ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ଦଳୀୟ ଚିହ୍ନରେ ଲଢ଼ୁଛନ୍ତି। ଏଥିପାଇଁ ପ୍ରାର୍ଥୀମାନେ ଦଳୀୟ ଟିକେଟ୍ ପାଇବାକୁ ବିଧାୟକ ନଚେତ୍ କ୍ଷମତାଶାଳୀ ନେତାଙ୍କ ପାଖରେ ଡେରା ପକାଇଥିଲେ। ଯିଏ ଦଳୀୟ ଟିକେଟରେ ଲଢ଼ିଲେ ତାଙ୍କୁ ଦଳର ସଭାପତି କିମ୍ବା ସଭାପତିଙ୍କ ଦ୍ବାରା ଅଧିକୃତ ନେତାଙ୍କ ଦସ୍ତଖତରେ ଟିକେଟ୍ ବଣ୍ଟାଯାଇଛି। ଏହାକୁ ନେଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
ପ୍ରମୁଖ ଦଳଗୁଡ଼ିକ କ୍ଷେତ୍ରରେ ଏଥର ନିର୍ବାଚନରେ କେଉଁଠି କିଏ ଜିଲ୍ଲା ପରିଷଦ ପ୍ରାର୍ଥୀ ହେବ ତାହା ସ୍ଥାନୀୟ ବିଧାୟକ/ବିଧାୟକ ପ୍ରାର୍ଥୀମାନେ ସ୍ଥିର କରିଛନ୍ତି। ହେଲେ ଦଳର ମୁଖିଆ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛନ୍ତି। ବିଜେଡିରୁ ଯେଉଁମାନେ ପ୍ରାର୍ଥୀ ହୋଇଛନ୍ତି ତାଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଟିକେଟ୍ ମିଳିଛି। କଂଗ୍ରେସରୁ ଯିଏ ପ୍ରାର୍ଥୀ ହୋଇଛନ୍ତି ତାଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଦସ୍ତଖତରେ ଟିକେଟ୍ ମିଳିଛି। ହେଲେ ବିଜେପିରୁ ଯେଉଁମାନେ ପ୍ରାର୍ଥୀ ହେଲେ ତାଙ୍କୁ ଦଳର ସଭାପତି ସମୀର ମହାନ୍ତିଙ୍କ ଦସ୍ତଖତରେ ଟିକେଟ୍ ମିଳିଲାନି। ଦଳର ସାଧାରଣ ସମ୍ପାଦକ (ସଙ୍ଗଠନ) ମାନସ କୁମାର ମହାନ୍ତିଙ୍କ ଦସ୍ତଖତରେ ଟିକେଟ୍ ମିଳିଲା। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି।
ବିଜେଡିରେ ନବୀନ, କଂଗ୍ରେସରେ ନିରଞ୍ଜନ ବାଣ୍ଟିଲେ
ବିଜେପିରେ ସମୀର ଦୂରେଇ ରହିଲେ, ମାନସ ବାଣ୍ଟିଲେ
/sambad/media/post_attachments/wp-content/uploads/2022/01/bjd-and-bjp.jpg)
ଯେଉଁ କାମ ସଭାପତି କରିବା କଥା ତାକୁ ଦଳର ସଙ୍ଗଠନ ସମ୍ପାଦକଙ୍କୁ କାହିଁକି ଦିଆଗଲା ସେନେଇ କେହି କିଛି କହୁନାହାନ୍ତି। ସମୀର ମହାନ୍ତି ନିଜେ ଟିକେଟ୍ ନବାଣ୍ଟି କାହିଁକି ଦଳର ସଙ୍ଗଠନ ସମ୍ପାଦକଙ୍କୁ ଅଧିକୃତ କଲେ ତାହା ବି ଜଣାପଡ଼ୁନି। ପ୍ରାୟ ସମସ୍ତ ଦଳର ସଭାପତି ଟିକେଟ୍ ବାଣ୍ଟିଥିବା ବେଳେ ବିଜେପି ସଭାପତି କାହିଁକି ଟିକେଟ୍ ବଣ୍ଟା ପ୍ରକ୍ରିୟାରୁ ଦୂରେଇ ରହିଲେ ତାହା ଜଣାପଡ଼ିନି।
ଗୋଟିଏ ମହଲର ଚର୍ଚ୍ଚା ଯେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୟୁପି ନିର୍ବାଚନରେ ବ୍ୟସ୍ତ ଥିବାରୁ ପଞ୍ଚାୟତ ନିର୍ବାଚନରୁ ଦୂରେଇ ଯାଇଛନ୍ତି। ଦଳ ଖରାପ ପ୍ରଦର୍ଶନ କଲେ ବି କେହି ତାଙ୍କୁ ଦୋଷ ଦେବେନି। ସେହିକ୍ରମରେ ଆଗକୁ ଯେପରି କୌଣସି ପ୍ରକାରର ଅପବାଦ ମୁଣ୍ଡାଇବାକୁ ପଡ଼ିବନି ତାକୁ ନଜରରେ ରଖି ସଭାପତି ସମୀର ମହାନ୍ତି ବି ନିଜ ଉପରୁ ଦୋଷ ଛଡ଼ାଇବାକୁ ସଙ୍ଗଠନ ସମ୍ପାଦକଙ୍କୁ ଦାୟିତ୍ବ ଦେଇଛନ୍ତି। ଯିଏ ସଙ୍ଗଠନ ଦାୟିତ୍ବରେ ଅଛନ୍ତି ସେ ଟିକେଟ୍ ବାଣ୍ଟନ୍ତୁ। ପ୍ରାର୍ଥୀ ଭଲ ପ୍ରଦର୍ଶନ କଲେ ଶ୍ରେୟ ଦଳର। ଖରାପ ହେଲେ ସଙ୍ଗଠନ ସମ୍ପାଦକ ଦାୟୀ ହେବେ।
ତେବେ ଆଉ ଏକ ମହଲ କହୁଛି ଯେ କିଏ ଟିକେଟ୍ ବାଣ୍ଟିବେ ସେ ନିଷ୍ପତ୍ତି ଦଳର ସଭାପତି ନେଇପାରିବେ। ସଭାପତିଙ୍କର ଯିଏ ଅନୁଗତ ତାଙ୍କୁ ସେ ଦାୟିତ୍ବ ଦେଇଥିବେ। ଏଥିରେ କିଛି ସମସ୍ୟା ନାହିଁ।
ବିଜେପି ଭଳି ବିଜେଡିରେ ବି ସଙ୍ଗଠନ ସମ୍ପାଦକ ପଦବି ଅଛି। ହେଲେ ତାଙ୍କ ଦସ୍ତଖତରେ ଟିକେଟ୍ ବଣ୍ଟା ହେଉନି। ଟିକେଟ୍ କାହାକୁ ମିଳିବ ସେ ନିଷ୍ପତ୍ତି ଦଳର ସଭାପତି ହିଁ ନେଇଛନ୍ତି। ଯେଉଁଥିପାଇଁ ଏହି ଚର୍ଚ୍ଚା ବଢ଼ୁଛି।
/sambad/media/post_attachments/wp-content/uploads/2022/01/election-ffaaa.jpg)
ରାଜନୈତିକ ବିଶେଷଜ୍ଞଙ୍କ କହିବାନୁଯାୟୀ, ଯିଏ କ୍ଷମତାଶାଳୀ ହେଲେ ବି ଦଳର ସଭାପତିଙ୍କ ଦସ୍ତଖତରେ ଟିକେଟ୍ ବଣ୍ଟାହେଲେ ବାହାରକୁ ଭଲ ବାର୍ତ୍ତା ଯାଏ। ଦଳରେ ସବୁ ଠିକଠାକ୍ ଅଛିି ବୋଲି ଜଣାପଡ଼େ। ଅନ୍ତତଃପକ୍ଷେ ଜାତୀୟ ଦଳରେ ଏହି ଧାରା ବଜାୟ ରହିବା ଦରକାର। ଏଥର ବିଜେଡି, କଂଗ୍ରେସ ଧାରାରେ କଳିଙ୍ଗ ସେନା, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ସିପିଆଇ(ଏମ୍), ଫରୱାର୍ଡ ବ୍ଲକ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ଓଡ଼ିଶା ପ୍ରଗତି ଦଳ, ଓଡ଼ିଶା ଜନତା ପାର୍ଟି, ହିନ୍ଦୁ ମହାସଭା, ଆମ୍ବେଦକର ପାର୍ଟି ଅଫ୍ ଇଣ୍ଡିଆ, ରିପବ୍ଲିକ ପାର୍ଟି,ସୋସିଆଲିଷ୍ଟ ୟୁନିଟି ସେଣ୍ଟର ଦଳର ମୁଖିଆମାନେ ହିଁ ନିଜ ଦସ୍ତଖତରେ ଟିକେଟ୍ ବାଣ୍ଟିଛନ୍ତି।
କିନ୍ତୁ ବିଜେପି ଧାରାରେ ଏଜେଏସ୍ୟୁ ପାର୍ଟିର ସଭାପତି ସୁଦେଶ କୁମାର ମାହତୋ ଦଳର ନେତା ଅନ୍ତ ଆଲୋକ ବାସ୍କେଙ୍କୁ, ସମୃଦ୍ଧ ଓଡ଼ିଶା ତା’ର ମହାସଚିବ େଗାଲକ ବିହାରୀ ସିଂହଙ୍କୁ, କୃପା ପାର୍ଟି ପକ୍ଷରୁ ସାଧାରଣ ସମ୍ପାଦକ ବିଶ୍ବନାଥ ରାଉତଙ୍କୁ ଟିକେଟ୍ ବାଣ୍ଟିବା ଦାୟିତ୍ବ ମିଳିଛି। ଅପରପକ୍ଷେ ବହୁଜନ ସମାଜବାଦୀ ପାର୍ଟି ସଭାପତି ଟଙ୍କଧର ବାଗ୍ ନିଜେ ଟିକେଟ୍ ବାଣ୍ଟିବା ସହ ୩୦ଜିଲ୍ଲାରେ ୩୦ଜଣଙ୍କୁ ଦାୟିତ୍ବ ଦେଇଛନ୍ତି। ଆମ୍ ଆଦ୍ମି ପାର୍ଟି ଓଡ଼ିଶା ମୁଖ୍ୟ ତାଙ୍କ ସମେତ ତିନି ଜଣଙ୍କୁ, ସିପିଆଇ(ଏମ୍-ଏଲ୍) ଓଡ଼ିଶା ମୁଖ୍ୟ ନିଜେ ସମେତ ଆଉ ଜଣଙ୍କୁ, ବହୁଜନ ମୁକ୍ତି ପାର୍ଟି ମୁଖ୍ୟ ନିଜ ସମେତ ଆଉ ଜଣଙ୍କୁ ଦାୟିତ୍ବ ଦେଇଛନ୍ତି।