ଭୁବନେଶ୍ବର : ଜାତୀୟସ୍ତରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିପୁଳ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି। ଲୋକସେବା ଭବନର କନ୍‌ଭେସନ୍ ହଲ୍‌ରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯେଉଁ ପଞ୍ଚାୟତିରାଜ ଅନୁଷ୍ଠାନ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିବ ତାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳୁଥିବା ପୁରସ୍କାରର ୬ ଗୁଣ ଅର୍ଥ ରାଶି ରାଜ୍ୟ ସରକାର ପୁରସ୍କାର ଭାବେ ଦେବେ। ସେହିପରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ପଞ୍ଚାୟତିରାଜ ଅନୁଷ୍ଠାନକୁ ତିନି ଗୁଣ ଓ ତୃତୀୟ ସ୍ଥାନ ପାଇଥିବା ଅନୁଷ୍ଠାନକୁ ଦୁଇ ଗୁଣ ଆର୍ଥିକ ପୁରସ୍କାର ଦିଆଯିବ। ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ମଧ୍ୟରେ ବିକାଶ ପାଇଁ ଏକ ସୁସ୍ଥ ପ୍ରତିଯୋଗିତା ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Advertisment

ଜାତୀୟ ସ୍ତରରେ ଶ୍ରେଷ୍ଠ ବିବେଚିତ ପଞ୍ଚାୟତିରାଜ ସଂସ୍ଥାଙ୍କୁ ସମ୍ବର୍ଦ୍ଧନା
ପ୍ରଥମ ହେଲେ କେନ୍ଦ୍ର ସରକାରଙ୍କ ପୁରସ୍କାରର ୬ ଗୁଣ, ଦ୍ବିତୀୟକୁ ୩ଗୁଣ, ତୃତୀୟକୁ ୨ଗୁଣ ଆର୍ଥିକ ପୁରସ୍କାର

ଏହି ଘୋଷଣା ଅନୁଯାୟୀ ଜାତୀୟ ସ୍ତରରେ ପ୍ରଥମ ହୋଇଥିବା ଗଞ୍ଜାମ ଜିଲ୍ଲା ପରିଷଦକୁ ୩୦ କୋଟି ଟଙ୍କା, ପ୍ରଥମ ସ୍ଥାନ ଅଧିକାର କରିଥିବା ହିଞ୍ଜିଳିକାଟୁ ପଞ୍ଚାୟତ ସମିତିକୁ ୧୨ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି। ଦ୍ୱିତୀୟ ସ୍ଥାନ ହାସଲ କରିଥିବା ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକର କାଞ୍ଚୁରୁ ପଞ୍ଚାୟତ, ଭଞ୍ଜନଗର ବ୍ଲକର କୁଲଦା ପଞ୍ଚାୟତ, ହିଞ୍ଜିଳିକାଟୁର ଶାସନ ଆମ୍ବଗାଁ ଓ ପାତ୍ରପୁର ବ୍ଲକର ଆଙ୍କୁଲି ପଞ୍ଚାୟତକୁ ୨ କୋଟି ୨୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଦିଆଯାଇଛି। ତୃତୀୟ ସ୍ଥାନ ହାସଲ କରିଥିବା ସୁନ୍ଦରଗଡ଼ ବଣାଇ ବ୍ଲକର ବଣାଇଗଡ଼ ପଞ୍ଚାୟତକୁ ୧ କୋଟି ଟଙ୍କା ପୁରସ୍କାର ଦିଆଯାଇଛି। ସମୁଦାୟ ୭ଟି ପଞ୍ଚାୟତିରାଜ ଅନୁଷ୍ଠାନକୁ ୫୨ କୋଟି ଟଙ୍କାର ପୁରସ୍କାର ଦିଆଯାଇଛି।

