କୋଟିଆରେ ମତଦାନ କଲେ ୭୬%; ଓଡ଼ିଶାର ବିଜୟ, ଆନ୍ଧ୍ରକୁ କଡ଼ା ଜବାବ

ଆନ୍ଧ୍ରର ନିର୍ବାଚନ ସମୟରେ ମାତ୍ର ୧୭ ପ୍ରତିଶତ ମତଦାନ ହୋଇଥିଲା

ପଟ୍ଟାଙ୍ଗି : କୋରାପୁଟ ଜିଲ୍ଲାର ବିବାଦୀୟ ଅଞ୍ଚଳ କୋଟିଆ ପଞ୍ଚାୟତରେ ଓଡ଼ିଶା ସରକାରଙ୍କ ବିଜୟ ହୋଇଛି। କୋରାପୁଟ ଜିଲ୍ଲା ପ୍ରଶାସନ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଶୁକ୍ରବାର ଦିନ କୋଟିଆରେ ଶାନ୍ତିଶୃଙ୍ଖଳାର ସହ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରାଇ ଆନ୍ଧ୍ର ସରକାରକୁ କଡ଼ା ଜବାବ ଦେଇଛି। ଆଜି କୋଟିଆ ପଞ୍ଚାୟତର ୭୬.୩ ପ୍ରତିଶତ ମଦତାଦା ମତ ସାବ୍ୟସ୍ତ କରି ଓଡ଼ିଶା ପ୍ରତି ତାଙ୍କ ସମର୍ଥନ ରହିଥିବା ଜଣାଇଛନ୍ତି।

କୋଟିଆ ପଞ୍ଚାୟତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରାଇବା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪ ଘଣ୍ଟା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। କୌଣସିପ୍ରକାର ବିଶୃଙ୍ଖଳା ଏବଂ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ରଖିଥିଲା। ଓଡ଼ିଶା-ଆନ୍ଧ୍ର ସୀମାକୁ ପୁଲିସ ପକ୍ଷରୁ ସିଲ୍ କରାଯିବା ସହ ପାଟ୍ରୋଲିଂକୁ ଜୋରଦାର କରାଯାଇଥିଲା। ଲୋକେ ଯେମିତି ବିନା କୌଣସି ବାଧାରେ ମତଦାନ କରିବେ, ତାହାକୁ ପ୍ରଶାସନ ପ୍ରାଥମିକତା ଦିଆଯାଇଥିଲା। ଆଜି ସକାଳୁ ମତଦାନ ଆରମ୍ଭ ହେବାପରେ କୋଟିଆବାସୀ ଉତ୍ସୁକତାର ସହ ନିଜ ନିଜ ବୁଥ୍‌କୁ ଯାଇ ମତଦାନ କରିଥିବା ଦେଖିବାକୁ ମିଳିଥିଲା। ମୋଟ୍‌ ୫୧୯୭ ଭୋଟର ଥିବାବେଳେ ଆଜି ୭୬.୩ ପ୍ରତିଶତ ମତଦାନ ହୋଇଥିବା ଜଣା ପଡ଼ିଛି।
ଉଲ୍ଲେଖଯୋଗ୍ୟ ଯେ ଗତ ଫେବ୍ରୁଆରି ମାସରେ କୋଟିଆ ଗ୍ରାମ ପୁଞ୍ଜର ଫଗୁଣସିନେରୀ,ଫାଟୁସିନେରୀ ଓ ତଳ ଗଞ୍ଜେଇପଦର ପଞ୍ଚାୟତରେ ଆନ୍ଧ୍ର ସରକାର ନିର୍ବାଚନ କରାଇ ମତଦାନ ପାଇଁ ଗ୍ରାମବାସୀଙ୍କୁ ଜୋରଜବରଦସ୍ତ ଗାଡ଼ିରେ ବୋହି ନେଇଥିଲେ। କିନ୍ତୁ ମାତ୍ର ୧୭ ପ୍ରତିଶତ ମତଦାନ ହୋଇଥିଲା।

ସମ୍ବନ୍ଧିତ ଖବର