ବାଲେଶ୍ବର: ପଞ୍ଚାୟତ ନିର୍ବାଚନ ନସରୁଣୁ ପୌର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ଆସନ୍ତାକାଲି ଠାରୁ ପଞ୍ଚାୟତ ନିର୍ବାଚନର ଗଣତି ଆରମ୍ଭ ହେଉଛି। ଏପଟେ କମିଶନ ମାର୍ଚ୍ଚ ୨୪ ତାରିଖରେ ପୌର ନିର୍ବାଚନ ଲାଗି ତାରିଖ ଘୋଷଣା କରିଥିବାରୁ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଏବଂ ତତ୍ପରତା ଦେଖିବାକୁ ମିଳିଛି ଏବଂ ରାଜନୈତିକ ଦଳଗୁଡ଼ିକ ମଧ୍ୟ ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ ହେଉଥିବା ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ବାଲେଶ୍ବର ପୌର ପରିଷଦରେ ୩୧ଟି ୱାର୍ଡ, ଜଳେଶ୍ବରର ପୌର ପରିଷଦରେ ୧୭ଟି ୱାର୍ଡ, ସୋର ପୌର ପରିଷଦରେ ୧୯ଟି ୱାର୍ଡ ରହିଥିବା ବେଳେ ନୀଳଗିରି ଏନ୍ଏସିରେ ୧୩ଟି ୱାର୍ଡ ଏବଂ ରେମୁଣା ଏନ୍ଏସିରେ ୧୩ଟି ୱାର୍ଡ ରହିଛି। ଆଗାମୀ ପୌର ନିର୍ବାଚନରେ ଜିଲ୍ଲାର ୩ ପୌର ପରିଷଦ ଏବଂ ୨ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ଏସି) ମଧ୍ୟରୁ ବାଲେଶ୍ବର ପୌର ପରିଷଦ, ନୀଳଗିରି ଓ ରେମୁଣା ଏନ୍ଏସି ଅଧ୍ୟକ୍ଷ ପଦ ମହିଳାବର୍ଗ ପାଇଁ ସଂରକ୍ଷିତ ହୋଇଛି।
୫ ଅଧ୍ୟକ୍ଷ, ୯୩ କାଉନସିଲର ପଦ ପାଇଁ ବଛା ହେବେ ପ୍ରାର୍ଥୀ
ଯୁଦ୍ଧକାଳୀନ ଭିତ୍ତିରେ ପ୍ରାର୍ଥୀ ଚୟନ କରିବାକୁ ଦଳଗୁଡ଼ିକର ନିଷ୍ପତ୍ତି
ବାଲେଶ୍ବର ପୌର ପରିଷଦ ଅଧ୍ୟକ୍ଷ ଆସନରେ ମହିଳା ଏବଂ ନୀଳଗିରି ଓ ରେମୁଣା ଏନ୍ଏସି ଅଧ୍ୟକ୍ଷ ଆସନ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଅଛି। ସେହିପରି ଜଳେଶ୍ବର ପୌର ପରିଷଦ ଅଧ୍ୟକ୍ଷ ଆସନ ଅଣସଂରକ୍ଷିତ ରହିଥିବା ବେଳେ ସୋର ପୌର ପରିଷଦ ଅଧ୍ୟକ୍ଷ ଆସନ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ରହିଛି। ଚଳିତବର୍ଷ ଅଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେବ। ଭୋଟରମାନେ ପୌରାଧ୍ୟକ୍ଷ ପଦ ପାଇଁ ଭୋଟ ଦେବେ। ପ୍ରଥମ ଥର ପାଇଁ ପୌର ନିର୍ବାଚନରେ ନୋଟା ବ୍ୟବସ୍ଥା ରଖାଯାଇଛି। ତେବେ ପୌରାଧ୍ୟକ୍ଷ ବା ଏନ୍ଏସି ଅଧ୍ୟକ୍ଷ ଭଳି ଗୁରୁତ୍ବପୂର୍ଣ୍ଣ ଆସନରେ ବସିବା ଲାଗି ଏବେ ସବୁ ଦଳରେ ମାଳମାଳ ଆଶାୟୀ ନିଜ ମୁହଁ ସାମ୍ନାକୁ ଆଣିଲେଣି। କାହାକୁ ପ୍ରାର୍ଥୀ କଲେ ଦଳ ପୌରପାଳିକାକୁ ନିଜ ଅକ୍ତିଆର ରଖିପାରିବେ ସେନେଇ ଦଳୀୟ ନେତୃବୃନ୍ଦ ବିଚାରବିମର୍ଶ କରୁଥିବା ଜଣାଇଛନ୍ତି।