ପୁରସ୍କୃତ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇ କହିଛନ୍ତି, ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକ ହେଉଛନ୍ତି ‘ଗାଁର ସରକାର’। ଆମ କାମ ହେଉଛି ଆମର ପରିଚୟ। ଆଜି ବିକାଶର ବିଭିନ୍ନ ମାପଦଣ୍ଡରେ ଓଡ଼ିଶାର ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ସାରା ଦେଶର ପଥ ପଦର୍ଶକ ସାଜିଛନ୍ତି। ତେଣୁ ପଞ୍ଚାୟତ ସଂସ୍ଥାଗୁଡ଼ିକ ଲୋକଙ୍କ ଆସ୍ଥା ବଜାୟ ରଖନ୍ତୁ।

ଏହି ଅବସରରେ ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକର ସଫଳତାକୁ ଆହୁରି ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ୨ଟି ପଞ୍ଚାୟତ ଚିହ୍ନଟ କରାଯାଇ ୬୦ଟି ପଞ୍ଚାୟତ ଲର୍ଣ୍ଣିଂ ସେଣ୍ଟର ସ୍ଥାପନ କରାଯିବ। ଏକ ଜ୍ଞାନ ସମ୍ବଳ କେନ୍ଦ୍ର ଭାବେ ଏହା ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକର ଦକ୍ଷତା ବୃଦ୍ଧିରେ ସାହଯ୍ୟ କରିବ। ପଞ୍ଚାୟତଗୁଡ଼ିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତାର ଲକ୍ଷ୍ୟ ନେଇ ‘ସ୍ଥାନୀୟ ଚାମ୍ପିଅନ ତାଲିମ କାର୍ଯ୍ୟକ୍ରମ’ କରାଯିବ। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଦ୍ୱାରା ଏହା କରାଯିବ। ଅନୁସୂଚିତ ଅଞ୍ଚଳର ୭୦ଟି ବ୍ଲକରେ ସାଟେଲାଇଟ୍ ଇଣ୍ଟରଆକ୍ଟିଭ୍ ଟର୍ମିନାଲ ସ୍ଥାପନ କରାଯାଇ ଦୂର ଶିକ୍ଷା ଯୋଗାଯୋଗ ବ୍ୟବସ୍ଥା କରାଯିବ। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ (ଏସ୍‌ଆଇଆର୍‌ଡି)ରେ ଅତ୍ୟାଧୁନିକ ଭିତ୍ତିଭୂମି ସୃଷ୍ଟି କରାଯିବ। ଏଥିରେ ୩୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ, ୨୫୦ ଆସନ ବିଶିଷ୍ଟ ସମ୍ମିଳନୀ କକ୍ଷ ଓ ସାଟେଲାଇଟ୍ ଷ୍ଟୁଡିଓ ସ୍ଥାପନ କରାଯିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ସୋସାଇଟି ଫର୍ ସୋସିଆଲ ଅଡିଟ୍, ଆକାଉଣ୍ଟେବିଲିଟି ଏବଂ ଟ୍ରାନ୍ସପରେନ୍ସି ସଂସ୍ଥାର ଏକ ୱେବ୍‌ସାଇଟ୍ ଏବଂ ଆମ ପଞ୍ଚାୟତ ସେବା ପୋର୍ଟାଲର ଶୁଭାରମ୍ଭ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ମୁଖ୍ୟସଚିବ ପ୍ରଦୀପ କୁମାର ଜେନା, ସଚିବ ସୁଶୀଲ କୁମାର ଲୋହାନୀ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ, ପାନୀୟ ଜଳ ନିର୍ଦ୍ଦେଶକ ବି. ପରମେଶ୍ବରନ, ଗଞ୍ଜାମ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଅଞ୍ଜଳି ସ୍ବାଇଁ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ହିଞ୍ଜିଳି ପଞ୍ଚାୟତ ସମିତିର ଅଧ୍ୟକ୍ଷା ସରସ୍ବତୀ ସେଠୀ ଏବଂ ବଣାଇଗଡ଼ ସରପଞ୍ଚ ନମିତା ନାଗ ଉପସ୍ଥିତ ଥିଲେ।