ଶେଷ ପର୍ଯ୍ୟାୟରେ ୭୦%ମତଦାନ
ସ୍ବାଭିମାନ ଅଞ୍ଚଳରେ ଶାନ୍ତି ଶୃଙ୍ଖଳାର ସହ ସରିଲା ମତଦାନ
ଗଣ୍ଡଗୋଳରୁ ୫ମ ପର୍ଯ୍ୟାୟ ବି ବାଦ୍‌ ପଡ଼ିଲାନି

Advertisment

ଭୁବନେଶ୍ବର : ସରିଲା ପଞ୍ଚାୟତ ଭୋଟ୍‌। ଯେଉଁ ଭୋଟ୍‌ ପାଇଁ ଗାଁ ଗଣ୍ଡା ଉଠୁଥିଲା ପଡ଼ୁଥିଲା ତାହା ଆଜି ଶାନ୍ତ ପଡ଼ିଯାଇଛି। ମତଦାତା ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛନ୍ତି। ମୋଟ୍‌ ୨ ଲକ୍ଷ ୨୦ ହଜାର ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଭୋଟ୍‌ ବାକ୍ସରେ ବନ୍ଦ ହୋଇଯାଇଛି। ଅପେକ୍ଷା ଭୋଟ୍‌ ଗଣତିକୁ।

ଫେବ୍ରୁଆରି ୨୬ରୁ ୨୮ ପର୍ଯ୍ୟନ୍ତ ବ୍ଲକ ମୁଖ୍ୟାଳୟରେ ଭୋଟ୍‌ ଗଣତି ହେବାକୁ ଥିବାବେଳେ ଭୋଟ୍ ବାକ୍ସ ଏବେ ଷ୍ଟ୍ରଙ୍ଗ ରୁମ୍‌ରେ ସିଲ୍‌ ହୋଇ ରହିଛି। କଡ଼ା ସୁରକ୍ଷା ବଳୟ ଭିତରେ ଭୋଟ୍‌ ବାକ୍ସ ଥିଲେ ବି ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀଙ୍କ ଆଖିରେ ନିଦ ନାହିଁ। କାଳେ କିଛି ଏପଟସେପଟ ହୋଇଯିବ ସେଇ ଚିନ୍ତାରେ ଷ୍ଟ୍ରଙ୍ଗରୁମ୍ ସାମ୍ନାରେ ଡେରା ପକାଇଛନ୍ତି।

କେବଳ ଏତିକି ନୁହେଁ। ନିଜ ସମର୍ଥକଙ୍କ ଦ୍ବାରା ପ୍ରତି ସାହି, ୱାର୍ଡ ଅନୁଯାୟୀ କେତେ ଭୋଟ୍ ମିଳିଥିବ ସେନେଇ କାଗଜ କଲମରେ ହିସାବ ଚାଲିଛି। ଗୋଟିଏ ଗୋଟିଏ ଭୋଟ୍‌ ହିସାବର ପ୍ରାର୍ଥୀ କରୁଛନ୍ତି। ଯାହାର ଟକରାଟକରି ଉପରେ ରହୁଛି ସେମାନେ ଏବେ ପୂଜା‌ର୍ଚ୍ଚନାରେ ଲାଗି ପଡ଼ିଛନ୍ତି। ଏପରିକି ନିର୍ବାଚନ ଜିତିଲେ କେଉଁ ଠାକୁରଙ୍କୁ କ’ଣ ଦେବେ ସେନେଇ ଯାଚି ସାରିଲେଣି। ଅପେକ୍ଷା ଘୋଷଣାକୁ।

publive-image Image Courtesy of The Indian Express

ଏଥର ନିର୍ବାଚନରେ ରେକର୍ଡ ସଂଖ୍ୟକ ମତଦାନ ହୋଇଥିବାରୁ ସବୁ ପ୍ରାର୍ଥୀ ଉତ୍ସାହିତ ଅଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏଥର ୯୧୯୮୦ଟି ୱାର୍ଡ ମେମ୍ବର ପଦବି ପାଇଁ ନିର୍ବାଚନ ହୋଇଥିବାବେଳେ ପ୍ରାର୍ଥିପତ୍ର ନାକଚ, ପ୍ରତ୍ୟାହାର ହେବା ପରେ ମଇଦାନରେ ୧,୫୬,୭୫୩ ଜଣ ପ୍ରାର୍ଥୀ ଥିଲେ। କିନ୍ତୁ ୧୩ଜଣ ପ୍ରାର୍ଥୀଙ୍କର ପ୍ରଚାର ସମୟରେ ମୃତ୍ୟୁ ହୋଇଥିଲା। ଏହାପରେ ୧,୫୬,୭୪୦ଜଣ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ହୋଇଛି। ହେଲେ ଏଥିରୁ ତୃତୀୟ, ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟରେ ପ୍ରାୟ ୫୦ରୁ ଅଧିକ ବୁଥ୍‌ରେ ନିର୍ବାଚନ ବାତିଲ୍ ହୋଇଥିବାରୁ ସେଗୁଡ଼ିକରେ ଶୁକ୍ରବାର ମତଦାନ ହେବ।

ସେହିପରି ୬୭୯୩ ଟି ସରପଞ୍ଚ ପଦବି ପାଇଁ ଏଥର ନିର୍ବାଚନ ହୋଇଥିବାବେଳେ ପ୍ରାର୍ଥିପତ୍ର ନାକଚ, ପ୍ରତ୍ୟାହାର ହେବା ପରେ ମଇଦାନରେ ୩୨୮୬୦ଜଣ ପ୍ରାର୍ଥୀ ଥିଲେ। କିନ୍ତୁ ୬ଜଣଙ୍କର ପ୍ରଚାର ସମୟରେ ମୃତ୍ୟୁ ହେବାରୁ ଏହାପରେ ୩୨୮୫୪ଜଣ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ହୋଇଛି।

୬୭୯୩ଟି ସମିତି ସଭ୍ୟ ପଦବି ପାଇଁ ନିର୍ବାଚନ ହୋଇଥିବାବେଳେ ପ୍ରାର୍ଥିପତ୍ର ନାକଚ, ପ୍ରତ୍ୟାହାର ହେବା ପରେ ମଇଦାନରେ ୨୭୦୩୪ଜଣ ଆଶାୟୀ ଥିଲେ। ହେଲେ ୩ଜଣଙ୍କର ପ୍ରଚାର ସମୟରେ ମୃତ୍ୟୁ ହେବାରୁ ୨୭୦୩୧ଜଣ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ହୋଇଛି। ସେହିପରି ମୋଟ୍ ୮୫୩ଟି ଜିଲ୍ଲା ପରିଷଦ ଆସନ ପାଇଁ ଏଥର ନିର୍ବାଚନ ହୋଇଥିବାବେଳେ ଜଣେ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ଜିତିବାରୁ ଏବଂ ଜଣେ ପ୍ରାର୍ଥୀଙ୍କର ମୃତ୍ୟୁ ହେବାରୁ ୮୫୧ଟି ଜିଲ୍ଲା ପରିଷଦ ଆସନ ପାଇଁ ନିର୍ବାଚନ ହୋଇଛି। ଏଥିରେ ୩୩୩୮ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ଏହିପରି ମୋଟ୍‌ ୨ଲକ୍ଷ ୧୯ହଜାର ୯୬୩ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଭୋଟ୍ ବାକ୍ସରେ ସିଲ୍‌ ହୋଇଛି।

ଗୁରୁବାର ଦିନ ରାଜ୍ୟର ୨୫ଟି ଜିଲ୍ଲାର ୪୮ଟି ବ୍ଲକର ୧୩୧ଟି ଜିଲ୍ଲା ପରିଷଦ ଜୋନ୍‌ର ୯୭୫ଟି ଗ୍ରାମପଞ୍ଚାୟତ ପାଇଁ ୧୩୫୧୪ଟି ବୁଥ୍‌ରେ ମତଦାନ ହୋଇଛି। ମୋଟ୍ ୪୧ଲକ୍ଷ ୮୮ହଜାର ୩୮୨ଜଣ ମତଦାତା ଭୋଟ୍‌ ଦେବାକୁ ଥିବାବେଳେ ୭୦%ରୁ ଅଧିକ ମତଦାନ ହୋଇଛି। ଅପରପକ୍ଷେ ବ୍ୟାପକ ପୁଲିସ ମୁତୟନ ସତ୍ତ୍ବେ ୨୦ରୁ ଅଧିକ ବୁଥ୍‌ରେ ଉତ୍ତେଜନା ଦେଖାଦେବାରୁ ନିର୍ବାଚନ ବାଧାପ୍ରାପ୍ତ ହୋଇଛି।

publive-image Sambad

ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ କୁହାଯାଇଛି ଯେ, କିଛି ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ନିର୍ବାଚନ ବାଧାପ୍ରାପ୍ତ ହୋଇଛି। ଏନେଇ ଜିଲ୍ଲାପାଳମାନଙ୍କ ବିସ୍ତୃତ ରିପୋର୍ଟ ମିଳିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ତୃତୀୟ, ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟରେ ନିର୍ବାଚନୀ ହିଂସା ଯୋଗୁଁ ପ୍ରାୟ ୫୦ରୁ ଅଧିକ ବୁଥ୍‌ରେ ନିର୍ବାଚନ ବାତିଲ୍‌ ହୋଇଥିବାବେଳେ ସେଗୁଡ଼ିକରେ ଶୁକ୍ରବାର ପୁନଃ ମତଦାନ ହେବ।

ଏହି ନିର୍ବାଚନ ପ୍ରକ୍ରିୟାରେ ନିୟୋଜିତ ଲକ୍ଷାଧିକ ସରକାରୀ କର୍ମଚାରୀ ଓ ପାଖାପାଖି ୪୦ହଜାର ପୁଲିସ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ନିର୍ବାଚନ ସୁରୁଖୁରୁରେ ଶେ‌ଷ ହୋଇଛି। ଚଳିତ ନିର୍ବାଚନରେ ବହୁ ସଂଖ୍ୟାରେ ମତଦାତା ସାମିଲ୍ ହୋଇଛନ୍ତି। ଯାହା ଏକ ରେକର୍ଡ। ସେହିପରି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ସ୍ବାଭିମାନ ଅଞ୍ଚଳରେ ଶାନ୍ତିଶୃଙ୍ଖଳାର ସହ ମତଦାନ ହୋଇଛି।

ଏହି ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ନିର୍ବାଚନ ଡ୍ୟୁଟିରେ ନବରଙ୍ଗପୁର ଜିଲ୍ଲାରେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପୁଲିସ କର୍ମଚାରୀଙ୍କ ପାଇଁ ରାଜ୍ୟ ନିର୍ବାଚନ କମିସନ ସେମାନଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ସେମାନଙ୍କ ପାଇଁ ଧାର୍ଯ୍ୟ ୧୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସମସ୍ତ ଆହତ ପୁଲିସ କର୍ମଚାରୀଙ୍କ ଆଶୁ ଅରୋଗ୍ୟ କାମନା କରିବା ସହ ଆହତଙ୍କ ପାଇଁ ଉଦ୍ଦିଷ୍ଟ ସହାୟତା ପ୍ରଦାନ କରାଯିବ ବୋଲି କୁହାଯାଇଛି।