ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନରେ ବିଜେଡି ଯେଉଁଭଳି ଭାବେ ଉପକୂଳ ଓଡ଼ିଶାରୁ ଆରମ୍ଭ କରି ପଶ୍ଚିମ, ଦକ୍ଷିଣ ଓ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ସବୁଠି ଏକତରଫା ଭାବେ ବିଜୟ ହାସଲ କରିଛି ତାହା ସମସ୍ତଙ୍କୁ ଚକିତ କରିଦେଇଛି। ପଞ୍ଚାୟତ ନିର୍ବାଚନ ଫଳାଫଳକୁ ନେଇ ରାଜନୈତିକ ମହଲରେ ଯାହା ଆକଳନ କରାଯାଉଥିଲା ତାହା ଭୁଲ୍‌ ପ୍ରମାଣିତ ହୋଇଛି। ବିଜେଡିର ଏହି ବଡ଼ ବିଜୟ ବିଜେପି, କଂଗ୍ରେସକୁ ଏକରକମ ହତବାକ୍ କରିଦେଇଛି। ସବୁ ଜିଲ୍ଲାରେ ବିଜେଡି ହିଁ ଜିଲ୍ଲା ପରିଷଦ ଗଠନ କରିବ ଏବଂ ସଭାପତି, ଉପସଭାପତି ପଦରେ ବସିବ ତାହା ନିଶ୍ଚିତ ହୋଇଯାଇଛି।

Advertisment

ରିପୋର୍ଟ ଲେଖା ହେଲା ବେଳକୁ ବିଜେଡି ୮୫୧ ଆସନ ମଧ୍ୟରୁ ୫୫୨ଟି ସିଟ୍‌ରେ ବିଜୟୀ ଘୋଷଣା ହୋଇସାରିଥିବା ବେଳେ ଆଉ ୨୧୦ଟି ଆସନରେ ଆଗରେ ଅଛି। ବିଜେପି ୩୧ଟି ଆସନରେ ବିଜୟୀ ହୋଇଥିବା ବେଳେ ୧୫ଟିରେ ଆଗରେ ଏବଂ କଂଗ୍ରେସ ୩୦ଟି ଆସନରେ ବିଜୟୀ ହୋଇଥିବା ବେଳେ ୬ଟିରେ ଆଗରେ ଅଛି। ସ୍ବାଧୀନ ଓ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ୭ଟି ଆସନ ହାତେଇଛନ୍ତି। ବାକି ଗୋଟିଏ ଆସନରେ ବିଜେଡି ପୂର୍ବରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ବେଳେ ଗୋଟିଏ ଆସନରେ ପ୍ରାର୍ଥୀଙ୍କର ମୃତ୍ୟୁ ହୋଇଥିବାରୁ ଏଠାରେ ପରେ ନିର୍ବାଚନ ହେବ।

ରାଜ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିଜେଡି ସବୁ ଜିଲ୍ଲାରେ ଭଲ ପ୍ରଦର୍ଶନ ଜାରି ରଖିଛି। ଏପରିକି ବିଜେପିର ପ୍ରଦର୍ଶନରେ ଆଜି ଟିକେ ଉନ୍ନତି ହୋଇଥିବା ବେଳେ କଂଗ୍ରେସ ପଛରେ ପଡ଼ିଯାଇଛି। ତିନି ଦିନର ଗଣତି ସୁଦ୍ଧା ବିଜେଡି ସବୁ ଜିଲ୍ଲାରେ ଜିଲ୍ଲା ପରିଷଦ ସଭାପତି ପଦବି ହାତେଇବା ସ୍ଥିତିରେ ଥିବା ବେଳେ ବିଜେପି ଓ କଂଗ୍ରେସ ଟକ୍କର ଦେବା ସ୍ଥିତିରେ ନାହାନ୍ତି।

ସବୁଠୁ ଚକିତ କଲା ଭଳି କଥା ହେଉଛି ଯେ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେପି ୧୦ଟି ଜିଲ୍ଲାରେ ନିଜର ସ୍ଥିତି ଜାହିର୍ କରିପାରିନି। ଭଦ୍ରକ, ଦେବଗଡ଼, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କୋରାପୁଟ, ମୟୂରଭଞ୍ଜ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ାରେ ଚିତ୍‌ପଟାଙ୍ଗ ମାରିଛି। ବରଗଡ଼, ବାଲେଶ୍ବର, ଅନୁଗୁଳ, ସମ୍ବଲପୁର ଟିକେ ଭଲ ସ୍ଥିତିରେ ଅଛି। ହେଲେ କେଉଁଠି ବି ସଭାପତି ପଦ ହାସଲ କରିବା ଭଳି ସ୍ଥିତିରେ ନାହିଁ।

ସେହିପରି କଂଗ୍ରେସ ୧୮ଟି ଜିଲ୍ଲାରୁ ପୂରା ମୂଳପୋଛ ହୋଇଯାଇଛି। ରାୟଗଡ଼ା, କୋରାପୁଟରେ ଦଳ ଯେପରି ପ୍ରଦର୍ଶନ ଦେଖାଇଛି ତାହା ଅନ୍ୟ କେଉଁଠି ବି ଦେଖିବାକୁ ମିଳିନି। କଡ଼ା ଟକ୍କର ସତ୍ତ୍ବେ କଂଗ୍ରେସ କୋରାପୁଟ, ରାୟଗଡ଼ାରେ ଭଲ ପ୍ରଦର୍ଶନ କରିଛି। ହେଲେ ଅନୁଗୁଳ, ବରଗଡ଼, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ରେ ଦଳ ଖାତା ଖୋଲିପାରିନି। ଦଳର ୯ଜଣ ବିଧାୟକ ଥିଲେ ବି ବହୁ ଜିଲ୍ଲାରେ ପଛରେ ପଡ଼ିବା ଚିନ୍ତାର ବିଷୟ ପାଲଟିଛି।

ଅପରପକ୍ଷେ ବିଜେଡି ଗଣତିର ପ୍ରଥମ ଦିନରେ ଯେଉଁ ଟ୍ରେଣ୍ଡରେ ଆଗେଇ ଚାଲିଥିଲା ଆଜି ବି ସେଇ ଟ୍ରେଣ୍ଡ‌େର ଆଗଉଛି। ବର୍ତ୍ତମାନ ସୁଦ୍ଧା ୮୯% ସିଟ୍ ହାତେଇ ସାରିଲାଣି। ଆଜି ବିଳମ୍ବିତ ରାତି ସୁଦ୍ଧା ସମସ୍ତ ରେଜଲ୍ଟ ଆସିବାର ସମ୍ଭାବନା ଥିବାରୁ ଏହାପରେ ବିଜେଡି କେତେ ସିଟ୍ ଦଖଲ କରୁଛି ତାହା ସ୍ପଷ୍ଟ ହୋଇଯିବ। ବର୍ତ୍ତମାନ ସୁଦ୍ଧା ବିଜେଡି ସିଟ୍‌ ଦଖଲରେ ସବୁ ପୁରୁଣା ରେକର୍ଡ ଭାଙ୍ଗି ସାରିଥିବାବେଳେ ଚୂଡ଼ାନ୍ତ ଫଳ ହିଁ ଏକ ମାଇଲଖୁଣ୍ଟ ହେବାକୁ ଯାଉଛି।

ସୂଚନାଯୋଗ୍ୟ ଯେ ବିଜେଡି ୨୦୧୨ରେ ୬୫୧ଟି ଜିଲ୍ଲା ପରିଷଦ ଆସନ ଜିତି ରେକର୍ଡ କରିଥିବାବେଳେ ବିଜେପି ୨୦୧୭ରେ କଡ଼ା ଟକ୍କର ଦେଇଥିଲା। ଫଳରେ ବିଜେଡି ୪୭୬କୁ ଖସି ଆସିଥିବାବେ‌ଳେ କଂଗ୍ରେସ ୬୦ରେ ସୀମିତ ଥିଲା। କିନ୍ତୁ ବିଜେପି ୨୯୭ଟି ସିଟ୍ ହାତେଇଥିଲା। ଏଥର ବିଜେପି ଗତ ଥରର କରିସ୍ମା ଦୋହରାଇବ ବୋଲି ଆଶା କରୁଥିଲେ ହେଁ ତିନି ଅଙ୍କ ଛୁଇଁ ପାରିନି।

ରାତି ୧୧ଟା ୧୦ ସୁଦ୍ଧା ନିର୍ବାଚନ କମିସନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଗଣତି ହେଉଥିବା ୨୩୧ଟି ଜୋନ୍‌ରୁ ୧୧୭ଟିର ଫଳାଫଳ ଘୋଷଣା ହୋଇଛି। ଏଥିରେ ବିଜେଡି ୧୦୬ଟି, ବିଜେପି ୫ ଓ କଂଗ୍ରେସ ୬ଟିରେ ବିଜୟ ହାସଲ କରିଛନ୍ତି। ଆଜି ମୋଟ୍ ୨୪୯୭୨ଟି ୱାର୍ଡର ଗଣତି ହେବାକୁ ଥିବାବେଳେ ୨୨୦୬୪ଟିରେ ଗଣତି ସରିଛି।

publive-image