ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ଦ୍ବିତୀୟ ଦିନର ଭୋଟ୍‌ ଗଣତି: ୭ ଜୋନ୍‌ରେ ବିଜେଡି ଆଗୁଆ, ୨ରେ ଟକ୍କର

ଡେଲାଙ୍ଗରେ କଂଗ୍ରେସ, ସତ୍ୟବାଦୀରେ ବିଜେପି ଆଗୁଆ
ନୟାଗଡ଼ରେ ସବୁ ଆସନରେ ବିଜେଡି ଆଗୁଆ
ଖୋର୍ଦ୍ଧାରେ ୯ଟିରେ ବିଜେଡି, ଗୋଟିଏରେ ବିଜେପି ଆଗୁଆ

ପୁରୀ/ ନୟାଗଡ଼/ ଖୋର୍ଦ୍ଧା : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ପ୍ରଥମ ଦିନରେ ବିଜେଡିର ସ୍ବିପ୍‌ ମାରିଥିଲେ ବି ଦ୍ବିତୀୟ ଦିନ ଗଣତିରେ କଡ଼‌ା ମୁକାବିଲାର ସମ୍ମୁଖୀନ ହୋଇଛି। ୧୧ଟି ଜିଲ୍ଲା ପରିଷଦ ଜୋନ୍‌ରୁ ୭ଟିରେ କଡା ଟକ୍କର ଭିତରେ ବିଜେଡି ଆଗକୁ ବଢ଼ିଥିବାବେଳେ ୨ଟିରେ ଅଳ୍ପ ବ୍ୟବଧାନ ଭିତରେ ଉଭୟ ବିଜେଡି ଓ ବିଜେପି ଆଗପଛ ହୋଇ ପ୍ରତିଯୋଗିତା ଜାରି ରଖିଛନ୍ତି। କିନ୍ତୁ ଡେଲାଙ୍ଗରେ କଂଗ୍ରେସ ଆଗରେ ରହିଥିବାବେଳେ ସତ୍ୟବାଦୀରେ ବିଜେପି ଆଗୁଆ ରହିଛି। ଯାହା ଆଜି ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ପୁରୀ ଜିଲ୍ଲାର ୩୩ଟି ଜିଲ୍ଲା ପରିଷଦ ଜୋନ୍‌ରୁ ଗତକାଲି ୧୧ଟିରେ ଓ ଆଜି ୧୧ଟି ଜିଲ୍ଲା ପରିଷଦ ଜୋନ୍‌ର ଭୋଟ ଗଣତି ହୋଇଥିଲା। ଆଜି ଦ୍ବିତୀୟ ଦିନର ଭୋଟ ଗଣତି ଉପରେ ନଜର ପକାଇଲେ ରାତି ୮ଟା ସୁଦ୍ଧା ୯ଟିରେ ବିଜେଡି ଓ ଗୋଟିଏ ଲେଖାଏଁ ଜୋନ୍‌ରେ କଂଗ୍ରେସ ଓ ବିଜେପି ଆଗେଇଛନ୍ତି। ଡେଲାଙ୍ଗରେ କଂଗ୍ରେସ ଆଗୁଆ ଥିବାବେଳେ ସତ୍ୟବାଦୀରେ ବିଜେପି ଆଗୁଆ ରହିଛି।

ନୟାଗଡ଼ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗଣତିରେ ବିଜେଡି ପ୍ରାର୍ଥୀମାନେ ୮ଟିରୁ ୮ଟି ଜିଲ୍ଲା ପରିଷଦ ଜୋନ୍‌ରେ ବିଜୟୀ ହୋଇଥିବାବେଳେ ଦ୍ବିତୀୟ ଦିନ ଗଣତିରେ ବିଜେଡି ୭ଟି ଜୋନ୍ ଏକତରଫା ଭାବେ ଆଗୁଆ ରହିଛି। ପ୍ରଥମ ଦିନ ଗଣତିରେ ବିଜେପି କୌଣସି ବି ଜୋନ୍‌ରେ ଖାତା ଖୋଲିବାକୁ ସକ୍ଷମ ହୋଇପାରିନଥିବା ବେଳେ, କଂଗ୍ରେସର ଅମାନତ ଉଡ଼ିଯାଇଛି। ଗତ ପଞ୍ଚାୟତ ନିର୍ବାଚନ ଭଳି ଏଥର ମଧ୍ୟ ନୟାଗଡ଼ ଜିଲ୍ଲାରେ କଂଗ୍ରେସ ଶୋଚନୀୟ ଭାବେ ପରାଜିତ ହୋଇଛି।

ସେହିପରି ଖୋର୍ଦ୍ଧା ଜିଲ୍ଲାରେ ୨୬ ତାରିଖ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗଣତି ଫଳାପଲରୁ ଜଣାଯାଇଛି ଯେ ୧୦ଟି ଜିଲ୍ଲାପରିଷଦ ଆସନରୁ ୯ଟି ଆସନରେ ବିଜେଡି ପ୍ରାର୍ଥୀ ଜିତିଥିବା ବେଳେ ଗୋଟିଏରେ ବିଜେପି ପ୍ରାର୍ଥୀ ବିଜୟ ହୋଇଛନ୍ତି। ତେବେ ୨୦୧୨ ପଞ୍ଚାୟତ ନିର୍ବାଚନରୁ ୨୦୧୭ରେ ବିଜେପି ଯେଉଁଭଳି ଉଲ୍‌କା ଗତିରେ ନିଜର ଆସନ ସଂଖ୍ୟା ବଢ଼ାଇଥିଲା, ୨୦୨୨ରେ କିନ୍ତୁ ସେଭଳି ଦେଖିବାକୁ ମିଳିନାହିଁ। ଏପରିକି ୩ଟି ଜୋନ୍‌ରେ କଂଗ୍ରେସ ଓ ସ୍ବାଧୀନ ପ୍ରାର୍ଥୀଙ୍କଠାରୁ ମଧ୍ୟ ପଛରେ ରହିଛନ୍ତି। ୨୦୧୭ରେ ଅସ୍ତିତ୍ବ ହରାଇଥିବା କଂଗ୍ରେସ କିନ୍ତୁ ଦୁଇଟି ଜୋନ୍‌ରେ ଭଲ ପ୍ରଦର୍ଶନ କରି ବିଜେପିକୁ ପଛରେ ପକାଇ ଦ୍ବିତୀୟ ସ୍ଥାନରେ ରହିଛି। ୨୬ ତାରିଖ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗଣନା ବିଳମ୍ବିତ ରାତି ଯାଏ ଚାଲିଥିଲା। ରାତି ପ୍ରାୟ ଗୋଟାଏ ବେଳକୁ ୧୦ଟି ଜୋନ୍‌ରୁ ୯ଟିର ଫଳାଫଳ ଘୋଷଣା ହୋଇସାରିଥିବା ବେଳେ ଜଟଣୀ ୭ ନମ୍ବର ଜୋନ୍‌ର ଗଣନା ଦାୟିତ୍ବରେ ଥିବା ଅଧିକାରୀ ଅସୁସ୍ଥ ହୋଇପଡ଼ିବାରୁ ଗଣନାରେ ବିଳମ୍ବ ଘଟିଥିଲା। ଆଜି ଅପରାହ୍ଣ ଗୋଟାଏ ବେଳକୁ ଜଟଣୀ-୭ ନମ୍ବର ଜୋନ୍‌ର ଫଳାଫଳ ବିଧିବଦ୍ଧ ଭାବେ ଘୋଷଣା କରାଯାଇଥିଲା। ଆଜି ଦ୍ବିତୀୟ ଦିନ ଭୋଟ୍‌ ଗଣତି ର ୫ମ ପର୍ଯ୍ୟାୟ ସୁଦ୍ଧା ବିଜେଡି ୯ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେପି ଗୋଟିଏ ଆସନରେ ଆଗୁଆ ରହିଛି।

ସମ୍ବନ୍ଧିତ ଖବର