ଝାରସୁଗୁଡ଼ା ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହାର ୮୨. ୧୦%; ଲଇକେରାରେ ସର୍ବାଧିକ, କିର୍ମିରାରେ ସର୍ବନିମ୍ନ

ବ୍ରଜରାଜନଗର : ଝାରସୁଗୁଡା ଜିଲ୍ଲାରେ ୩ ବ୍ଲକ ଝାରସୁଗୁଡ଼ା, ଲାଇକେରା ଓ କର୍ମିରା ବ୍ଲକ୍‌ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ୩ଟି ବ୍ଲକ୍‌ର ୪୩୨ଟି ବୁଥରେ ମତଦାନ ହୋଇଥିଲା। ପୂରା ଝାରସୁଗୁଡ଼ା ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହାର ୮୨.୧୦ ପ୍ରତିଶତ ରହିଥିବା ସୂଚନାରୁ ଜଣାପଡ଼ିଛି। ବୁଧବାର ଅନୁଷ୍ଠିତ ନିର୍ବାଚନରେ ମୋଟ୍‌ ଭୋଟରଙ୍କ ସଂଖ୍ୟା ୧,୩୧, ୪୬୫ ଥିବା ବେଳେ ୧, ୦୭୮୬୧ ଜଣ ମତଦାନ କରିଥିଲେ। ସେମାନଙ୍କ ମଧ୍ୟରୁ ୫୪, ୩୮୧ ପୁରୁଷ ଓ ୫୩, ୪୮୦ ମହିଳା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ମତଦାନ ହାରରୁ ଲଇକେରା ବ୍ଲକ୍‌ରେ ସର୍ବାଧିକ ମତଦାନ ହୋଇଥିବା ବେଳେ କିର୍ମିରାରେ ସର୍ବନିମ୍ନ ମତଦାନ ହୋଇଥିବା ଜଣାପଡ଼ିଛି। ଲଇକେରା ବ୍ଲକ୍‌ରେ ୮୪.୫୯% ଭୋଟ୍‌ ହୋଇଥିବା ବେଳେ କିର୍ମିରାରେ ଭୋଟ୍‌ଦାନ ହାର ୮୦. ୫୦ ପ୍ରତିଶତ ରହିଛି। ଅନ୍ୟପକ୍ଷରେ ଝାରସୁଗୁଡ଼ା ବ୍ଲକ୍‌ରେ ଭୋଟ୍‌ଦାନ ହାର ୮୧.୨୦ % ରହିଛି।

ସୂଚନା ଅନୁଯାୟୀ ଝାରସୁଗୁଡ଼ାର ୨୦୪ଟି ବୁଥ୍‌ ମଧ୍ୟରୁ ୩୯ଟି ସମ୍ବେଦନଶୀଳ ବୁଥ, ଲଇକେରାର ୧୨୮ ମଧ୍ୟରୁ ୧୯ ଟି ସମ୍ବେଦନଶୀଳ ବୁଥ ଏବଂ କିର୍ମିରାରେ ୧୦୦ ବୁଥ୍‌ରୁ ୧୦ ଟି ବୁଥକୁ ସମ୍ବେଦନଶୀଳ ବୁଥ୍‌ ଭାବରେ ଚିହ୍ନଟ କରାଯାଇଛି। ୧୦ ଟି ଆଦର୍ଶ ମହିଳା ବୁଥ୍‌ କରାଯାଇଥିଲା। ଆଜି ତିନୋଟି ବ୍ଲକ୍‌ରେ ୧୯୦ ଜଣ ସରପଞ୍ଚ, ୧୦୮ ଜଣ ସମିତି ସଭ୍ୟ ଏବଂ ୧୭ ଜଣ ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀଙ୍କ ସମେତ ସମସ୍ତ ୱାର୍ଡା ସଭ୍ୟ ଆଶାୟୀ ଭାଗ୍ୟ ବାଲଟ ବକ୍ସରେ ସିଲ୍‌ ହୋଇଯାଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ଅପରାହ୍‌ଣ ୧ଟା ପର୍ଯ୍ୟନ୍ତ ଚାଲିଥିଲା। ଝାରସୁଗୁଡା ବ୍ଲକରେ  ମତଦାନ ପ୍ରଥମ ୨ ଘଣ୍ଟାରେ ମାତ୍ର ୧୭ ପ୍ରତିଶତ ରହିଥିବା ବେଳେ ପରବର୍ତ୍ତୀ ୨ ଘଣ୍ଟା ଅର୍ଥାତ ପୂର୍ବାହ୍ନ ୧୧ଟଶ ବେଳକୁ ଏହା ୪୮ ପ୍ରତିଶତରେ ପହଞ୍ଚି ଥିଲା। ମିଳିଥିବା ଶେଷ ସୂଚନା ଅନୁଯାୟୀ ଏହି ବ୍ଲକ୍‌ରେ ଭୋଟ୍‌ ହାର ୮୧.୨୦ % ରହିଥିଲା। ବ୍ଲକ୍‌ର ମୋଟ୍‌ ୫୮, ୪୭୦ ଭୋଟରଙ୍କ ମଧ୍ୟରୁ ୪୭, ୪୭୬ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। ସେମାନଙ୍କ ମଧ୍ୟରେ ୨୪, ୦୮୯ ପୁରୁଷ ଓ ୨୩, ୩୮୭ ମହିଳା ଭୋଟର ଥିଲେ। ମିଳିଥିବା ସୂଚନା ଅନୁଯାୟୀ ମତଦାନ ସମୟ ଅପରାହ୍‌ଣ ୧ଟା ପର୍ଯ୍ୟନ୍ତ ରହିଥିଳେ ମଧ୍ୟ ହିର୍ମା ସ୍କୁଲରେ ୪ଟା ପର୍ଯ୍ୟନ୍ତ ମତଦାନ ଚାଲିଥିଲା। ସେହିପରି କୁଦପାଲି, ଚିଚିଣ୍ଡା ରାଜପୁରର ଦେମୂଳ, ଜୁନାନିମୁଣ୍ଡା ବୁଥରେ ମଧ୍ୟ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା। ତିଲେଇମାଲ ଓ ମରାକୁଟାରେ ସନ୍ଧ୍ୟା ୫ଟା ପରେ ମଧ୍ୟ  ଭୋଟ୍‌ ଗ୍ରହଣ ଚାଲିଥିବା ସୂଚନା ମିଳିଛି। ଝାରସୁଗୁଡା ବ୍ଲକ୍‌ର ସମସ୍ତ  ଭୋଟ୍‌ ବକ୍ସ ଝାରସୁଗୁଡା ଇଞ୍ଜିନିୟରିଂ ସ୍କୁଲରେ ରଖାଯାଇଛି।

ସମ୍ବନ୍ଧିତ ଖବର