ପଞ୍ଚାୟତ ନିର୍ବାଚନ: ସଂରକ୍ଷଣ ତାଲିକାରେ ତ୍ରୁଟି ନେଇ ଧାରଣା

ଖୋର୍ଦ୍ଧା: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଥିବା ପଂଚାୟତ ନିର୍ବାଚନ ସଂରକ୍ଷଣ ନେଇ ଚିଠା ପ୍ରସ୍ତାବରେ ବ୍ୟାପକ ତ୍ରୁଟି ଓ ଯୋଗ୍ୟ ଆସନକୁ ବଂଚିତ କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବେଗୁନିଆ ବ୍ଲକ ପୋଡ଼ାଡିହ ପଂଚାୟତର ବାସିନ୍ଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଥିବା ସଂରକ୍ଷଣ ତାଲିକା ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଓ ନେତାଙ୍କ ପ୍ରୋରଚନାରେ ପ୍ରସ୍ତୁତ କରାଯାଇଛି। ୨୦୨୧ ଅକ୍ଟୋବର ୨୫ରେ ପ୍ରକାଶିତ ଚିଠା ପ୍ରସ୍ତାବରେ ପୋଡ଼ାଡିହ ପଂଚାୟତର ସରପଂଚ ଅଣସଂରକ୍ଷିତ ମହିଳା ଓ ସମତିସଭ୍ୟ ଅଣ ସଂରକ୍ଷିତ ମହିଳା ଥିବା ବେଳେ ୨୭ ଡିସେମ୍ବରରେ ପ୍ରକାଶିତ ଚିଠା ପ୍ରସ୍ତାବରେ ଏହାକୁ ଏସ୍ସି ମହିଳା ଓ ପୁରୁଷ ପାଇଁ ସଂରକ୍ଷିତ ରଖାଯାଇଛି ।

ପୋଡ଼ାଡିହ ପଂଚାୟତରେ ଅନୁସୂଚିତ ଜାତି ଓ ଜନଜାତିର ଆନୁପାତିକ ହାର ୬ ନମ୍ବର ଥିବାବେଳେ ଏହାକୁ ୪ ନମ୍ବର ଦର୍ଶାଯାଇ ସ୍ଥାନିତ କରାଯାଇଛି। ଏଥିପାଇଁ ନିକଟସ୍ଥ ପଂଚାୟତରୁ ୮୩ରୁ ଅଧିକ ଏସ୍‌ସି ଓ ଏସ୍‌ଟି ବର୍ଗର ଭୋଟରଙ୍କୁ ଏହି ପଂଚାୟତରେ ସଂଯୋଗ କରାଯାଇ ଏଭଳି ଅନିୟମିତତା କରାଯାଇଛି ବୋଲି ବିକ୍ଷୋଭକାରୀମାନେ ଅଭିଯୋଗ କରିଛନ୍ତି । ସେହିଭଳି ବର୍ତ୍ତମାନ ପ୍ରକାଶିତ ତାଲିକାରେ ବ୍ଲକର ୨୧ ପଞ୍ଚାୟତରୁ କୌଣସି ପଞ୍ଚାୟତରେ ଅନୁସୂଚିତ ଜନଜାତିଙ୍କ ପାଇଁ କୌଣସି ସରପଞ୍ଚ ପଦବୀ ସଂରକ୍ଷିତ କରାଯାଇନଥିବାରୁ ପ୍ରଶାସନ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଓ ନେତାଙ୍କୁ ଲାଭ ପହଞ୍ଚାଇବାକୁ ଏଭଳି କରିଛି। ଏଣୁ ତାଲିକାକୁ ତୁରନ୍ତ ପରିବର୍ତ୍ତନ କରିବାକୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର