କେନ୍ଦୁଝର: କେନ୍ଦୁଝର ସଦର ବ୍ଲକ୍ ବିଡିଓଙ୍କ କାମକୁ ବିରୋଧ କରି ଆଜି ବ୍ଲକ୍ କାର୍ଯ୍ୟାଳୟରେ ଆୟୋଜିତ ପଞ୍ଚାୟତିରାଜ ଓ ଲୋକସେବା ଦିବସ କାର୍ଯ୍ୟକ୍ରମକୁ ନିର୍ବାଚିତ ପ୍ରତିନିଧିମାନେ ବର୍ଜନ କରିଛନ୍ତି। ଯେଉଁ ଜନପ୍ରତିନିଧିମାନେ କାର୍ଯ୍ୟକ୍ରମ ବର୍ଜନ କରିଛନ୍ତି ସେମାନେ ଶାସକ ବିଜେଡି ଦଳର ସମର୍ଥିତ ବୋଲି ଜଣାପଡ଼ିଛି।
ପଞ୍ଚାୟତିରାଜ ଦିବସ ପାଳନ ପାଇଁ ସମସ୍ତ ଜନପ୍ରତନିଧିଙ୍କୁ ବିଡିଓଙ୍କ ପକ୍ଷରୁ ଚିଠି କରାଯାଇଥିଲା। ଆଜି ନିର୍ଦ୍ଧାରିତ ସମୟରେ ବୈଠକ ଆରମ୍ଭ ହୋଇଥିଲା। କିନ୍ତୁ ବାହାରେ ଠିଆ ହୋଇଥିବା ଜନପ୍ରତିନିଧିମାନେ ସଭାଗୃହ ଭିତରକୁ ଗଲେ ନାହିଁ। ବିଜେଡି ସମର୍ଥିତ ବ୍ଲକ୍ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ନାଏକ, ଉପାଧ୍ୟକ୍ଷ ଦିଲୀପ ବେହେରାଙ୍କଠାରୁ ଆରମ୍ଭ କରି ଏକାଧିକ ବିଜେଡି ସମର୍ଥିତ ଜନପ୍ରତିନିଧିମାନେ ବାହାରେ ଠିଆ ହୋଇ ପ୍ରତିବାଦ କରିଥିଲେ।
ବ୍ଲକ୍ ଅଧ୍ୟକ୍ଷା ଜ୍ୟେତିର୍ମୟୀ ନାଏକ କହିଛନ୍ତି, ବିଡିଓ ବାରମ୍ବାର ମନମୁଖୀ କାମ କରୁଛନ୍ତି। ଜନପ୍ରତିନିଧିଙ୍କୁ ସବୁବେଳେ ଅଣଦେଖା କରିବା ସହ ତାଙ୍କ ପାଖକୁ ଯେଉଁ ଫାଇଲ୍ ଯାଉଛି, ତାହାକୁ ସେ ଉଦ୍ଦେଶ୍ୟମୂଳକ ଭାବେ ପକାଇ ରଖୁଛନ୍ତି। ଯେଉଁଥିପାଇଁ ପଞ୍ଚାୟତରେ ଉନ୍ନୟନ କାମ ବାଧାପ୍ରାପ୍ତ ହେଉଛି। ସେଥିପାଇଁ ଆଜି ପ୍ରାୟ ସମସ୍ତେ ଫାଟକ ସମ୍ମୁଖରେ ଠିଆ ହୋଇ ପ୍ରତିବାଦ କରିଥିବା ସେ କହିଛନ୍ତି।