ରାଜ୍ୟସ୍ତରୀୟ ପଂଚାୟତିରାଜ କାର୍ଯ୍ୟକ୍ରମରେ ଚର୍ଚ୍ଚା : ରାଜା ସ୍ବାଇଁ ଦେଲେ ରାଜନୀତି ଭାଷଣ, ସଂସଦରୁ ସମୟ ପାଇଲେନି ଭର୍ତ୍ତୃହରି

କଟକ : ‌କଟକର ବାଲିଯାତ୍ରା ପଡିଆରେ ଆୟୋଜିତ ରାଜ୍ୟସ୍ତରୀୟ ସମାବେଶ ଆଜି ଦୁଇଟି କାରଣରୁ ବିଶେଷ ଚର୍ଚ୍ଚାର ଖୋରାକ ଯୋଗାଇଛି। ଗୋଟିଏ ପଟେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ (ରାଜା ସ୍ବାଇଁ) ସରକାରୀ କାର୍ଯ୍ୟକ୍ରମ ମଞ୍ଚରେ ରାଜନୈତିକ ଭାଷଣ ଦେଇ ଚର୍ଚ୍ଚାକୁ ଆସିଥିବା ବେଳେ କଟକରେ ହେଉଥିବା ଏଭଳି ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଅନୁପସ୍ଥିତି ଅନେକଙ୍କ ପାଇଁ ଆଲୋଚନାର ପ୍ରସଙ୍ଗ ପାଲଟିଛି। ଆଜିର ମଞ୍ଚରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଆସ୍କା ସାଂସଦ ପ୍ରମିଳା ବିଶୋଇଙ୍କୁ ଦେଖିବାକୁ ମିଳିଥିବା ବେଳେ ‌କଟକରେ କଟକ ବଡ ମେଡିକାଲ ପାଇଁ ୧ ହଜାର କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରେ କଟକ ସାଂସଦଙ୍କ ଅନୁପସ୍ଥିତି ଅନେକଙ୍କର ହଜମ ହୋଇ ନଥିଲା। ଏ ପ୍ରସଙ୍ଗରେ ଅବଶ୍ୟ ସାଂସଦ ଭର୍ତ୍ତୃହରି ମହତାବ ଭିନ୍ନ ମତ ରଖିଛନ୍ତି। ଶ୍ରୀ ମହତାବ କହିଛନ୍ତି ଯେ ଏବେ ସଂସଦର ଅଧିବେଶନ ଚାଲିଛି। ସେ ଦିଲ୍ଲୀରେ ଅଛନ୍ତି। ତେଣୁ କଟକ କାର୍ଯ୍ୟକ୍ରମକୁ ଯାଇ ପାରି ନାହାନ୍ତି। ଦିଲ୍ଲୀରେ ଆୟୋଜିତ ବିଜୁ ଜୟନ୍ତୀ କାର୍ଯ୍ୟକ୍ରମରେ ସେ ଅନ୍ୟ ସାଂସଦଙ୍କ ସହ ଉପସ୍ଥିତ ଥିଲେ। ଏଥିରେ ଅନ୍ୟ ଦଳର ବରିଷ୍ଠ ନେତାମାନେ ବି ଉପସ୍ଥିତ ଥିଲେ। ପୂର୍ବରୁ ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କଟକ ଆସିବା ସମୟରେ ଭର୍ତ୍ତୃହରିଙ୍କ ଅନୁପସ୍ଥିତି ବି ଚର୍ଚ୍ଚାର ଖୋରାକ ଯୋଗାଇଥିଲା। ଗୋଟିଏ ପଟେ ଭର୍ତ୍ତୃହରିଙ୍କ ଅନୁପସ୍ଥିତି ଏଭଳି ଆଲୋଚନାର ପ୍ରସଙ୍ଗ ପାଲଟିଥିବା ବେଳେ ଅନ୍ୟପଟେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସରକାରୀ କାର୍ଯ୍ୟକ୍ରମରେ ରାଜନୈତିକ ଭାଷଣ ବିବାଦର ମଞ୍ଜି ପାଲଟିଛି।

ଶ୍ରୀ ସ୍ବାଇଁ କହିଛନ୍ତି ଯେ ଦେଶରେ ଧର୍ମନାମରେ ରାଜନୀତି କରାଯାଉଛି। ଏପରିକି ବିଭିନ୍ନ ସ୍ଥାନରେ ବିଭାଜନ ସୃଷ୍ଟି ପାଇଁ କାଣ୍ଡ କରାଯାଉଛି। ମହାରାଷ୍ଟ୍ରରେ ଘଟ ପରିବର୍ତ୍ତନ ହେଲା, କହିଲେ ଆମେ ଅଲଗା ରାଜ୍ୟକୁ ଯିବୁ। ଅଲଗା ରାଜ୍ୟ ଆସିଲେ ଝାଡଖଣ୍ଡକୁ। ଯେଉଁଠି କହୁଥିଲେ ଆମେ ୮୧ରୁ ୬୫ଟି ସିଟ୍‌ ନେବୁ। ହେଲେ ଲୋକେ ୨୫ଟି ସିଟ୍ ମଧ୍ୟ ଦେଲେନି। ତାପରେ କହିଲେ ଦିଲ୍ଲୀ ଯିବୁ, ଆଜି ଦିଲ୍ଲୀରେ ଅବସ୍ଥା କଣ ? ତେଣୁ ଏ ଯେଉଁ ରାଜନୈତିକ ପୃଷ୍ଠଭୂମି ଇଏ ଗୋଟିଏ ସୂଚନା ଦେଉଛି ଯେ ରାଜନୈତିକସ୍ତରରେ ଓ ଆର୍ଥିକ ସ୍ତରରେ ବର୍ତ୍ତମାନ ଦେଶ ବିଭାଜିତ ହେଉଛି। ସମାଜକୁ ଯେଉଁମାନେ ଭାଙ୍ଗିବାକୁ ଇଚ୍ଛା କରୁଛନ୍ତି, ସେମାନେ ମନେ ରଖିବା ଉଚିତ୍‌ ଯେ ଧର୍ମନାମରେ ରାଜନୀତି ହେବ ନାହିଁ, ଧର୍ମ ହେବ ନାହିଁ ରାଜନୀତିର ଆଧାର। ଆମେ ସମାଜକୁ କେବେ ଭାଙ୍ଗିବାକୁ ଦେବୁ ନାହିଁ। ଆମେ ଧର୍ମ ନାଁରେ ରାଜନୀତିକୁ ସାମ୍ନା କରିବାକୁ ସଂକଳ୍ପବଦ୍ଧ। ଏଥିପାଇଁ ଆମ ପ୍ରିୟ ନେତା କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି।

ସମ୍ବନ୍ଧିତ ଖବର