ଦ୍ବିତୀୟ ଦିନରେ ବି ବିଜେଡି: ଢେଙ୍କାନାଳରେ ୮ରୁ ୩ ଦଖଲ, ଆଉ ୫ରେ ଆଗୁଆ; ଅନୁଗୁଳରେ ୮ରୁ ୭ରେ ଆଗୁଆ

ଅନୁଗୁଳ/ଢେଙ୍କାନାଳ : ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରେ ଦ୍ବିତୀୟ ଦିନରେ ବି ବିଜୟ ବାନା ଉଡ଼ାଇ ଚାଲିଛି ବିଜେଡି। ଢେଙ୍କାନାଳ ଜିଲ୍ଲାର ୮ଟି ଆସନ ମଧ୍ୟରୁ ତିନୋଟିକୁ ବିଜେଡି ଅକ୍ତିଆର କରି ସାରିଥିବାବେଳେ ଅନ୍ୟ ୫ଟିରେ ଆଗୁଆ ରହିଛି। ସେହିଭଳି ଅନୁଗୁଳ ଜିଲ୍ଲାରେ ୮ଟିରୁ ୭ଟି ଆସନରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ରହିଛନ୍ତି। କେବଳ ଛେଣ୍ଡିପଦାରେ ବିଜେପି ପ୍ରାର୍ଥୀ କଡ଼ା ମୁକାବିଲା କରି ଆଗୁଆ ଅଛନ୍ତି। ପ୍ରକାଶଯୋଗ୍ୟ ଯେ ଗତକାଲି ପ୍ରଥମ ପର୍ଯ୍ୟାୟ ଗଣତିରେ ଢେଙ୍କାନାଳ ଜିଲ୍ଲାରେ ୮ଟିରୁ ୭ଟି ଆସନରେ ବିଜେଡି ବିଜୟୀ ହୋଇଥିଲା ବେଳେ ଅନୁଗୁଳର ୮ଟିଯାକ ଜୋନ୍‌ରେ ଶାସକ ବିଜେଡି ପ୍ରତିଦ୍ବନ୍ଦ୍ବୀ ବିଜେପିକୁ ଧରାଶାୟୀ କରି ବିଜୟବାନା ଉଡ଼ାଇଛି।

ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତି ଫଳାଫଳ ମୁତାବକ, ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଜୋନ୍‌-୮ରେ ବିଜେଡି ପ୍ରାର୍ଥୀ ଅଶୋକ ବେହେରା ବିଜେପିର ପ୍ରମୋଦ ପ୍ରସାଦ ନନ୍ଦଙ୍କୁ ୬୨୧ ଖଣ୍ଡ ଭୋଟରେ ହରାଇ ବିଜୟୀ ହୋଇଛନ୍ତି। ସେହିପରି ଗନ୍ଦିଆ ଜୋନ୍‌-୧୧ରେ ବିଜେଡି ପ୍ରାର୍ଥିନୀ ମମତା ମଞ୍ଜରୀ ବେହେରା ନିକଟତମ ପ୍ରତିଦ୍ୱନ୍ଦ୍ବୀ ବିଜେପିର ନିୟତି ଭୋଇଙ୍କଠାରୁ ୭୪୬୧ଖଣ୍ଡ ଅଧିକ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ମମତା ମୋଟ୍‌ ୧୬,୩୬୬ ଖଣ୍ଡ ଭୋଟ ପାଇଥିବା ବେଳେ ନିୟତି ୮୯୦୫ ଖଣ୍ଡ ଭୋଟ୍‌ ପାଇଛନ୍ତି।

ସେହିପରି ଢେଙ୍କାନାଳ ଜୋନ୍‌-୧୫ରେ ବିଜେଡି ପ୍ରାର୍ଥିନୀ ଝରସ୍ମିତା ଦେହୁରୀ ୮୦୨୫ଖଣ୍ଡ ଭୋଟ୍‌ରେ ବିଜୟିନୀ ହୋଇଛନ୍ତି। ଝରସ୍ମିତାଙ୍କୁ ୧୪,୧୪୫ଖଣ୍ଡ ମିଳିଥିବା ବେଳେ ବିଜେପି ପ୍ରାର୍ଥିନୀ ମମତାମୟୀ ପଣ୍ଡାଙ୍କୁ ୬,୧୨୦ଖଣ୍ଡ ଭୋଟ୍ ମିଳିଛି। ଭୁବନ ବ୍ଲକ ୨୨ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ସାହୁ୮୮୧୧ ଭୋଟ୍‌ ପାଇ ଆଗୁଆ ଥିବା ବେଳେ ବିଜେପି ପ୍ରାର୍ଥୀ ବୀରେନ୍ଦ୍ର ପ୍ରତାପ ଜେନା ୫୯୩୯ଭୋଟ୍‌ ପାଇ ପଛୁଆ ଅଛନ୍ତି।

