୮୩% ଲୋକଙ୍କ ପାଇଁ ‘ମୋ ସରକାର’ ନିର୍ଣ୍ଣାୟକ ଭୂମିକା ନେବ : ‘ମୋ ସରକାର’ ଅଧୀନକୁ ଆସିଲା ପଞ୍ଚାୟତିରାଜ ବିଭାଗ

ଭୁବନେଶ୍ବର : ଗ୍ରାମାଞ୍ଚଳରେ ପ୍ରଶାସନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସ୍ଥାନ ହେଲା ବ୍ଲକ୍ ଅଫିସ୍। ସରକାର ଓ ଗ୍ରାମାଞ୍ଚଳ ଲୋକଙ୍କ ମଧ୍ୟରେ ଯୋଗସୂତ୍ର ରଖିବାର ଏହା ପ୍ରମୁଖ ମାଧ୍ୟମ। ଓଡ଼ିଶାର ଗ୍ରାମାଞ୍ଚଳରେ ରହୁଛନ୍ତି ୮୩ ପ୍ରତିଶତ ଲୋକ। ସେମାନଙ୍କ ପାଇଁ ‘ମୋ ସରକାର’ ଏକ ନିର୍ଣ୍ଣାୟକ ଭୂମିକା ନେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଆଜି ଲୋକସେବା ଭବନ‌‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ‘ମୋ ସରକାର’ରେ ସାମିଲ କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପଞ୍ଚାୟତିରାଜ ବିଭାଗ ରାଜ୍ୟରେ ବହୁ ଗୁରୁତ୍ବପୂର୍ଣ୍ଣ ଯୋଜନା କାର୍ଯ୍ୟକାରୀ କରୁଛି। ୨୦୧୪ ପର ଠାରୁ ଏହି ବିଭାଗ ୨୫ ଲକ୍ଷ ଘର ସମ୍ପୂର୍ଣ୍ଣ କରିଛି। ସବୁ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଦେବାକୁ ବିଭାଗ ଆବଶ୍ୟକ ପଦକ୍ଷେପ ନେଉଛି। ୬୫ ପ୍ରତିଶତ ଲୋକଙ୍କୁ ପାଇପ୍ ଯୋଗେ ପାଣି ଯୋଗାଇବାକୁ ପ୍ରକଳ୍ପ ହାତକୁ ନେଇଛି। ୨୦୨୪ ସୁଦ୍ଧା ଶତ ପ୍ରତିଶତ ଲୋକଙ୍କୁ ପାଣି ଯୋଗାଇ ଦିଆଯିବ। ଓଡ଼ିଶାକୁ ବାହ୍ୟ ମଳ ମୁକ୍ତ ରାଜ୍ୟର ମାନ୍ୟତା ଦେବା ପାଇଁ ବିଭାଗ ପଦକ୍ଷେପ ନେଇଛି। ଦାଦନ ହ୍ରାସ କରିବା ପାଇଁ ବର୍ଦ୍ଧିତ ମଜୁରୀ ସହ ୧୦୦ ଅତିରିକ୍ତ କାର୍ଯ୍ୟଦିବସ ଯୋଗାଯାଉଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ‘ମୋ ସରକାର’ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ‌େହଲା ସରକାରୀ କର୍ମଚାରୀଙ୍କ ମଧ୍ୟ‌ରେ ପେଶାଦାର ମନୋଭାବ ଆଣିବା ସହ ସେମାନଙ୍କ ବ୍ୟବହାରରେ ପରିବର୍ତ୍ତନ ଆଣିବା। ଏଥି ପାଇଁ ଲୋକଙ୍କ ଠାରୁ ସିଧାସଳଖ ମତାମତ ଅଣାଯାଉଛି। ପଞ୍ଚାୟତିରାଜ ବିଭାଗ ଅଧୀନରେ ଥିବା ବ୍ଲକ୍ କାର୍ଯ୍ୟାଳୟ ମାଧ୍ୟମରେ ଲୋକମାନେ ବିଭିନ୍ନ ଯୋଜନାର ସୁବିଧା ପାଉଛନ୍ତି। ଏଠାରେ ପେଶାଦାର ମନୋଭାବ ନେଇ କାର୍ଯ୍ୟ କରାଗଲେ ହିଁ ‘ମୋ ସରକାର’ ୮୩ ପ୍ରତିଶତ ଲୋକଙ୍କ ପାଇଁ ନିର୍ଣ୍ଣାୟକ ଭୂମିକା ନେବ। ନିଷ୍ଠା, ଆନ୍ତରିକତା ଓ ପେଶାଦାର ମନୋଭାବ ନେଇ କର୍ମଚାରୀମାନେ ନିଜ ନିଜ ଦାୟିତ୍ବ ନିର୍ବାହ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକଟ କରିଥିଲେ।

ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ଗ୍ରାମାଞ୍ଚଳ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ପୂରଣ କରିବାକୁ ବିଭାଗ ବଦ୍ଧପରିକର। ବାସଗୃହ, ପାନୀୟ ଜଳ, ମନରେଗା ଓ ଅନ୍ୟ ଗୁରୁତ୍ବପୂର୍ଣ୍ଣ ଯୋଜନାକୁ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରାଯାଉଛି। ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବାକୁ ବିଜୁ ବାବୁ ଯେଉଁ ସ୍ବପ୍ନ ଦେଖିଥିଲେ ତାହାକୁ ନିଶ୍ଚିତ ପୂରଣ କରାଯିବ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ ଯେ ଗ୍ରାମାଞ୍ଚଳ ଲୋକଙ୍କ ଜୀବନ‌ ଧାରଣରେ ପରିବର୍ତ୍ତନ ଆଣିବା ‌େକ୍ଷତ୍ରରେ ପଞ୍ଚାୟତିରାଜ ବିଭାଗର ମୁଖ୍ୟ ଭୂମିକା ରହିଛି। ମୋ ସରକାର ଏ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ।

୫-ଟି ସଚିବ ଭି କେ ପାଣ୍ଡିଆନ୍ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ କିଛି ବ୍ଲକ୍‌ର ବିଡିଓଙ୍କ ସହ କଥା ହୋଇଥିଲେ। ଆଲୋଚନା ସମୟରେ ସେ କହିଥିଲେ ଯେ ଅଧିକାରୀମାନଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନ ହୋଇଛି। ସେମାନେ ମୋ ସରକାର ପଦକ୍ଷେପ ସମ୍ପର୍କରେ ଭଲ ଭାବେ ଅବଗତ ଅଛନ୍ତି। ଗ୍ରାମାଞ୍ଚଳରେ ଗୃହ ନିର୍ମାଣ କ୍ଷେତ୍ରରେ ଲୋକଙ୍କ ଠାରୁ ମିଳିଥିବା ମତାମତ ଭଲ ରହିଛି। ଶିବିର ଆୟୋଜନ କରାଯାଇ ଗ୍ରାମାଞ୍ଚଳ ଲୋକମାନଙ୍କୁ ବିଭିନ୍ନ ସାର୍ଟିଫିକେଟ୍‌ ପ୍ରଦାନ କରିବାକୁ ସେ କହିଥିଲେ। ବୈଠକରେ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଡି କେ ସିଂହ ‘ମୋ ସରକାର’ର ସଫଳ କାର୍ଯ୍ୟକାରିତା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର