ରାୟଗଡ଼ା: ସ୍ଥାନୀୟ ଜିଲ୍ଲା ପରିଷଦ ସଭାଗୃହରେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ମକରନ୍ଦ ମୁଦୁଲି ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝି ସଭାପତିତ୍ବ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଜିଲ୍ଲାପରିଷଦର ସିଡିଓ ନିହାର କହଁର। କାର୍ଯ୍ୟକ୍ରମ ଆରମ୍ଭରୁ ବିଜୁ ବାବୁଙ୍କ ଫଟୋ ଚିତ୍ରରୋ ପୁଷ୍ପମାଲ୍ୟ ଦେଇ ତାଂକର ଜୀବନୀ ଉପରେ ଅତିଥିମାନେ ଆଲୋକପାତ କରିଥିଲେ।
ମଙ୍ଗଳବାର ଲୋକସେବା ଦିବସ ରୂପେ ପାଳନ ହେଉଥିବାରୁ ଲୋକଙ୍କ ସେବା ଯେପରି ସମସ୍ତ ସରକାରୀ କର୍ମଚାରୀ କରିବେ ସେନେଇ ଜିଲ୍ଲାପାଳ ଶ୍ରୀ ମହାଜନ ଆହ୍ବାନ ଦେଇଥିଲେ। ଏହି ଅବସରରେ ବିଜୁ ବାବୁଙ୍କ ବଳିଦାନ ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ପଞ୍ଚାୟତିରାଜକୁ କିପରି ସଶକ୍ତ କରିବା ପାଇଁ ତାଂକର ଭବିଷ୍ୟତ ଚିନ୍ତାଧାରା ରହିଥିଲା ତାକୁ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ଅବସରରେ ଜିଲ୍ଲାର ସର୍ବଶ୍ରେଷ୍ଟ ପଞ୍ଚାୟତ ଭାବେ ରାୟଗଡା ବ୍ଲକର ହାଲବା ପଞ୍ଚାୟତର ସରପଞ୍ଚ ତାମାରାଓ ବିଡିକାଙ୍କୁ ଏକ ଲକ୍ଷ ପଚାଶ ହଜାର ଟଂକାର ଚେକ ଦେଇ ସମ୍ମାନିତ କରାଯାଇଥିଲା।
ସେହିପରି ଦ୍ବିତୀୟରେ ଗୁଡାରି ବ୍ଲକର ସିରିଗୁଡା ପଞ୍ଚାୟତର ସରପଞ୍ଚ ରାମଚନ୍ଦ୍ର ମୁଟ୍ରୁକାଙ୍କୁ ୧ ଲକ୍ଷ ୨୫ ହଜାର ଏବଂ ତୃତୀୟରେ ଗୁଡାରି ବ୍ଲକର ହିଁ କାଡମା ପଞ୍ଚାୟତର ସରପଞ୍ଚ ଭାରତୀ ସାମନ୍ତିକାଙ୍କୁ ୧ ଲକ୍ଷ ଟଂକାର ଚେକ ଦେଇ ପୁରସ୍କୃତ କରାଯାଇଥିଲା। ପରେ ପୁରସ୍କାର ଗ୍ରହଣ କରିଥିବା ସରପଞ୍ଚମାନେ ନିଜ ପଞ୍ଚାୟତରେ କରିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କରେ ବଖାଣିଥିଲେ। ପରେ ରାୟଗଡା ବ୍ଲକରେ ମଧ୍ୟ ଅଧ୍ୟକ୍ଷା ସୁଶ୍ରୀ ଟୁନି ହୁଇକା, ଉପାଧ୍ୟକ୍ଷ ହର ପ୍ରାସାଦ ହେପୃକା, ବିଡିଓ ଅମୂଲ୍ୟ କୁମାର ସାହୁ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଉମା ମହେଶ୍ଵର ପଟ୍ଟନାୟକ, ସିଡିପିଓ ମୀନାକ୍ଷି ଦାଶ, ଜିଲ୍ଲା ମିସନ ଶକ୍ତି ପ୍ରକଳ୍ପ ମ୍ୟାନେଜର ସ୍ନେହଲତା ପାଢି, ଜିଲ୍ଲା ପୋଷଣ ସଂଯୋଜିକା, ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ପ୍ରମୂଖ ଉପସ୍ଥିତିରେ ଲୋକସେବା ଦିବସ ପାଳିତ ହୋଇଥିଲା। କଳିଙ୍ଗ ବରପୁତ୍ର ବିଜୁପଟ୍ଟନାୟକଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ଯ ଓ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମ ପ୍ରାରମ୍ଭ ହୋଇଥିଲା।
ବିଜୁବାବୁଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଓଡିଶା ଗଠନରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଲୋକସେବା ଦିବସ ଅବସରରେ ସମସ୍ତ ସେବା ଯେପରି ଲୋକଙ୍କ ନିକଟରେ ପହଞ୍ଚିପାରିବ ସେଥିପ୍ରତି ସମସ୍ତେ ବ୍ରତୀ ହେବାକୁ ଅନୁରୋଧ କରାଯାଇଥିଲା।ଜିଲ୍ଲାରେ ପୋଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗାଜିଗାଁ ଗ୍ରାମ ପଞ୍ଚାୟତକୁ ପଚାଶ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ପିଏ ଗୋପାଳ ପଣ୍ଡା କାର୍ଯ୍ୟକ୍ରମର ଆୟୋଜନ ଓ ପରିଚାଳନା କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/Rgda-Panchayaraj-divas-palit-1.jpg)