ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶେଷ ତଥା ପଞ୍ଚମ ପର୍ଯ୍ୟାୟ ଭୋଟ୍ ଆଜି (ଗୁରୁବାର) ଅନୁଷ୍ଠିତ ହେବ। ଆଜି ୨୫ଟି ଜିଲ୍ଲାର ୪୮ଟି ବ୍ଲକର ୧୩୧ଟି ଜିଲ୍ଲା ପରିଷଦ ଜୋନ୍‌ର ୯୭୫ଟି ଗ୍ରାମପଞ୍ଚାୟତ ପାଇଁ ୧୩୫୧୪ଟି ବୁଥ୍‌ରେ ମତଦାନ ହେବାକୁ ଥିବାବେଳେ ୪୧ଲକ୍ଷ ୮୮ହଜାର ୩୮୨ଜଣ ମତଦାତା ଭୋଟ୍‌ ଦେବେ। ୧୩୧ଟି ଜୋନ୍‌ ପାଇଁ ୫୨୦ଜଣ ପ୍ରାର୍ଥୀ ଥିବାରୁ କଡ଼ା ମୁକାବିଲା ହେଉଛି। ତେଣୁ ନିର୍ବାଚନ ଯେପରି ଶାନ୍ତିଶୃଙ୍ଖଳାର ସହ ଶେ‌ଷ ହେବ ସେନେଇ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ଜୋରଦାର୍‌ ପ୍ରସ୍ତୁତି ହୋଇଛି।

Advertisment

ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ଯେପରି କୌଣସି ସ୍ଥାନରେ ଗଣ୍ଡଗୋଳ, ନିର୍ବାଚନୀ ହିଂସା ହେବନି ସେନେଇ ପୁଲିସ ବିଭାଗ ପକ୍ଷରୁ କମିସନଙ୍କୁ ପ୍ରତିଶ୍ରୁତି ଦିଆଯାଇଛି। ରାଜ୍ୟର ବିଭିନ୍ନ ମାଓ ଅଞ୍ଚଳରେ ଗୁରୁବାର ଭୋଟ୍‌ ହେବାକୁ ଥିବାରୁ ସେଠାରେ ସୁରକ୍ଷା ବ୍ୟବସ୍ଥା କ’ଣ ରହିଛି ସେନେଇ ପୁଲିସ ଡିଜି ସୁନିଲ ବଂଶଲ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଅବଗତ କରାଇଛନ୍ତି।

publive-image

ଆଜି ମାଲକାନଗିରିର ସ୍ବାଭିମାନ ଅଞ୍ଚଳରେ ଭୋଟ୍‌ ହେବ। ପ୍ରାୟ ଏକ ଦଶନ୍ଧି ପରେ ଏଠାରେ ଭୋଟ୍‌ ହେଉଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଚିତ୍ରକୋଣ୍ଡା ବ୍ଲକର ୨ଟି ଜୋନ୍‌ରେ ନିର୍ବାଚନ ହେଉଥିଲେ ହେଁ ଜୋନ୍‌-୨ ବା ସ୍ବାଭିମାନ ଅଞ୍ଚଳ ଉପରେ ସମସ୍ତଙ୍କ ନଜର ରହିଛି। ଆଜି ନିର୍ବାଚନ ହେବାକୁ ଥିବା ଅଞ୍ଚଳରେ ପୁଲିସ ଛାଉଣି କରି ଦିଆଯାଇଥିବା ବେଳେ ଅପହଞ୍ଚ ମତଦାନ କେନ୍ଦ୍ରଗୁଡ଼ିକୁ ଜଳପଥରେ ପୁଲିଂ କର୍ମଚାରୀଙ୍କୁ ପଠାଯାଇଛି।

ସେହିପରି ମତଦାତା ଓ ନିର୍ବାଚନ ଦାୟିତ୍ବରେ ଥିବା କର୍ମଚାରୀ ଯେପରି ସୁରକ୍ଷିତ ରହିବେ, ଭୋଟ୍‌ ବାକ୍ସ ସୁରକ୍ଷିତ ଭାବେ ଷ୍ଟ୍ରଙ୍ଗରୁମ୍‌କୁ ଆସିବ ସେନେଇ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ୨୦୧୭ ପଞ୍ଚାୟତ ନିର୍ବାଚନ ନେଇ ସମସ୍ତ ପ୍ରସ୍ତୁତି ହୋଇଥିଲେ ବି ମାଓବାଦୀଙ୍କ ଧମକ ଯୋଗୁଁ ଏଠାରେ ନିର୍ବାଚନ ହୋଇନଥିଲା। କିନ୍ତୁ ଏଥର ସ୍ବାଭିମାନ ଅଞ୍ଚଳର ୯ଟି ପଞ୍ଚାୟତରେ ୧୦୬ଟି ବୁଥ୍‌ରେ ମତଦାନ ହେବ। ୫୪ଟି ଅତିସମ୍ବେଦନଶୀଳ ବୁଥ୍‌କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଇତିମଧ୍ୟରେ ଆଜି ୪୯ଟି ବୁଥରେ ସାନି ମତଦାନ କରାଯାଇଛି।