ପଞ୍ଚାୟତିରାଜ ବିଭାଗର ଖର୍ଚ୍ଚଦାବି ପାରିତ

୩୧ଟି ବିଭାଗର ଅତିରିକ୍ତ ଖର୍ଚ୍ଚଦାବି ଗିଲୋଟିନ୍‌ର ପାରିତ

ଭୁବନେଶ୍ୱର : ବିଧାନସଭାରେ ଆଜି ଅପରାହ୍ନରେ ବିଜେପି ସଭ୍ୟମାନଙ୍କ ହୋହଲ୍ଲା ଭିତରେ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ପାରିତ ହୋଇଯାଇଛି। ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପଞ୍ଚାୟତିରାଜ ବିଭାଗର ଖର୍ଚ୍ଚ ଦାବି ଆଗତ କରିଥିଲେ। କଂଗ୍ରେସ ସଭ୍ୟ ଅଧିରାଜ ମୋହନ ପାଣିଗ୍ରାହୀ ଆଲୋଚନା ଆରମ୍ଭ କରି ପଞ୍ଚାୟତ ସ୍ତରରେ ବିଭିନ୍ନ ସମସ୍ୟା, ଅନିୟମିତତା ସମ୍ପର୍କରେ କହିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ ଯେ ପଞ୍ଚାୟତିରାଜ ବିଭାଗ ପଞ୍ଚାୟତକୁ ଯେଉଁ କ୍ଷମତା ଦେବା କଥା, ତାହା ଏପର୍ଯ୍ୟନ୍ତ ହସ୍ତାନ୍ତର କରି ନାହିଁ। ଅନୁସୂଚିତ ଜାତି, ଜନଜାତି ଅଞ୍ଚଳ ପାଇଁ ସ୍ବତନ୍ତ୍ର କ୍ଷମତା ଦେବାକୁ ଐତିହାସିକ ପେସା ଆଇନ୍‌ କରାଗଲା। କିନ୍ତୁ ଏହାର ଅଧିନିୟମ ପ୍ରସ୍ତୁତ କରାଯାଉନି କି ପେସା ଲାଗୁ କରାଯାଉ ନାହିଁ। ବହୁ ପଞ୍ଚାୟତରେ ଦୁର୍ନୀତି ଓ ପ୍ରିୟାପ୍ରୀତି ଚରମ ପର୍ଯ୍ୟାୟରେ ପହଞ୍ଚିଛି। ବଲାଙ୍ଗୀର ବ୍ଲକ୍‌ରେ ଜଣେ ମହିଳା ଅଧ୍ୟକ୍ଷ ଅଛନ୍ତି। କିନ୍ତୁ ବ୍ଲକ୍‌ର ବୈଠକରେ ତାଙ୍କ ସ୍ବାମୀ ଅଧ୍ୟକ୍ଷତା କରୁଛନ୍ତି। ଏହାର ପ୍ରମାଣ ରହିଛି। ପେନ୍‌ ଡ୍ରାଇଭ୍‌ରେ ସେହି ବୈଠକର ଭିଡିଓ ରେକର୍ଡିଂ ଆଣିଛନ୍ତି ବୋଲି ଶ୍ରୀ ମିଶ୍ର କହିଥି‌େଲ। ଦେଓଗାଁ ବ୍ଲକ୍‌ରେ ଜଣେ ସରପଞ୍ଚ ଆବାସ ଯୋଜନାରେ କିପରି ପ୍ରିୟାପ୍ରୀତି ତୋଷଣ କରୁଛନ୍ତି, ତାହାର ମଧ୍ୟ ଭିଡିଓ ଅଛି। ବହୁ ପଞ୍ଚାୟତରେ ଏ ପର୍ଯ୍ୟନ୍ତ ପାନୀୟ ଜଳ ସୁବିଧା ପହଞ୍ଚି ପାରିଲାନି।

 

ବିଜେଡି ସଭ୍ୟ ଅତନୁ ସବ୍ୟସାଚ୍ଚୀ ନାୟକ କହିଥିଲେ ଯେ, ପଞ୍ଚାୟତକୁ ଅଧିକ କ୍ଷମତା ଦେବା ପାଇଁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଅନେକ ସଂସ୍କାରମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ସେହି ଧାରାକୁ ଜାରି ରଖିଛନ୍ତି। କୋଭିଡ୍‌-୧୯ ସମୟରେ ଟିଏମ୍‌ସି ପରିଚାଳନା କରିବା ପାଇଁ ପଞ୍ଚାୟତିରାଜ ବିଭାଗକୁ ଦାୟିତ୍ବ ଦିଆଯାଇଥିଲା। ସେହି ଦାୟିତ୍ବକୁ ବିଭାଗ ସୁଚାରୁ ରୂପେ ତୁଲାଇଛି। କୋଭିଡ୍‌-୧୯କୁ ପଞ୍ଚାୟତ ସ୍ତ‌ରରେ ଠିକ୍ ଭାବେ ପରିଚାଳନା କରାଯାଇଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତାହାକୁ ପ୍ରଶଂସା କରିଛି। ବିଜେଡି ପକ୍ଷରୁ ପ୍ରୀତିରଞ୍ଜନ ଘଡ଼ାଇ, ସୁଧୀର ସାମଲ ଓ ଲତିକା ପ୍ରଧାନ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

 

ଆଲୋଚନାର ଉତ୍ତର ରଖି ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ ଯେ ପଞ୍ଚାୟତିରାଜ ବିଭାଗ ବିଭିନ୍ନ ରାଜ୍ୟ ଯୋଜନା, କେନ୍ଦ୍ରୀୟ ଯୋଜନା ଏବଂ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ସମୂହ ତଥା ଗ୍ରାମୀଣ ଅଧିବାସୀଙ୍କ ସାମାଜିକ ଓ ଆର୍ଥିକ ବିକାଶ ନିମନ୍ତେ ପ୍ରଶାସନିକ ବ୍ୟୟ ସମେତ ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମକୁ କ୍ରିୟାନ୍ବିତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ୨୦୨୦-୨୧ରେ ସାମଗ୍ରିକ ବ୍ୟୟ ଅଟକଳ ୧୮,୧୦୫.୮୪ କୋଟି ରଖାଯାଇଛି। ଚଳିତ ଆର୍ଥିକ ବର୍ଷ ପାଇଁ ୨୨୫୨.୮୪ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ରଖାଯାଇଛି। ଏହା ମଧ୍ୟରୁ ୨୨୪୧.୩୪ କୋଟି ଟଙ୍କା କାର୍ଯ୍ୟକ୍ରମ ବାବଦରେ ଖର୍ଚ୍ଚ ପାଇଁ ଧାର୍ଯ୍ୟ ହୋଇଥିବା ସ୍ଥଳେ ପ୍ରଶାସନିକ ଖର୍ଚ୍ଚ ଭାବେ ୧୧.୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ପକ୍କା ଘର ଯୋଜନା ପାଇଁ ଭାରତ ସରକାରଙ୍କ ଦ୍ବାରା ଧାର୍ଯ୍ୟ ଲକ୍ଷ୍ୟ ପୂରଣ ନିମନ୍ତେ ୧୫୧୪ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ପ୍ରସ୍ତାବିତ ହେ‌ାଇଛି। ଦାଦନ ପ୍ରବଣ ଜିଲ୍ଲାଗୁଡ଼ିକରେ ଶ୍ରମ ଅଟକଳ ୧୪.୫୦ କୋଟି ଟଙ୍କାରୁ ୨୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିବାରୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୭୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ରେ ପ୍ରସ୍ତାବିତ ହୋଇଛି। ଦିନ ଦୟାଲ୍‌ ‌ଅନ୍ତୋଦୟ ଯୋଜନା – ଜ‌ାତୀୟ ଗ୍ରାମୀଣ ଜୀବିକା ମିସନ୍‌ ଯୋଜନା ଅନ୍ତର୍ଗତ ଅତିରିକ୍ତ ଆବଶ୍ୟକତା ପୂରଣ ନିମନ୍ତେ ୮.୯୧ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି।

୩୧ଟି ବିଭାଗର ଅତିରିକ୍ତ ଖର୍ଚ୍ଚଦାବି ଗିଲୋଟିନ୍‌ର ପାରିତ
ଭୁବନେଶ୍ବର : ବିଧାନସଭାରେ ୨୦୨୦-୨୧ ଆର୍ଥିକ ବର୍ଷରେ ୩୧ଟି ବିଭାଗର ଅତିରିକ୍ତ ଖର୍ଚ୍ଚଦାବି ଆଜି ଗିଲୋଟିନ୍‌ରେ ପାରିତ କରାଯାଇଛି। ପରୀ ହତ୍ୟାକାଣ୍ଡ ମାମଲାରେ ଦୁଇ ଦିନ ହେଲା ବିରୋଧୀ ସଭ୍ୟଙ୍କ ହଟ୍ଟଗୋଳ ଯୋଗୁ ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇପାରି ନ ଥିଲା। ୨୬ ତାରିଖରେ ରାଜସ୍ବ ବିଭାଗ, ୨୭ ତାରିଖରେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚଦାବି ଉପରେ ଆଲୋଚନା ହେବାର ଥିଲା ମଧ୍ୟ ବିରୋଧୀ ସଭ୍ୟଙ୍କ ହୋହଲ୍ଲା ଯୋଗୁ ଆଲୋଚନା ହୋଇ ନ ଥିଲା। ଆଜି କଂଗ୍ରେସ ନିରବ ଥିଲେ ବି ବିଜେପି ସଭ୍ୟଙ୍କ ହଟ୍ଟଗୋଳ ଜାରି ରହିଥିଲା। ଫଳରେ ରାଜସ୍ବ, ଗୃହ ଓ ସାଧାରଣ ପ୍ରଶାସନ ବିଭାଗ ସମେତ ମୋଟ୍‌ ୩୧ଟି ବିଭାଗର ଖର୍ଚ୍ଚଦାବି ଗିଲୋଟିନ୍‌ରେ ପାରିତ ହୋଇଥିଲା। କେବଳ ପଞ୍ଚାୟତିରାଜ ବିଭାଗର ଖର୍ଚ୍ଚଦାବି ଉପରେ କିଛି ସମୟ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର