ବିଜେପି ସାଂସଦଙ୍କୁ ଟାର୍ଗେଟ୍‌ କଲା ବିଜେଡି
କର୍ଣ୍ଣାଟକ ପାଇଁ ହଁ, ଓଡ଼ିଶାକୁ ନା

Advertisment

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ଓଡ଼ିଶା ପ୍ରତି ଅବହେଳା କରାଯାଉଥିବା ଅଭିଯୋଗ କରି କେନ୍ଦ୍ରକୁ ଟାର୍ଗେଟ୍ କରିଛି ବିଜେଡି। ଲଗାତାର ଭାବେ ଓଡ଼ିଶାର ଦାବିକୁ କେନ୍ଦ୍ର ଅଣଦେଖା କରୁଛି। କର୍ଣ୍ଣାଟକ ପାଇଁ ଗୋଟିଏ ନିୟମ କରୁଥିଲା ବେଳେ ଓଡ଼ିଶା ପାଇଁ ଆଉ ଗୋଟିଏ ଆଭିମୁଖ୍ୟ ଦେଖିବାକୁ ମିଳୁଛି ବୋଲି ଦଳ ଅଭିଯୋଗ କରିଛି। ଏହି ପ୍ରସଙ୍ଗରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖିଥିଲା ବେଳେ ଏକ ସାମ୍ବାଦିକ ସମ୍ମିଳନୀ ଡାକି କେନ୍ଦ୍ର ବିରୋଧରେ ବିଷୋଦ୍‌ଗାର କରିଛି ବିଜେଡି।

କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଚିଠି ଲେଖି ଓଡ଼ିଶାର ପୁରୁଣା ଦାବିକୁ ଦୋହରାଇଛନ୍ତି। ମନ୍ତ୍ରୀ ଦାବି କରିଛନ୍ତି ଯେ ଗ୍ରାମୀଣ ହାଉସିଂ ପୋର୍ଟାଲରେ ଆବାସ୍ + ସହିତ ୬.୬୫ ଲକ୍ଷ ପରିବାରର ତଥ୍ୟକୁ ଯୋଡ଼ିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉ। ଫନି ପରେ ପରେ ଓଡ଼ିଶାକୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ୧.୮୪ ଲକ୍ଷ ସ୍ୱତନ୍ତ୍ର ପିଏମ୍ଏୱାଇ ଘର ମଞ୍ଜୁର କରାଯାଉ। ଯୋଗ୍ୟ ବିବେଚିତ ପରିବାରର ନାମ ଅନ୍ତର୍ଭୁକ୍ତ କରିବା ନିମନ୍ତେ କିଛି ସମୟ ପାଇଁ ଅବାସ୍+ ୱିଣ୍ଡୋ ଖୋଲାଯାଉ।

ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଏ ସମ୍ପର୍କରେ ଓଡ଼ିଶା ଲଗାତାର ଦାବି କରିଆସୁଛି। ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏ ନେଇ ଚିଠି ଲେଖି ଅନୁରୋଧ କରିଛନ୍ତି। କର୍ଣ୍ଣାଟକ ସରକାରଙ୍କୁ ଗତ ଜାନୁଆରି ୧୩ରେ ଆବାସ+ ରେ ତଥ୍ୟ ଯୋଡ଼ିବାକୁ ଅନୁମତି ଦିଆଯାଇଥିଲା ବେଳେ ଓଡ଼ିଶାର ଦାବିକୁ ଅଣଦେଖା କରାଯାଉଛି। ଓଡ଼ିଶାର ଏହି ଦାବିକୁ ଗ୍ରହଣ କରା ନ ଯିବା ଦ୍ବାରା ଲକ୍ଷାଧିକ ଅନୁସୂଚିତ ଜନଜାତି ହିତାଧିକାରୀ ଓ କେବିକେ ଅଞ୍ଚଳର ହିତାଧିକାରୀ ନିଜ ହକ୍‌ରୁ ବଞ୍ଚିତ ହେଉଛନ୍ତି।

ଅପରାହ୍ନରେ ବିଜେଡି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ଓ ସୁଲତା ଦେଓ କହିଛନ୍ତି ଯେ ଗ୍ରାମୀଣ ଆବାସ ଯୋଜନାରେ ଓଡ଼ିଶା ପ୍ରତି କେନ୍ଦ୍ର ସରକାର ବାରମ୍ବାର ଅବହେଳା କରି ଆସୁଛନ୍ତି। ଗ୍ରାମୀଣ ଆବାସ ଯୋଜନାରେ ଲୋକଙ୍କୁ ଘର ଯୋଗାଇବାରେ ଓଡ଼ିଶା ଦେଶର ଅନ୍ୟତମ ଶ୍ରେଷ୍ଠ ରାଜ୍ୟର ମାନ୍ୟତା ପାଇଛି। ମାତ୍ର ପ୍ରାୟ ୨ ବର୍ଷ ହେଲା କେନ୍ଦ୍ର ସରକାର ଆବାସ ଯୋଜନାରେ ଓଡ଼ିଶା ଲୋକଙ୍କୁ ଘର ମଞ୍ଜୁର କରୁନାହାନ୍ତି । ଏଥିରେ ପ୍ରତିବନ୍ଧକ ସାଜିଛନ୍ତି ଓଡ଼ିଶାର ବିଜେପି ସାଂସଦମାନେ। ଓଡ଼ିଶାବାସୀ ବିଜେପି ସାଂସଦମାନଙ୍କୁ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ପଠାଇଥିବାବେଳେ ସେମାନେ ଏହାର ବିପରୀତ ଆଚରଣ କରୁଛନ୍ତି। ମୁଖ୍ୟତଃ କେବିକେ ଜିଲ୍ଲାର ମୁଣ୍ଡ ଉପରେ ଛାତ ନଥିବା ୬ ଲକ୍ଷ ୬୫ ହଜାର ଗରିବ ହିତାଧିକାରୀଙ୍କୁ ଚୟନ କରାଯାଇଥିଲା। କେନ୍ଦ୍ର ସରକାର ଆବାସ ପୋର୍ଟାଲ ଖୋଲୁନଥିବାରୁ ଓଡ଼ିଶା ସରକାରଙ୍କ ଏ ସମ୍ପର୍କିତ ଡାଟା ସ୍ଥାନାନ୍ତର ହୋଇପାରୁ ନାହିଁ। ପୋର୍ଟାଲ ଖୋଲିବା ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀ ପୂର୍ବରୁ ଚିଠି ଲେଖିଥିଲେ ମଧ୍ୟ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ କର୍ଣ୍ଣପାତ କରୁନାହାନ୍ତି। ଏଭଳି ସ୍ଥିତିରେ ନିକଟରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ବିଜେପି ଶାସିତ ରାଜ୍ୟ କର୍ଣ୍ଣାଟକ ଲାଗି ଆବାସ ପୋର୍ଟାଲ ଖୋଲିଛନ୍ତି। କିନ୍ତୁ ଓଡ଼ିଶାର ହକ୍‌କୁ ଷଡ଼ଯନ୍ତ୍ର କରି କାଟି ଦେଇଛନ୍ତି । ଏଥିରୁ ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ଏବଂ ଓଡ଼ିଶାର ବିଜେପି ସାଂସଦମାନଙ୍କ ଚକ୍ରାନ୍ତ ଜଳଜଳ ହୋଇ ଦେଖାଯାଉଛି। ଓଡ଼ିଶାବାସୀ ଏହି ହୀନ ରାଜନୀତିକୁ ବରଦାସ୍ତ କରିବେ ନାହିଁ ଓ ପଞ୍ଚାୟତ ନିର୍ବାଚନରେ ଜବାବ ଦେବେ ବୋଲି ବୋଲି ବିଜେଡିର ମୁଖପାତ୍ର ଦ୍ବୟ କହିଛନ୍ତି।

ମନ୍ତ୍ରୀଙ୍କ ଅଭିଯୋଗ ହାସ୍ୟାସ୍ପଦ: ବିଜେପି

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରସଙ୍ଗରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଚିଠି ଲେଖିବା ପରେ ବିଜେପି କହିଛି ଯେ, ମନ୍ତ୍ରୀ ଶ୍ରୀ ଜେନାଙ୍କ ଅଭିଯୋଗ ହାସ୍ୟାସ୍ପଦ। ଗରିବ ବାସହୀନଙ୍କ ପାଇଁ କେନ୍ଦ୍ର ସରକାର ପ୍ରଚୁର ଅର୍ଥ ରାଜ୍ୟକୁ ଦେଲେ। ହେଲେ ବିଜେଡିର ଅନୁଗତ ନେତା ଓ କର୍ମୀଙ୍କୁ ଦଳୀୟ ଭିତ୍ତିରେ ବାସଗୃହ ଆବଣ୍ଟନ ହେବାରୁ ବହୁ ଗରିବ ଘର ପାଇବାରୁ ବଞ୍ଚିତ ହେଲେ। ନିଜ ଦୋଷ ଧରାପଡ଼ିବାରୁ କେନ୍ଦ୍ର ସରକାରଙ୍କ ଉପରେ ମନ୍ତ୍ରୀ ଶ୍ରୀ ଜେନା ଦୋଷ ଲଦି ଦେଉଛନ୍ତି ବୋଲି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି।