୧୬ରୁ ପଞ୍ଚାୟତ ଭୋଟ୍‌: ୩୬ ଘଣ୍ଟା ପୂର୍ବରୁ ବାହାର ନେତା ବିଦା ହେବେ

ପ୍ରଥମ ପର୍ଯ୍ୟାୟରେ ୨୦୨ ଜିଲ୍ଲା ପରିଷଦ, ୧୬୬୯ ସରପଞ୍ଚ ଓ ସମିତି ସଭ୍ୟ, ୨୨୩୭୯ଟି ୱାର୍ଡମେମ୍ବର ପଦବି ପାଇଁ ଭୋଟ୍‌

ସ୍ଥିତି ତଦାରଖ କରିବାକୁ ଜିଲ୍ଲାପାଳଙ୍କୁ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଆସନ୍ତା ୧୬ତାରିଖରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକ ଅନ୍ତର୍ଗତ ୨୦୨ଟି ଜିଲ୍ଲା ପରିଷଦ, ୧୬୬୯ଟି ସରପଞ୍ଚ ଓ ସମିତି ସଭ୍ୟ, ୨୨୩୭୯ଟି ୱାର୍ଡମେମ୍ବର ପଦବି ପାଇଁ ମତଦାନ ହେବ। ଏଥି‌ରେ ୬୭ଲକ୍ଷ ୫୧ହଜାର ମତଦାତା ମତାଧିକାର ସାବ୍ୟସ୍ତ କରିବେ। ଏନେଇ ଜିଲ୍ଲାପାଳମାନେ ପ୍ରସ୍ତୁତ ରହିବାକୁ ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ମତଦାନ ବେଳେ ଯେପରି ଆଦର୍ଶ ଆଚରଣ ବିଧି କଡ଼ାକଡ଼ି ଲାଗୁ ହେବ ସେନେଇ ଜିଲ୍ଲାପାଳମାନେ ନିଶ୍ଚିତ କରିବେ।

୧୬ରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ହେବାକୁ ଥିବାରୁ ଏହାର ୩୬ଘଣ୍ଟା ପୂର୍ବରୁ ଅର୍ଥାତ୍ ୧୪ତାରିଖ ସଂଧ୍ୟା ୭ଟା ସୁଦ୍ଧା ଉକ୍ତ ଅଞ୍ଚଳରୁ ବାହାର ନିର୍ବାଚନ ମଣ୍ଡଳୀର ରାଜନେତାମାନଙ୍କୁ ବିଦା କରିବାକୁ କୁହାଯାଇଛି। ଯେଉଁ ବାହାର ନିର୍ବାଚନ ମଣ୍ଡଳୀର ରାଜନେତା ଓ କର୍ମୀ ପ୍ରଚାର କାର୍ଯ୍ୟରେ ନି‌ୟୋଜିତ ହୋଇଛନ୍ତି ସେମାନେ ମତଦାନ ହେବାକୁ ଥିବା ନିର୍ବାଚନ ମଣ୍ଡଳୀ ଯେପରି ଛାଡ଼ିବେ ସେନେଇ ଜିଲ୍ଲାପାଳ, ଏସ୍‌ପି ଓ ଡିଏସ୍‌ପିମାନେ ପଦକ୍ଷେପ ନେବାକୁ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ରାଜ୍ୟ ନିର୍ବାଚନ କମିସନର ଜିଲ୍ଲାପାଳମାନଙ୍କ ସହ ଭର୍ଚୁଆଲ ମୋଡରେ ବିଭିନ୍ନ ଜିଲ୍ଲାର ସ୍ଥିତି ସମୀକ୍ଷା କରିବା ସହ ସବୁ ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି କରିବାକୁ କହିଛନ୍ତି।

ଏହି ବୈଠକ‌ ପରେ ନିର୍ବାଚନ କମିସନର କହିଛନ୍ତି ଯେ ଏଥର ନିର୍ବାଚନକୁ ମୁକ୍ତ, ସ୍ବଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି। ଏଥିପାଇଁ ୧୪ ଓ ୧୫ ତାରିଖରେ ପୁଲିଂ ଅଧିକାରୀମାନେ ମତଦାନ କେନ୍ଦ୍ରରେ ପହଞ୍ଚିବେ । ସିସିଟିଭିରେ ଷ୍ଟ୍ରଙ୍ଗ ରୁମ୍ ଉପରେ ନଜର ରଖାଯିବ। ବିଭିନ୍ନ ଅଞ୍ଚଳରେ ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି। ସେହି ସବୁ ବୁଥ୍‌ରେ ଅଧିକ ପୁଲିସ ମୁତୟନ କରାଯିବ। ଭୋଟ୍‌ ଗଣତିର ସମସ୍ତ ପ୍ରକ୍ରିୟା ରେକର୍ଡିଂ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର