ଭୁବନେଶ୍ୱର : ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଚାପମାଣିକ ପଞ୍ଚାୟତର କାଶିଝରିଆ ଗାଁରେ ଦୁଇ ଜଣ ବ୍ୟକ୍ତି ୧୫୬ଜଣଙ୍କ ପାଇଁ ଭୋଟ୍ ଦେବେ ବୋଲି କହିଲେ। ପ୍ରିଜାଇଡିଂ ଅଫିସର ରାଜି ନହେବାରୁ ଭୋଟ୍ ବାକ୍ସ ଲୁଟି ନେଇ ଜଙ୍ଗଲକୁ ପଳାଇଲେ। ଏହି ବ୍ଲକର ରାହଡମଲ୍ଲ ପଞ୍ଚାୟତ ନିଶିଭଅଁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ କଥା କଟାକଟିକୁ ନେଇ ବୁଥ୍ ଭିତରେ କାଠଫାଳିଆ, ଖଣ୍ଡା, ଫାର୍ସା, ମାରଣାସ୍ତ୍ର ଉଡ଼ିଛି। କୃଷ୍ଣପ୍ରସାଦ ବ୍ଲକର ଅଲଣ୍ଡା ପଞ୍ଚାୟତରେ ଦୁଇ ରାଜନୈତିକ ଦଳର ସମର୍ଥକ ବୁଥ୍ ଭିତରେ ବାଡ଼ିଆପିଟା ହେବା ସହ ବାହାରେ ବୋମାମାଡ଼ କରିଛନ୍ତି। ଏହାର ଫାଇଦା ନେଇ ନିକଟସ୍ଥ ଏକ ବୁଥ୍ରୁ ଭୋଟ୍ ବାକ୍ସ ଲୁଟ୍ ହୋଇଗଲା।
ଯାଜପୁର ବ୍ଲକ ଝାଲପଡ଼ା ପଞ୍ଚାୟତର କାକୁଡ଼ିକୁଦ ନୀଳକଣ୍ଠପୁର ପ୍ରାଥମିକ ବିଦ୍ୟାଳୟର ୧୦ ଓ ୧୧ନଂ ବୁଥ୍ ଜବରଦଖଲ ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକ ପୁଲିସକୁ ମାଡ଼ ମାରିବା ସହ ୩ଟି ପୁଲିସ ଭ୍ୟାନ୍ ଭାଙ୍ଗିଦେଇଛନ୍ତି।ସୁଜନପୁର ପଞ୍ଚାୟତରେ ଦୁର୍ଗାପୁର ଅଙ୍ଗନବାଡି ବୁଥ୍ର କବାଟ ବାଡ଼େଇ ଭାଙ୍ଗିବା ସହ ବାଲାଟ୍ ପେପର ଓ ଷ୍ଟାମ୍ପ ନେଇଯିବା ସହ ଭୋଟ୍ ବାକ୍ସ ବାଡ଼େଇ ଭାଙ୍ଗିଥିବା ଅଭିଯୋଗ ହୋଇଛି।
/sambad/media/post_attachments/wp-content/uploads/2022/02/30390bee-67e0-47fb-bb22-0d58d33d35c7.jpg)
ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ପୋଲିଂ ବୁଥ୍ରେ ଭୋଟ୍ କ୍ୟାପ୍ଚରିଂ ବେଳେ ପ୍ରିଜାଇଡିଂ ଅଫିସର ପୂର୍ଣ୍ଣଚନ୍ଦ୍ର ରାଉଳ ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ମାଡ଼ ମାରି ଭୋଟ୍ ବାକ୍ସ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି।
କେବଳ ଏହି ତିନିଟି ଜିଲ୍ଲାର ଏତିକି ଘଟଣା ନୁହେଁ। ସାରା ରାଜ୍ୟରୁ ଏହିଭଳି ପୁଳାପୁଳା ଅଭିଯୋଗ ଆସିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ନିର୍ବାଚନ କମିସନଙ୍କ ନିକଟକୁ ଭୋଟ୍ ବାକ୍ସ ଲୁଟ୍, ଗଣ୍ଡଗୋଳ, ବୁଥ୍ ଜବରଦଖଲ ନେଇ ଅଭିଯୋଗ ଆସିବାରେ ଲାଗିଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଯାଜପୁରରେ ୧୦ଟି, ପୁରୀରେ ୫ଟି, ଢେଙ୍କାନାଳରେ ୩ଟି ବୁଥ୍ରେ ନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିବାରୁ ନିର୍ବାଚନ ଅଧିକାରୀମାନେ ଏଠାରେ ନିର୍ବାଚନ ସ୍ଥଗିତ ରଖିଥିବା ଖବର ଆସିଛି।
ପଞ୍ଚାୟତ ନିର୍ବାଚନ ପାଇଁ ମତଦାନର ପ୍ରଥମ ପର୍ଯ୍ୟାୟରୁ ଭୋଟ୍ ବାକ୍ସ ଲୁଟ୍, ରକ୍ତାକ୍ତ ସଂଘର୍ଷ, ପ୍ରିଜାଇଡିଂ ଅଫିସରଙ୍କୁ ଆକ୍ରମଣ ଭଳି ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି। ହିଂସାମୁକ୍ତ ଓ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ କରିବା ପାଇଁ ରାଜ୍ୟ ନିର୍ବାଚନ କମିସନର ପୁଲିସ ଡିଜିଙ୍କୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ବି ପ୍ରଥମ ପର୍ଯ୍ୟାୟରେ ଏହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି। ଆଗକୁ ଆଉ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାରୁ ଏପରି ଜାରି ରହିଲେ ସ୍ଥିତି ସାଂଘାତିକ ରୂପ ନେଇପାରେ।
/sambad/media/post_attachments/wp-content/uploads/2022/02/a5522b40-c318-41e6-9338-13d7f11051d5-1.jpg)
ଆଜିର ଗଣ୍ଡଗୋଳ, ବୁଥ୍ ଦଖଲ ଘଟଣା ପରେ ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ପୁଲିସ ଡିଜି ସୁନିଲ ବଂଶଲଙ୍କୁ ତାଗିଦ୍ କରିଛନ୍ତି। ପଞ୍ଚାୟତ ନିର୍ବାଚନ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହାସହ ନିର୍ବାଚନ କମିସନଙ୍କ ପକ୍ଷରୁ କୁହାଯାଇଛି ଯେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବାବେଳେ କେତେକ ସ୍ଥାନରେ ବିଶୃଙ୍ଖଳାକାରୀଙ୍କ ଦ୍ବାରା ଗଣ୍ଡଗୋଳ ହେଉଥିବା ଖବର କମିସନଙ୍କ ଦୃଷ୍ଟିକୁ ଆସିଛି। ବିଶେଷକରି ପୁରୀ, ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ବିଶୃଙ୍ଖଳାକାରୀମାନେ ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଛନ୍ତି। ପୁରୀ ଜିଲ୍ଲାର କଣାସ ବ୍ଲକରେ ବିଶୃଙ୍ଖଳାକାରୀମାନେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ଆକ୍ରମଣ କରିଥିବା ନିର୍ବାଚନ କମିସନଙ୍କ ନଜରକୁ ଆସିଛି। ଶାନ୍ତିଶୃଙ୍ଖଳାର ସହ ମତଦାନ ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିସନ ବିଶୃଙ୍ଖଳାକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ନିର୍ବାଚନ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/eeee-3.jpg)