ଓଡ଼ାପଡ଼ା ଦୁଇ ନମ୍ବର ଜୋନ୍‌ରେ ବିଜେଡିର ବାଳକୃଷ୍ଣ ସାହୁ ୧୦,୫୯୬ଖଣ୍ଡ ଭୋଟ୍‌ ପାଇ ଆଗୁଆ ଥିବା ବେଳେ ବିଜେପିର ଚନ୍ଦ୍ରକାନ୍ତ ସାହୁ ୬୫୧୯ଖଣ୍ଡ ଭୋଟ୍‌ ପାଇ ପଛରେ ଅଛନ୍ତି। ସେହିପରି ହିନ୍ଦୋଳ ଜୋନ୍‌ ନମ୍ବର ୨୫ରେ ବିଜେଡି ସୁମନ୍ତ ଦେହୁରୀ ୮୫୦୬ଖଣ୍ଡ ଭୋଟ୍‌ ପାଇ ଆଗୁଆ ଥିବା ବେଳେ ବିଜେପିର ନରେନ୍ଦ୍ର ଗଡ଼ନାୟକ ୪୭୬୩ ଭୋଟ୍‌ ପାଇ ପଛୁଆ ଅଛନ୍ତି। ପର୍ଜଙ୍ଗ ଜୋନ୍‌-୧୯ରେ ବିଜେଡିର ନିରାକାର ପ୍ରଧାନ ୯୨୬୯ଭୋଟ୍‌ ପାଇ ଆଗୁଆ ଥିବା ବେ‌ଳେ ବିଜେପିର ଅଶାନ୍ତି ସାହୁ ୮୧୭୩ଖଣ୍ଡ ଭୋଟ୍‌ ପାଇ ପଛୁଆ ଅଛନ୍ତି। କଙ୍କଡ଼ାହାଡ଼ ଜୋନ୍‌-୫ରେ ବିଜେଡିର ରୀନା ହେଁସା ୮୧୭୫ଭୋଟ୍‌ ପାଇ ଆଗୁଆ ଥିବା ବେଳେ ବିଜେପିର ଅନୁସୂୟା ସିଂହ ୪୪୨୧ଭୋଟ୍‌ ପାଇ ପଛରେ ଚାଲିଛନ୍ତି।

ସେହିଭଳି ଅନୁଗୁଳ ଜିଲ୍ଲାର ରାତି ୧୧ଟା ସୁଦ୍ଧା ମିଳିଥିବା ଖବର ଅନୁସାରେ ପାଳଲହଡ଼ା ଜୋନ-୨୩ରେ ବିଜେଡି ବିଜୟୀ ହୋଇଛି। ଏଠା‌ରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ମାଝୀ ତାଙ୍କ ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ବିଜେପିର ସସ୍ମିତା କାରୁଆଙ୍କୁ ୯୧୩ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଅନ୍ୟ ୭ଟି ଜୋନରୁ ବିଜେଡି ୬ଟିରେ ଆଗୁଆ ରହିଛି। ଅନୁଗୁଳ ସଦର ବ୍ଳକ ‌‌ଜୋନ୍‌ ୨ରେ ବିଜେଡି ପ୍ରାର୍ଥୀ ରେବତୀ ନାଏକ ୬୨୭୬ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ରଂଜିତା ନାଏକଙ୍କ ଠାରୁ ଆଗରେ ଚାଲିଛନ୍ତି। ବଅଁରପାଳ ବ୍ଳକ ୨୬ ନମ୍ବର ଜିଲ୍ଲା ପରି‌ଷଦ ଜୋନରେ ବିଜେଡି ପ୍ରାର୍ଥୀ ସୁଶୀଳା ନାଏକ ୨୯୮୬ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ଗୀତାଞ୍ଜଳି ବେହେରାଙ୍କ ଠାରୁ ଆଗରେ ଅଛନ୍ତି। ଛେଣ୍ଡିପଦା ବ୍ଳକ ୧୫ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେପି ଆଗରେ ରହିଛି। ଏଠାରେ ବିଜେଡି ପ୍ରାର୍ଥୀ ତ୍ରିନାଥ ବେହେରାଙ୍କଠାରୁ ବିଜେପିର ଯଶୋବନ୍ତ ପ୍ରସାଦ ବେହେରା ୫୪୦ ଖଣ୍ଡ ଭୋଟରେ ଆଗୁଆ ରହିଛନ୍ତି। ତାଳଚେର ବ୍ଳକର ୧୯ ନମ୍ବର ଜୋନରେ କଡା ଫାଇଟ୍‌ ହେଉଥିଲେ ମଧ୍ୟ ବିଜେଡି ବାଜି ମାରିନେବାର ସମ୍ଭାବନା ସୃଷ୍ଟି ହୋଇଛି। ଏଠାରେ ବିଜେଡି ପ୍ରାର୍ଥୀ ବିଭୂପ୍ରସାଦ ପତି ୧୭୫୪ଖଣ୍ଡ‌ ଭୋଟରେ ବିଜେପି ପ୍ରାର୍ଥୀ ମନୋଜ କୁମାର ପ୍ରଧାନଙ୍କ ଠାରୁ ଆଗରେ ଚାଲିଛନ୍ତି। କଣିହାଁ ବ୍ଲକ ୯ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ରଂଜନ କୁମାର ସାହୁ ୫୬୪୦ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ସବ୍ୟସାଚ୍ଚୀ ପାଣିଙ୍କ ଠାରୁ ଆଗରେ ଅଛନ୍ତି। ଆଠମଲ୍ଲିକ ବ୍ଳକ୍‌ର ୬ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀ ଯୁଧିଷ୍ଠିର ସିଂହ ୪୧୯୪ ଭୋଟରେ ବିଜେପି ପ୍ରାର୍ଥୀ ରୋହିତ କୁମାର ନାୟକଙ୍କ ଠାରୁ ଆଗରେ ରହିଛନ୍ତି। କିଶୋରନଗର ବ୍ଲକ ୧୨ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀ ଅନୁପମା ସାହୁ ୪୪୫୭ ଭୋଟରେ ବିଜେପି ପ୍ରାର୍ଥୀ ଅଞ୍ଜଳି ପ୍ରଧାନଙ୍କ ଠାରୁ ଆଗରେ ରହିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର