିଲା। ଏହାର ପ୍ରଭାବ ପରବର୍ତ୍ତୀ ପର୍ଯ୍ୟାୟ ନିର୍ବାଚନରେ ପଡ଼ୁଥିଲା। ନୂଆ ନିୟମ ଅନୁସାରେ ଆଉ ଭୋଟ୍‌ ଗ୍ରହଣ ଦିନ ଗଣତି ହେବ ନାହିଁ। ଭୋଟ୍‌ ଗ୍ରହଣ ‌ଶେଷ ହେବା ପରେ ପ୍ରାର୍ଥୀ କିମ୍ବା ତାଙ୍କ ପୁଲିଂ ଏଜେଣ୍ଟଙ୍କ ଉପସ୍ଥିତିରେ ପ୍ରିଜାଇଡିଂ ଅଫିସର୍ ବାଲଟ୍‌ ବକ୍ସ ଓ ଅନ୍ୟାନ୍ୟ କାଗଜପତ୍ର ସିଲ୍‌ କରିବେ। ତାହା ପରେ ତା’କୁ ନିର୍ବାଚନ ଅଧିକାରୀଙ୍କ ନିକଟକୁ ପଠାଯିବ ଓ ବ୍ଲକ୍‌ ମୁଖ୍ୟାଳୟରେ ତାହା ସୁରକ୍ଷିତ ଭାବେ ରହିବ। ରାଜ୍ୟରେ ସବୁ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ବ୍ଲକ୍‌ରେ ଗଣତି ହେବ। ଗଣତି ସମୟରେ ପ୍ରାର୍ଥୀ ଓ ତାଙ୍କ ଏଜେଣ୍ଟଙ୍କୁ ରହିବା ପାଇଁ ଅନୁମତି ଦିଆଯିବ। ଏହି ନୂଆ ବ୍ୟବସ୍ଥା ପାଇଁ ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନ ନିୟମରେ ସଂ‌ଶୋଧନ ଅଣାଯାଇଛି।

ସମ୍ବନ୍ଧିତ ଖବର