ସ୍ୱାଭିମାନ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ମତଦାନ, ୧୦୪ ବୁଥ୍‌ରେ ଭୋଟ‌ ଦେଲେ ଅଞ୍ଚଳବାସୀ

୬୦କିମି ଜଳଯାତ୍ରା କଲେ ପୋଲିଂ ପାର୍ଟି, ଫୁଲ, ଚନ୍ଦନ ଦେଇ ସ୍ବାଗତ କରାଗଲା

ମାଲକାନଗିରି/ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳରେ ହେଲା ଗଣତନ୍ତ୍ରର ବିଜୟ। ୧୦ବର୍ଷର ଲମ୍ବା ବ୍ୟବଧାନପରେ ମତଦାନ ଅଧିକାରକୁ ସାବ୍ୟସ୍ତ କରିଛନ୍ତି ଅଞ୍ଚଳବାସୀ। କୌଣସି ପ୍ରକାର ଅଘଟଣ ଘଟି ନଥିବା ବେଳେ ଶାନ୍ତିପୂର୍ଣ୍ଣ ଭାବେ ଅଞ୍ଚଳର ସମସ୍ତ ବୁଥ୍‌ରେ ମତଦାନ ହୋଇଛି। ଜିଲ୍ଲା ପ୍ରଶାସନର ପୂର୍ବ ପ୍ରସ୍ତୁତି ସହ ପୁଲିସ ଏବଂ ବିଏସ୍‌ଏଫ୍‌ର କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗୁ ଏହା ସମ୍ଭବ ହୋଇପାରିଛି।

ସୂଚନାଯୋଗ୍ୟ, ୨୦୧୭ ମସିହାରେ ନକ୍ସଲଙ୍କ ବିରୋଧ ଯୋଗୁ ଚିତ୍ରକୋଣ୍ଡା ବ୍ଲକ୍‌ରେ ନିର୍ବାଚନ ହୋଇପାରି ନଥିଲା। କିନ୍ତୁ ଚଳିତ ଥର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଚିତ୍ରକୋଣ୍ଡା ବ୍ଲକ୍‌ରେ ୭୦.୭୩ପ୍ରତିଶତ ମତଦାନ ହୋଇଥିବାରୁ ସ୍ବାଭିମାନ ଅଞ୍ଚଳରେ ମତଦାନ ହାର ଉତ୍ସାହଜନକ ରହିଥିବା ଜଣାପଡ଼ିଛି। ସ୍ବାଭିମାନ ଅଞ୍ଚଳର କିଛି ଦୁର୍ଗମ ଅଞ୍ଚଳର ପୋଲିଂ ପାର୍ଟି ପହଞ୍ଚିବାରେ ବିଳମ୍ବ ହୋଇଥିବାରୁ ସବିଶେଷ ତଥ୍ୟ ହସ୍ତଗତ ହୋଇପାରି ନାହିଁ। ଚଳିତ ନିର୍ବାଚନରେ ସ୍ବାଭିମାନ ଅଞ୍ଚଳର ୨୩୧୨୬ଜଣ ଭୋଟରଙ୍କ ପାଇଁ ମୋଟ ୧୦୪ଟି ବୁଥ୍‌ କରାଯାଇଥିଲା। ତେବେ ସୁରକ୍ଷା ଦୃଷ୍ଟିରୁ ୫୪ଟି ବୁଥ୍‌କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ଏଥିପାଇଁ ଭୋଟରଙ୍କ ଗାଁ ଠାରୁ କିଛି ବୁଥ୍‌ର ବ୍ୟବଧାନ ବଢ଼ି ଯାଇଥିଲା। ଏହାପରେ ନିର୍ବାଚନରେ ମତଦାର ହାର କମିବ ବୋଲି ଆଶଙ୍କା କରାଯାଉଥିଲେ ବି ତାହା ହୋଇନାହିଁ। କାରଣ ଭୋଟରଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା।

ଏହି ନିର୍ବାଚନର ସବୁଠାରୁ ଭଲ ଦୃଶ୍ୟ ତୋଟାଗୁଡ଼ା ଗାଁରେ ଦେଖିବାକୁ ମିଳିଥିଲା। ଯନ୍ତ୍ରୀ ପଞ୍ଚାୟତର ଏହି ଗାଁ ଅତ୍ୟନ୍ତ ଦୁର୍ଗମ ଅଞ୍ଚଳରେ ରହିଥିବାରୁ ପୋଲିଂ ପାର୍ଟିକୁ ୬୦କିଲୋମିଟର ଜଳଯାତ୍ରା କରିବାକୁ ପଡ଼ିଥିଲା। ଏଠାରେ ୧୧ଟି ବୁଥ୍‌ ହୋଇଥିବାରୁ ୪୪ଜଣ ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା। ଲଞ୍ଚ ଯୋଗେ ସମସ୍ତ କର୍ମଚାରୀ ଯାତ୍ରା କରି ତୋଟାଗୁଡ଼ା ଘାଟରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକ ଲଞ୍ଚରୁ ଓହ୍ଲାଇଥିବା ପୋଲିଂ ପାର୍ଟିକୁ ଫୁଲ ପିନ୍ଧାଇ, ଚନ୍ଦନ ଲଗାଇ ବନ୍ଦାପନା କରିଥିଲେ। ଏହାପରେ ନଡ଼ିଆ ଭାଙ୍ଗି ବୁଥ୍‌ ଅଭିମୁଖେ ନେଇଥିଲେ। ତେଣୁ ଯେଉଁ ଆଶଙ୍କା ମଧ୍ୟରେ ପୋଲିଂ ପାର୍ଟି ରହିଥିଲେ ଗ୍ରାମବାସୀଙ୍କ ସ୍ବାଗତ ପରେ ଦୂର ହୋଇଥିଲା। ସୂଚନାଯୋଗ୍ୟ, ଆନ୍ଧ୍ର ସୀମାକୁ ଲାଗି ରହିଛି ଯନ୍ତ୍ରୀ ପଞ୍ଚାୟତ। ୧୧ଟି ଵାର୍ଡରେ ୧୨୭୨ଜଣ ଭୋଟର ରହିଛନ୍ତି।

ବୁଲେଟ୍‌ ଛାଡ଼ିଥିଲେ, ଏବେ ବାଲଟ୍‌ ବାଛିଲେ

ମାଲକାନଗିରି : ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ସେଦିନର ଦୁଇ କୁଖ୍ୟାତ ନକ୍ସଲ ଗୀତା ଓ ସଂଗୀତି। ବନ୍ଧୁକ ଛାଡ଼ି ଏଥର ପଞ୍ଚାୟତ ନିର୍ବାଚନରେ ବାଲଟ୍‌ରେ ମାରିଛନ୍ତି ମୋହର। ପୂର୍ବରୁ ଭୋଟ ନ ଦେବାକୁ ଲୋକଙ୍କୁ ଭୟଭୀତ କରୁଥିବା ଦୁଇ ନକ୍ସଲ ଗୀତା ଓ ସଂଗୀତା ଆଜି ଚତ୍ରକୋଣ୍ଡା ବୁଥ୍‌ରେ ମତଦାନ କରି ନିଜ କର୍ତ୍ତବ୍ୟ କରିବା ସହ ଅଧିକାର ସାବ୍ୟସ୍ତ କରିଛନ୍ତି। ବହୁ ଅପରାଧିକ ମାମଲାରେ ସଂପୃକ୍ତ ଥିବା ସଂଗୀତାଙ୍କ ମୁଣ୍ଡ ପାଇଁ ୩ଲକ୍ଷ ଏବଂ ଗୀତାଙ୍କ ପାଇଁ ୧ଲକ୍ଷ ଟଙ୍କାର ପୁରସ୍କାର ସରକାର ଘୋଷଣା କରିଥିଲେ। ତେବେ, ସଂଗଠନରୁ ଦୁହେଁ ବିମୁଖ ହୋଇ ୨୦୧୬ ମସିହାରେ ମୁଖ୍ୟସ୍ରୋତକୁ ଫେରିଥିଲେ। ଏହାପରେ ବନ୍ଧୁକ ଛାଡ଼ି ସ୍ବାବଲମ୍ବୀ ହୋଇ ସ୍ବାଭାବିକ ଜୀବନ ବଞ୍ଚୁଛନ୍ତି। ମତଦାନ ପରେ ଦୁହେଁ କହିଥିଲେ ଯେ, ଆମେ ଏବେ ବିକାଶକୁ ଆଗେଇ ନେବାପାଇଁ ନିର୍ବାଚନରେ ସାମିଲ୍‌ ହୋଇ ନିଜ ପସନ୍ଦର ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍‌ ଦେଇଛୁ।

ସମ୍ବନ୍ଧିତ ଖବର